ଅତ୍ୟଧିକ ଉଚ୍ଚ ବା ନିମ୍ନ ତକିଆ ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଏବଂ ସ୍ୱାସ୍ଥ୍ୟ ଉପରେ ପ୍ରଭାବ

ଗୋଟିଏ ସୁସ୍ଥ ଶରୀର ପାଇଁ ଉତ୍ତମ ନିଦ୍ରା ନିହାତି ଆବଶ୍ୟକ। କିନ୍ତୁ ଅନେକ ସମୟରେ ଲୋକମାନେ ନିଜର ଶୋଇବା ଶୈଳୀ ଏବଂ ତକିଆର ବ୍ୟବହାରକୁ ଗୁରୁତ୍ୱ ଦିଅନ୍ତି ନାହିଁ। ବିଶେଷଜ୍ଞଙ୍କ ମତରେ, ଶୋଇବା ସମୟରେ ତକିଆର ଉଚ୍ଚତା ଆମର ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଉଭୟ ଅତ୍ୟଧିକ ଉଚ୍ଚ ଏବଂ ଅତି ପତଳା ତକିଆ ବ୍ୟବହାର କରିବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଦେଇଥାଏ। 

ଅଧିକ ଉଚ୍ଚ ତକିଆ ବ୍ୟବହାରର କ୍ଷତି 

ଯଦି ଆପଣ ଅତ୍ୟଧିକ ଉଚ୍ଚ ତକିଆ ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ମେରୁଦଣ୍ଡର ସ୍ୱାଭାବିକ ଆକୃତିକୁ ନଷ୍ଟ କରିଦିଏ। ଏହାଦ୍ୱାରା ବେକ ଏବଂ ପିଠିରେ ପ୍ରବଳ ଚାପ ପଡିଥାଏ। ଦୀର୍ଘ ଦିନ ଧରି ଏପରି ତକିଆ ବ୍ୟବହାର କରିବା ଦ୍ୱାରା ବେକ ଦରଜ, ମାଂସପେଶୀ ସମସ୍ୟା ଏବଂ ରକ୍ତ ସଞ୍ଚାଳନରେ ବାଧା ଉପୁଜିଥାଏ। ଯାହା ଫଳରେ ସକାଳୁ ଉଠିବା ପରେ ଥକ୍କାପଣ ଏବଂ ଶରୀରରେ କଷ୍ଟ ଅନୁଭବ ହୁଏ। 

ଅତି ପତଳା ବା ବିନା ତକିଆରେ ଶୋଇବାର ପ୍ରଭାବ 

ଅନ୍ୟପକ୍ଷରେ, ଅନେକ ଲୋକ ଭାବନ୍ତି ଯେ ବିନା ତକିଆରେ ବା ଅତି ପତଳା ତକିଆ ବ୍ୟବହାର କରିବା ଲାଭଦାୟକ। କିନ୍ତୁ ବିଶେଷକରି ଗୋଟିଏ କଡ଼ ମାଡ଼ି ଶୋଉଥିବା ଲୋକଙ୍କ ପାଇଁ ଏହା କ୍ଷତିକାରକ ଅଟେ। ତକିଆର ଅଭାବରୁ ମୁଣ୍ଡ ଏବଂ ଗଦି ମଧ୍ୟରେ ଥିବା ଖାଲି ସ୍ଥାନ ବେକ ଉପରେ ଚାପ ପକାଇଥାଏ। ଏହାଦ୍ୱାରା ମୁଣ୍ଡବିନ୍ଧା, କାନ୍ଧ ବିନ୍ଧା ଏବଂ ସ୍ପଣ୍ଡିଲାଇଟିସ୍ ପରି ସମସ୍ୟା ଦେଖାଦେଇପାରେ। 

ସଠିକ୍ ତକିଆ କିପରି ବାଛିବେ? 

ଏକ ସୁସ୍ଥ ନିଦ୍ରା ପାଇଁ ଏପରି ଏକ ତକିଆ ବାଛନ୍ତୁ ଯାହା ଆପଣଙ୍କ ମୁଣ୍ଡ, ବେକ ଏବଂ ମେରୁଦଣ୍ଡକୁ ସିଧା ରଖିବାରେ ସାହାଯ୍ୟ କରିବ। ଚିକିତ୍ସକମାନେ ସାଧାରଣତଃ ସର୍ଭିକାଲ୍ ପିଲୋ କିମ୍ବା ମେମୋରୀ ଫୋମ୍ ତକିଆ ବ୍ୟବହାର କରିବାକୁ ପରାମର୍ଶ ଦିଅନ୍ତି। ଯେଉଁମାନେ ପିଠି ମାଡ଼ି ଶୋଇବାକୁ ପସନ୍ଦ କରନ୍ତି, ସେମାନଙ୍କ ପାଇଁ ଏକ ମଧ୍ୟମ ଉଚ୍ଚତାର ତକିଆ ସର୍ବୋତ୍ତମ ଅଟେ। ସେହିପରି ପେଟ ମାଡ଼ି ଶୋଉଥିବା ବ୍ୟକ୍ତିମାନେ ଏକ ପତଳା ତକିଆ ବ୍ୟବହାର କରିବା ଉଚିତ୍।

About The Author: Suryakanta