ଆୟୁର୍ବେଦ ବିୟୁଟି: ଆଜିକାଲି ରସାୟନ ଉତ୍ପାଦରୁ ମୁହଁ ଫେରାଇ ନିଜ ବିୟୁଟି ରୁଟିନ୍‌ରେ ପ୍ରାକୃତିକ ପ୍ରସାଧନ ବ୍ୟବହାର କରୁଛନ୍ତି ଅଧିକାଂଶ ଲୋକେ

ଭୁବନେଶ୍ୱର (ଲଭ୍‌ଲି ଓ ଅନୁରାଧା): ତ୍ବଚା ଓ କେଶ ଯତ୍ନ କଥା ଉଠିଲେ ଲୋକେ ଆୟୁର୍ବେଦ ନାଁ ପ୍ରାୟତଃ ନେଉଛନ୍ତି। ପ୍ରକୃତ କଥା ହେଉଛି, ଆୟୁର୍ବେଦ ପଦ୍ଧତିକୁ ଆପଣାଇବା ଦ୍ୱାରା ତ୍ୱଚା କେବଳ ଉଜ୍ଜ୍ବଳ ଦିଶି ନ ଥାଏ, ଏହା ତ୍ୱଚାକୁ ସୁସ୍ଥ ରଖିବା ସହ ତା’ର ଚମକକୁ ଦୀର୍ଘସ୍ଥାୟୀ କରିଥାଏ। ସେହିପରି କେଶ ପାଇଁ ଆୟୁର୍ବେଦ ତୈଳ ଓ ସାମ୍ପୁ ଖୁବ୍ ଉପକାରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଯେଉଁଥିପାଇଁ ଆଜିକାଲି ଅଧିକାଂଶ ଲୋକେ […]

ଭୁବନେଶ୍ୱର (ଲଭ୍‌ଲି ଓ ଅନୁରାଧା): ତ୍ବଚା ଓ କେଶ ଯତ୍ନ କଥା ଉଠିଲେ ଲୋକେ ଆୟୁର୍ବେଦ ନାଁ ପ୍ରାୟତଃ ନେଉଛନ୍ତି। ପ୍ରକୃତ କଥା ହେଉଛି, ଆୟୁର୍ବେଦ ପଦ୍ଧତିକୁ ଆପଣାଇବା ଦ୍ୱାରା ତ୍ୱଚା କେବଳ ଉଜ୍ଜ୍ବଳ ଦିଶି ନ ଥାଏ, ଏହା ତ୍ୱଚାକୁ ସୁସ୍ଥ ରଖିବା ସହ ତା’ର ଚମକକୁ ଦୀର୍ଘସ୍ଥାୟୀ କରିଥାଏ। ସେହିପରି କେଶ ପାଇଁ ଆୟୁର୍ବେଦ ତୈଳ ଓ ସାମ୍ପୁ ଖୁବ୍ ଉପକାରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦିଅନ୍ତି। ଯେଉଁଥିପାଇଁ ଆଜିକାଲି ଅଧିକାଂଶ ଲୋକେ ରସାୟନ ଉତ୍ପାଦରୁ ମୁହଁ ଫେରାଇ ନିଜ ବିୟୁଟି ରୁଟିନ୍‌ରେ ପ୍ରାକୃତିକ ପ୍ରସାଧନ ବ୍ୟବହାର କରିବାକୁ ବେଶି ପସନ୍ଦ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବ୍ରାଣ୍ଡ ମଧ୍ୟ ନିଜ ଉତ୍ପାଦରେ ଜଡ଼ିବୁଟିକୁ ଯୋଡ଼ୁଛନ୍ତି। ତେବେ କରୋନା ମହାମାରୀରୁ ବିୟୁଟି ବଜାରରେ ‘ଏ’ ବିୟୁଟି ବା ‘ଆୟୁର୍ବେଦ ବିୟୁଟି’ ର ଚାହିଦା ବଢ଼ିଛି। ଆୟୁର୍ବେଦ ସୌନ୍ଦର୍ଯ୍ୟର ମୂଳ ଉଦ୍ଦେଶ୍ୟ କ’ଣ, କାହିଁକି ଏହାକୁ ଲୋକେ ଆପଣାଉଛନ୍ତି ଏବଂ କେଉଁ ବ୍ରାଣ୍ଡ କି କି ପ୍ରକାର ପ୍ରସାଧନ ସାମଗ୍ରୀ ଯୋଗାଉଛନ୍ତି, ତାହାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

କେଶ ଓ ଶରୀର ସୁରକ୍ଷାରେ ଆୟୁର୍ବେଦ
ଆୟୁର୍ବେଦ ତ୍ବଚା ସହ କେଶ ଉପରେ ବି ସମାନ ଗୁରୁତ୍ବ ଦେଇଥାଏ। କେଶ ପାଇଁ ଆୟୁର୍ବେଦର ଭୃଙ୍ଗାଦି ତେଲ, କ୍ଲିନ୍‌ଜର୍‌, କଣ୍ଡିସନର, ସାମ୍ପୁ ଥିବାେବଳେ ହେୟାର୍ ମାସ୍କ ମଧ୍ୟ ମିଳୁଛି। ଏସବୁ କେଶକୁ ମଜଭୁତ୍ ରଖିଥାଏ। ତା’ସହ କେଶ ରଙ୍ଗ ମଧ୍ୟ ମିଳୁଛି। କେଶ ରଙ୍ଗ ପାଇଁ ହେନା ଓ ଇଣ୍ଡିଗୋ ରଙ୍ଗ ଅଛି।

ବଡି କେୟାର୍‌ ପାଇଁ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର ସାମଗ୍ରୀ ରହିଛି । ବଡି ମସାଜ୍‌ ଅଏଲ୍‌, ବଡି ମଏଶ୍ଚରାଇଜର, ନିମ୍ବ ତେଲ, ନଡ଼ିଆ ତେଲ, ଆଲମଣ୍ଡ ତେଲ, ସିଆ ଲୋଟସ ବଡ଼ି ବଟର ଭଲ କାମ ଦେଇଥାଏ। ଚନ୍ଦନ, ହଳଦି, ନିମ୍ବ ଆଦି ଗୁଣବତ୍ତାର ବିଭିନ୍ନ ସାବୁନ୍ ମଧ୍ୟ ଅଛି। ଫରେଷ୍ଟ ଏସେନ୍‌ସିଆଲ୍‌ର ଗୋଲାପ ଜଳ, ହାଇଡ୍ରେଟିଂ ସିଲ୍କ ସାବୁନ୍‌, ସୌନ୍ଦର୍ଯ୍ୟା ଇଲୁମିନେଟିଂ ସିଲ୍କ ସାବୁନ୍‌, କ୍ଲିୟର୍ ସୁଗାର୍ ସୋପ୍ ଥିବା ବେଳେ ଭେଲ୍‌ଭେଟ୍‌ ସିଲ୍କ ବଡି କ୍ରିମ୍, ବଡି ଲୋସନ, ଆଲୋଭେରା ଜୁସ୍ ଆଣ୍ଡ ମେକ୍ଅପ୍ ରିମୁଭର, ସାୱାର ୱାସ ଅଛି। ଏପରିକି ଭିନ୍ନ ଭିନ୍ନ ଫ୍ଲେଭର୍‌ର ପାଉଡର୍‌ ଏବଂ ଷ୍ଟ୍ରେଚ୍ ମାର୍କ ଦୂର ପାଇଁ ତେଲ ବି ମିଳୁଛି। ଅନ୍ୟପକ୍ଷରେ ‘କାମା ଆୟୁର୍ବେଦ’ ଏବଂ ‘ଫରେଷ୍ଟ ଏସେନ୍‌ସିଆଲ୍‌’ ଅନେକ ବିୟୁଟି ତଥା ବଡି କେୟାର୍ ପ୍ରଡକ୍ଟ ନାମୀ ହୋଟେଲମାନଙ୍କୁ ଯୋଗାଉଛନ୍ତି।

ଫେରିଛି ପ୍ରାଚୀନ ଉପଚାର
ଆୟୁର୍ବେଦ ଅନୁସାରେ, ସୌନ୍ଦର୍ଯ୍ୟର ତିନିଟି ଗୁଣ ହେଲା ‘ରୂପମ’, ‘ଗୁଣମ୍‌’ (ଆଭ୍ୟନ୍ତରୀଣ ସୌନ୍ଦର୍ଯ୍ୟ), ‘ବୟସତ୍ୟାଗ’ (ସ୍ଥାୟୀ ସୌନ୍ଦର୍ଯ୍ୟ)। ଏଣୁ ତ୍ବଚା ହେଉଛି ଏହି ତିନି ସୌନ୍ଦର୍ଯ୍ୟର ସୂଚକ। ବଜାରରେ ଉପଲବ୍ଧ ଥିବା ବିଭିନ୍ନ ପ୍ରସାଧନ ସାମଗ୍ରୀରେ କ୍ଷତିକାରକ ରସାୟନିକ ଭାଗ ରହୁଥିବାରୁ ଆଜିକାଲି ଲୋକେ ପାରମ୍ପରିକ ଆୟୁର୍ବେଦ ଉପଚାରକୁ ଗୁରୁତ୍ୱ ଦେଉଛନ୍ତି। ଏକଦା ଏହାର ଉପଯୋଗ ରୋଗ ନିବାରଣ କ୍ଷେତ୍ରରେ ସୀମିତ ଥିବା ବେଳେ ଏବେ ଏହାର ପ୍ରଚଳନ ସୌନ୍ଦର୍ଯ୍ୟ ଉପଚାରରେ ବଢ଼ିଛି। ତେବେ ବିଭିନ୍ନ କମ୍ପାନୀ ନିଜ ପ୍ରସାଧନ ସାମଗ୍ରୀରେ ଜଡ଼ିବୁଟିକୁ ଯୋଡ଼ି ଏହି ପ୍ରାଚୀନ ସୌନ୍ଦର୍ଯ୍ୟ ଉପଚାରକୁ ଫେରାଇବାକୁ ପ୍ରୟାସ କରିଛନ୍ତି।

ପରିବେଶ ଅନୁକୂଳ
ଆୟୁର୍ବେଦ ଶରୀର ସହ ପରିବେଶ ସୁରକ୍ଷା ଉପରେ ସମାନ ଗୁରୁତ୍ୱ ଦେଇଥାଏ। ହର୍ବାଲ୍‌ ସାମଗ୍ରୀ ପାଇଁ ଆବଶ୍ୟକ କଞ୍ଚାମାଲ ପ୍ରକୃତିରୁ ମିଳିଥାଏ। ସେଥିପାଇଁ ଗବେଷଣାଗାରରେ ଏହାର ପ୍ରସ୍ତୁତି ଲାଗି କୌଣସି ପ୍ରକାର ରସାୟନିକ ସାମଗ୍ରୀ ଲୋଡ଼ା ହୁଏ ନାହିଁ। ଏଣୁ ଏହା ପରିବେଶ ଉପରେ କୌଣସି ପ୍ରଭାବ ପକାଇ ନ ଥାଏ। ସେହିପରି ଆୟୁର୍ବେଦ ଉତ୍ପାଦ ପ୍ରସ୍ତୁତ କରୁଥିବା ବିଭିନ୍ନ କମ୍ପାନୀ ପ୍ୟାକେଜିଂକୁ ପରିବେଶ ଅନୁକୂଳ କରିଥାଏ। ଇକୋଫ୍ରେଣ୍ଡଲି ତରିକାରେ ସେମାନେ କାଗଜ ଆଦି ଉପଯୋଗରେ ଜିନିଷ ପ୍ୟାକେଜିଂ କରିଥାନ୍ତି ।

ଗୁଣବତ୍ତା ପାଇଁ ‘କାମା ଆୟୁର୍ବେଦ’
‘କାମା ଆୟୁର୍ବେଦ’ ତା’ର ଗୁଣବତ୍ତା, ସରଳ ଉତ୍ପାଦ ଓ ପ୍ରଭାବୀ ପରିଣାମ ଲାଗି ପରିଚିତ। ଭାରତ ତଥା ବିଦେଶରେ ଏହାର ସାମଗ୍ରୀର ଯଥେଷ୍ଟ ଚାହିଦା ଥିବାବେଳେ ଭୁବନେଶ୍ବରର ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ରେ ‘କାମା ଆୟୁର୍ବେଦ’ର ଗୋଟିଏ ଷ୍ଟୋର୍‌ ଅଛି। ଯାହାକି ତ୍ବଚା, ଶରୀର, କେଶ ଆଦିର ଉପଯୁକ୍ତ ଯତ୍ନ ନେବାର ଏକ ସୁନ୍ଦର ସୌନ୍ଦର୍ଯ୍ୟ ଶୃଙ୍ଖଳା ପ୍ରଦାନ କରେ। କୃତ୍ରିମ ରଙ୍ଗ, ସୁଗନ୍ଧ ଓ ପାରାବିନ୍‌ ଭଳି କୌଣସି ରସାୟନ ଏହି ବ୍ରାଣ୍ଡ ବ୍ୟବହାର କରି ନ ଥାଏ । ସବୁଦିନ ୧୭-୨୦ ଜଣ ଗ୍ରାହକ ଏହି ଷ୍ଟୋର୍‌ରୁ ଜିନିଷ କିଣୁଥିବା ବେଳେ ପ୍ରତିଦିନ କିଛି ନା କିଛି ଅଫର୍‌ ଏହା ଗ୍ରାହକଙ୍କୁ ପ୍ରଦାନ କରିଥାଏ। କାମା ଆୟୁର୍ବେଦ ଉତ୍ପାଦଗୁଡ଼ିକ ଦାମ୍‌ ୫୦୦ ଟଙ୍କାରୁ ଆରମ୍ଭ କରି ୪୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।

କୁମ୍‌କୁମାଦିର ଅଛି ଏକାଧିକ ସାମଗ୍ରୀ
କୁମ୍‌କୁମାଦିର ପ୍ରତ୍ୟେକ ସାମଗ୍ରୀରେ କେଶର ହେଉଛି ମୁଖ୍ୟ ଉପାଦାନ। ଏଣୁ ଏହାକୁ ଲୋକେ ବେଶି ପସନ୍ଦ କରନ୍ତି। କେଶର ଯୋଗୁଁ କୁମ୍‌କୁମାଦିର ସମସ୍ତ ଜିନିଷର ଦାମ୍‌ ଥାଏ ଅଧିକ। କୁମ୍‌କୁମାଦିର ବିଭିନ୍ନ ଉତ୍ପାଦ ମୁହଁକୁ ସୁସ୍ଥ ଓ ସୁନ୍ଦର ରଖିଥାଏ। ବିଶେଷକରି କୁମ୍‌କୁମାଦି ତୈଳ ତ୍ବଚାକୁ ଉଜ୍ଜ୍ବଳ, କୋମଳ ରଖିବା ସହ ତ୍ବଚା ରଙ୍ଗରେ ପରିବର୍ତ୍ତନ ଆଣେ। ‘ଫରେଷ୍ଟ ଏସେନ୍‌ସିଆଲ୍‌’ ଭଳି ବିଭିନ୍ନ ଆୟୁର୍ବେଦ ବ୍ରାଣ୍ଡର କୁମ୍‌କୁମାଦି ସାମଗ୍ରୀ ଥିବାବେଳେ ‘କାମା ଆୟୁର୍ବେଦ’ର କୁମ୍‌କୁମାଦି ଉପରେ ବିଶେଷ ଶୃଙ୍ଖଳା ଉପଲବ୍ଧ। କୁମ୍‌କୁମାଦିର ନାଇଟ୍ କ୍ରିମ୍‌, ସିରମ୍‌, ଫେସ୍ ସ୍କ୍ରବ୍, କ୍ଲିନ୍‌ଜିଂ ଅଏଲ୍, ଡେ’ କ୍ରିମ୍‌ ଅଛି ।

ନାଇଟ୍‌ କ୍ରିମ୍‌ ଓ ଗୋଲାପ ଜଳ ବିକ୍ରି ଅଧିକ
‘କାମା ଆୟୁର୍ବେଦ’ର ନାଇଟ୍‌ କ୍ରିମ୍‌, ଗୋଲାପ ଜଳ, ଆଣ୍ଟି ଆକ୍‌ନେ ଫେସ୍‌ ପ୍ୟାକ୍‌ ଅଧିକ ବ୍ରିକି ହୋଇଥାଏ। କିଶୋରୀମାନେ ଏସବୁ ଜିନିଷକୁ ବେଶି କିଣିଥାନ୍ତି। କନୌଜର ସବୁଠୁ ଭଲ ଗୋଲାପ ପାଖୁଡ଼ାରୁ ଏହି ବ୍ରାଣ୍ଡ ଗୋଲାପ ଜଳ ତିଆରି କରିଥାଏ। ଯାହାକି ତ୍ବଚାର ପିଏଚ୍‌ ସ୍ତରକୁ ଠିକ୍‌ ରଖିବାରେ ସାହାଯ୍ୟ କରେ। ଏବେ ଖରାଦିନେ ସନ୍‌ସ୍କ୍ରିନ୍‌ ମଧ୍ୟ ଅଧିକ ବିକ୍ରି ହେଉଛି। ଏହା ବାଦ୍ ଚନ୍ଦନ, ହଳଦି ଫେସ୍‌ପ୍ୟାକ୍‌କୁ ମଧ୍ୟ ଗ୍ରାହକ ବେଶି ପସନ୍ଦ କରୁଛନ୍ତି ।

ଅନ୍ୟ ଉତ୍ପାଦଠୁ ଭିନ୍ନ
ବଜାରରେ ବିଭିନ୍ନ ପ୍ରସାଧନ ସାମଗ୍ରୀ ତ୍ୱଚାକୁ ସୁନ୍ଦର ଓ ସୁସ୍ଥ ରଖିବା କଥା ଅନେକ ଦାବି କରନ୍ତି। ଏହି କଥା ଆୟୁର୍ବେଦ ମଧ୍ୟ ଦାବି କରେ । ତେବେ ଅନ୍ୟ ଉତ୍ପାଦଠାରୁ ଏହା କିଭଳି ଭିନ୍ନ, ମନରେ ପ୍ରଶ୍ନ ସୃଷ୍ଟି ହେବା ସ୍ବାଭାବିକ। ଆୟୁର୍ବେଦରେ ଭିନ୍ନ ଭିନ୍ନ ଜଡ଼ିବୁଟିରେ ବିଭିନ୍ନ ସୌନ୍ଦର୍ଯ୍ୟ ସମସ୍ୟାର ସମାଧାନ କରାଯାଏ । ଅର୍ଥାତ୍‌ ପ୍ରତ୍ୟେକ ଜଡ଼ିବୁଟିର ନିଜସ୍ୱ ମହତ୍ତ୍ୱ ଅଛି। କେମିକାଲ ପ୍ରଡକ୍ଟ ଅଳ୍ପ ଦିନରେ ସମସ୍ୟା ଠିକ୍‌ କରି ପୁଣି ଥରେ ସମସ୍ୟା ସୃଷ୍ଟି କରୁଥିବା ବେଳେ ଆୟୁର୍ବେଦରେ ଏଭଳି ଦେଖିବାକୁ ମିଳି ନ ଥାଏ। କାରଣ ଏହାର ଉତ୍ପାଦ ତ୍ୱଚାରେ ଅବଶୋଷଣ ହୋଇ ଭିତରକୁ ଯାଇଥାଏ। ତା’ସହ ହର୍ବାଲ ସାମଗ୍ରୀରେ ପାର୍ଶ୍ବପ୍ରତିକ୍ରିୟାର ଭୟ ନାହିଁ। ତେବେ ‘ଭିକୋ’ର ଚାହିଦା ବହୁ ପୂର୍ବରୁ ଥିବା ବେଳେ ‘ବାୟୋଟିକ୍‌’, ‘ଖଦି ନାଚୁରାଲ’, ‘ଜଷ୍ଟ୍‌ ହବର୍ସ’, ‘କାମା ଆୟୁର୍ବେଦ’, ‘ଫରେଷ୍ଟ ଏସେନସିଆଲ୍‌’ ଆଦି ବ୍ରାଣ୍ଡର ସାମଗ୍ରୀକୁ ଲୋକେ ଏବେ ଅଧିକ ପସନ୍ଦ କରୁଥିବା ଦେଖାଯାଏ।

ଚିନ୍ତା ଦୂର ପାଇଁ ‘ଡି ଷ୍ଟ୍ରେସ୍ ଥେରାପି’
ବ୍ୟସ୍ତତା ଭିତରେ ଆୟୁର୍ବେଦ ତେଲ ମାଧ୍ୟମରେ ଚିନ୍ତା ତଥା ଥକ୍କାପଣ ଦୂର କରି ଉଭୟ ଶାରୀରିକ ଓ ମାନସିକ ଶାନ୍ତି ପ୍ରଦାନ କରଛି। ସେଥିପାଇଁ ବିଭିନ୍ନ ପ୍ରକାର ଷ୍ଟ୍ରେସ୍‌ ଫ୍ରି ଅଏଲ୍‌ ଅଛି। ଏଥିପାଇଁ ‘କାମା ଆୟୁର୍ବେଦ’ର ସୁଗନ୍ଧିତ ତେଲ, ଜ୍ବାଳାମୁଖୀର ଚାହିଦା ଅଧିକ। ତା’ସହ ଏହା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଲାଘବ କରେ। ଫରେଷ୍ଟ ଏସେନ୍‌ସିଆଲର ଟ୍ରାନକୁଇଲ୍ ସ୍ଲିପ୍‌ ଏବଂ ଷ୍ଟ୍ରେସ ରିଲିଫ୍ ଗ୍ରାହକ ବେଶି ପସନ୍ଦ କରୁଛନ୍ତି। କାରଣ ଆୟୁର୍ବେଦର ଚନ୍ଦନ, ଜେରାନିୟମ, ନଟ୍ ମେଗ୍‌ ଏବଂ ଲାଭେଣ୍ଡର ସହିତ ଔଷଧୀୟ ତୈଳ ଦ୍ବାରା ପ୍ରସ୍ତୁତ ଏହି ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ମନ ଚିନ୍ତାମୁକ୍ତ ହୋଇଥାଏ ଓ ଭଲ ନିଦ ପ୍ରଦାନ କରିବାରେ ସାହାଯ୍ୟ କରେ।

ଚାହିଦାରେ ଉପହାର କିଟ୍
ବିଭିନ୍ନ କମ୍ପାନୀ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ‘ଗିଫ୍ଟ ବକ୍ସ’ ବା ଉପହାର ବାକ୍ସର ସୁବିଧା ରଖିଛି। ‘କାମା ଆୟୁର୍ବେଦ’ ହେଉ ଅବା ‘ଫରେଷ୍ଟ ଏସେନସିଆଲ’ ଭଳି ଅନ୍ୟ କମ୍ପାନୀ ମଧ୍ୟ ହେୟାର୍‌ କମ୍ବୋ, ରୋଜ୍ ଆଣ୍ଡ ଜସ୍ମିନ ୱାଟର୍‌, ପର୍‌ଫ୍ୟୁମ୍ , କେଶ ଓ ଚର୍ମ ପାଇଁ ଭିନ୍ନ ଆୟୁର୍ବେଦ ପ୍ରଡକ୍ଟର ଗିଫ୍ଟ ବକ୍ସ ଭେଟି ଦେଉଛନ୍ତି।

ପୁରୁଷଙ୍କ ପ୍ରଥମ ପସନ୍ଦ ସେଭିଂ କ୍ରିମ୍‌
ପୁରୁଷମାନଙ୍କ ପାଇଁ ଫରେଷ୍ଟ ଏସେନସିଆଲ୍‌ର ଦାଢ଼ି କାଟିବା ପୂର୍ବରୁ କ୍ରିମ୍, ସେଭିଂ କ୍ରିମ୍‌, ପ୍ରି- ସେଭ୍ ଅଏଲ୍‌, ଅଣ୍ଡର୍‌ ଆଇ ସିରମ୍‌ ଅଛି। ତୁଳସୀ, ଚନ୍ଦନ, ଘି-କୁଆଁରୀ ଆଦି ବ୍ୟବହାର ହୋଇଥିବାରୁ ପୁରୁଷଙ୍କ ତ୍ୱଚାକୁ ଥଣ୍ଡା ରଖିବା ସହ ଏହା ଟ୍ୟାନ୍‌ ଦୂର କରିଥାଏ। ଆଖି ପାଇଁ ଆଲୋଭେରା ରସ ଏବଂ ଔଷଧୀୟ ଗୁଳ୍ମରୁ ପ୍ରସ୍ତୁତ ସାମଗ୍ରୀ ରହିଛି। ଅନ୍ୟପକ୍ଷରେ ‘କାମା ଆୟୁର୍ବେଦ’ ପୁରୁଷଙ୍କ ପାଇଁ ଫେସ୍‌ ୱାଶ୍‌, ନାଇଟ୍ କ୍ରିମ୍‌, ସ୍କ୍ରବ୍, ଡେ’ କ୍ରିମ୍‌ର ସ୍ବତନ୍ତ୍ର ପ୍ରକାର ବିୟୁଟି ପ୍ରଡକ୍ଟ ରଖିଛି ।

ଯୁବପିଢ଼ିଙ୍କ ପସନ୍ଦ ଫର୍‌ଫ୍ୟୁମ୍
ବିଭିନ୍ନ ଆୟୁର୍ବେଦ ବ୍ରାଣ୍ଡର ଫର୍‌ଫ୍ୟୁମ୍‌ର ବିଭିନ୍ନ ଶୃଙ୍ଖଳା ଥିବା ବେେଳ ‘ଫରେଷ୍ଟ ଏସେନସିଆଲ୍‌’ର ଫର୍‌ଫ୍ୟୁମ୍ ପାଲଟିଛି ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ। ସମ୍ପୂର୍ଣ୍ଣ ଭାବେ ଏହାକୁ ଆୟୁର୍ବେଦ ପ୍ରଣାଳୀରେ ପ୍ରସ୍ତୁତ କରାଯାଉଥିବାରୁ ଏହା ଶତପ୍ରତିଶତ ଆଲକହଲ୍‌ ଫ୍ରି। ସେହିପରି ଏହାର ସୁଗନ୍ଧ ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ। ପାରିଜାତ, ରାତ୍ କି ରାନୀ, ନର୍ଗିସ୍‌, ଜସ୍ମିନ, ଦେଶୀ ଗୋଲାପ ଆଦି ବିଭିନ୍ନ ସୁଗନ୍ଧିତ ଫୁଲରୁ ପ୍ରସ୍ତୁତ ପରଫ୍ୟୁମ୍ ଉଭୟ ମହିଳା ଓ ପୁରୁଷ ବ୍ୟବହାର କରିବା ଯୋଗ୍ୟ।

ପ୍ରାକୃତିକ ଓ ଶୁଦ୍ଧ ବ୍ରାଣ୍ଡ ‘ଫରେଷ୍ଟ ଏସେନ୍‌ସିଆଲ୍‌’
ଏହି ବ୍ରାଣ୍ଡର ମୂଳ ମନ୍ତ୍ର ହେଉଛି, ଯଦି କୌଣସି ଜିନିଷ ଖାଇପାରିବା ନାହିଁ, ତାକୁ ମୁହଁରେ ଲଗାଇବା ମଧ୍ୟ ସମ୍ଭବ ନୁହେଁ। ଏଣୁ ଏହି ବ୍ରାଣ୍ଡ ହେଉଛି ଶୁଦ୍ଧ, ପ୍ରାକୃତିକ। ଏହି କାରଣ ଯୋଗୁଁ ଏହା ଏକାଧିକ ଲୋକଙ୍କ ପସନ୍ଦ। ସମଗ୍ର ଭାରତର ବିଭିନ୍ନ ସ୍ଥାନରେ ଏହାର ଶାଖା ଥିବାବେଳେ ଭୁବନେଶ୍ବରରେ ମୋଟ୍‌ ଦୁଇଟି ଦୋକାନ ରହିଛି। ତେବେ ରସୁଲଗଡ଼ସ୍ଥିତ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଥିବା ଫରେଷ୍ଟ ଏସେନ୍‌ସିଆଲ୍‌ ଷ୍ଟୋରରେ ସବୁ ବର୍ଗଙ୍କ ପାଇଁ ବିଭିନ୍ନ ସାମଗ୍ରୀ ଉପଲବ୍ଧ। ଏଠାରେ ତ୍ୱଚା, କେଶ, ହାତ, ଗୋଡ଼, ନଖ, ଆଖି ପାଇଁ ରହିଛି ସ୍ବତନ୍ତ୍ର କ୍ରିମ୍‌, ଲୋସନ୍‌, ସାମ୍ପୁ, ସ୍କ୍ରବ୍‌, କ୍ଲିନଜର୍‌, ଫେସ୍‌ ଲୋସନ ଭଳି ଏକାଧିକ ସୌନ୍ଦର୍ଯ୍ୟ ପ୍ରସାଧନ।

ବିଭିନ୍ନ ଫ୍ଲେଭର୍‌ର ଲିପ୍‌ବାମ
ଆୟୁର୍ବେଦ ପ୍ରଡକ୍ଟରେ ଓଠ ପାଇଁ ସ୍ୱତନ୍ତ୍ର ପ୍ରକାର ଲିପ୍‌ବାମ୍‌ ଅଛି। ‘କାମା ଆୟୁର୍ବେଦ’ରେ ରୋଜ୍‌, ଆଲମଣ୍ଡ, କୋକୋ, ମିଣ୍ଟ, ଭାନିଲା ପ୍ଲେଭରର ଲିପବାମ୍‌ ଥିବା ବେଳେ ଫରେଷ୍ଟ ଏସେନସିଆଲ୍‌ର ଲିପ୍ କ୍ରିମ୍‌, ଲିପ୍ ସ୍କ୍ରବ୍‌ ଆଦି ମିଳୁଛି।

About The Author: The Sakala