ଭଗବାନ ଯେବେ ସେବକ ସାଜନ୍ତି…

ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଚିରନ୍ତନ ଓ ଶାଶ୍ବତ। ଭକ୍ତର ଭକ୍ତି ରୂପକ ରଜ୍ଜୁରେ ଭଗବାନ ବନ୍ଧା। ଭକ୍ତଟିଏ ଭଗବାନଙ୍କଠାରେ ସଦା ଆନ୍ତରିକ ବିଶ୍ବାସ ଓ ଭକ୍ତି ରଖୁଥାଏ । ଠିକ୍ ସେହିଭଳି ଭଗବାନ ମଧ୍ୟ ଭକ୍ତର ଭାବଭକ୍ତିରେ ସଦାସର୍ବଦା ବନ୍ଧା। ଭକ୍ତର ଭକ୍ତି ଭଗବାନଙ୍କୁ ଟାଣିଆଣେ ବୈକୁଣ୍ଠରୁ ମର୍ତ୍ତ୍ୟମଣ୍ଡଳକୁ। ଏ ପ୍ରସଙ୍ଗରେ ଏକ କାହାଣୀ। ସନ୍ଥ ଏକନାଥଙ୍କ ଘରକୁ ଦିନେ ଜଣେ ଅପରିଚିତ ବ୍ୟକ୍ତି ଆସି ଖୁବ୍ ନମ୍ରତା ସହ ତାଙ୍କର ସେବା କରିବାକୁ ଅନୁରୋଧ […]

ଭକ୍ତ ଓ ଭଗବାନଙ୍କ ସମ୍ପର୍କ ଚିରନ୍ତନ ଓ ଶାଶ୍ବତ। ଭକ୍ତର ଭକ୍ତି ରୂପକ ରଜ୍ଜୁରେ ଭଗବାନ ବନ୍ଧା। ଭକ୍ତଟିଏ ଭଗବାନଙ୍କଠାରେ ସଦା ଆନ୍ତରିକ ବିଶ୍ବାସ ଓ ଭକ୍ତି ରଖୁଥାଏ । ଠିକ୍ ସେହିଭଳି ଭଗବାନ ମଧ୍ୟ ଭକ୍ତର ଭାବଭକ୍ତିରେ ସଦାସର୍ବଦା ବନ୍ଧା। ଭକ୍ତର ଭକ୍ତି ଭଗବାନଙ୍କୁ ଟାଣିଆଣେ ବୈକୁଣ୍ଠରୁ ମର୍ତ୍ତ୍ୟମଣ୍ଡଳକୁ। ଏ ପ୍ରସଙ୍ଗରେ ଏକ କାହାଣୀ। ସନ୍ଥ ଏକନାଥଙ୍କ ଘରକୁ ଦିନେ ଜଣେ ଅପରିଚିତ ବ୍ୟକ୍ତି ଆସି ଖୁବ୍ ନମ୍ରତା ସହ ତାଙ୍କର ସେବା କରିବାକୁ ଅନୁରୋଧ କଲେ। ସନ୍ଥ ଏକନାଥ ବ୍ୟକ୍ତିଟିର ସରଳତା ଦେଖି ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା କଲେ ଏବଂ ପ୍ରଶ୍ନ କଲେ, ତୁମେ କି’ଏ? ଘର କେଉଁଠି? ତୁମ ବାପା, ମା’ଙ୍କ ନାମ କ’ଣ? ବ୍ୟକ୍ତିଜଣଙ୍କ ଉତ୍ତର ଦେଲେ, ମୋ ନାମ ଶ୍ରୀଖଣ୍ଡ୍ୟ। ମହାରାଜ! ମୁ ଯେଉଁ ସ୍ଥାନ କୁ ଯାଏ, ମୁଁ ସେହି ସ୍ଥାନର ହୋଇଯାଏ। ଏମିତି ତ ମୋର କେହି ନାହାନ୍ତି, କିନ୍ତୁ ସମସ୍ତେ ମୋତେ ଆପଣାର ଲାଗନ୍ତି।

ସନ୍ଥ ଏକନାଥ ବ୍ୟକ୍ତିଟିର ନମ୍ରତା ଓ ପ୍ରେମଭାବ ଦେଖି ପ୍ରଭାବିତ ହେଲେ ଏବଂ ନିଜ ପାଖରେ ରଖିଲେ। ସେବା ନିଷ୍ଠା ଓ ଆନ୍ତରିକତା ଯୋଗୁ କିଛିଦିନ ମଧ୍ୟରେ ଶ୍ରୀଖଣ୍ଡ୍ୟ ଏକନାଥଙ୍କ ବିଶ୍ୱାସରପାତ୍ର ହୋଇଗଲେ। ଅପରପକ୍ଷରେ ଦ୍ବାରିକାର ଜଣେ ଭକ୍ତ ଭଗବାନଙ୍କ ଦର୍ଶନ ପାଇଁ ନିରନ୍ତର ସାଧନା କରୁଥା’ନ୍ତି। ଭକ୍ତଟିର ନିଷ୍ଠା ଦେଖି ଦେବୀ ରୁକ୍ମିଣୀ ଦିନେ ସ୍ବପ୍ନରେ ଆସି ପଚାରିଲେ,ପୁତ୍ର! ଏତେ କଠୋର ସାଧନା କ’ଣ ପାଇଁ? ଭକ୍ତଟି କହିଲେ ହେ ଦେବୀ! ମୁଁ ଶ୍ରୀହରିଙ୍କ ସାକ୍ଷାତ ଦର୍ଶନ କରିବାକୁ ଚାହୁଁଛି। ହେଲେ, ପୁତ୍ର! ପ୍ରଭୁ ଏବେ ବୈକୁଣ୍ଠଧାମରେ ନାହାନ୍ତି। ସେ ଏବେ ମର୍ତ୍ତ୍ୟରେ, ସନ୍ଥ ଏକନାଥଙ୍କ ଗୃହରେ ରହି ଶ୍ରୀଖଣ୍ଡ୍ୟ ଭାବେ ତାଙ୍କର ସେବା କରୁଛନ୍ତି। ଭକ୍ତଙ୍କର ନିଦ୍ରା ହଠାତ୍‌ ଭାଙ୍ଗିଗଲା। ସେ ସକାଳ ହେଉ ହେଉ ଏକନାଥଙ୍କ ନିକଟକୁ ଯିବାକୁ ବାହାରିଲେ। ଏକନାଥଙ୍କ ଘରେ ପହଞ୍ଚି ସେ ଦେଖିଲେ ଯେ, ଜଣେ ସେବକ ଝାଡ଼ୁ କରୁଛନ୍ତି।

ଘର ଭିତରକୁ ଯାଇ ସେ ଏକନାଥଙ୍କ ବନ୍ଦନା କରିବାକୁ ଲାଗିଲେ। ଏହାଶୁଣି ଏକନାଥ ବ୍ୟକ୍ତିଙ୍କର ପରିଚୟ ଲୋଡ଼ିଲେ। ବ୍ୟକ୍ତି ଜଣଙ୍କ କହିଲେ, ମୁଁ ଦ୍ବାରିକାରୁ ଆସିଛି। ମୋତେ ଟିକିଏ ଶ୍ରୀହରିଙ୍କ ଦର୍ଶନ କରାଇ ପାରିବେ? ସନ୍ଥ ଏକନାଥ କହିଲେ, ଶ୍ରୀହରି ତ ସମସ୍ତଙ୍କ ହୃଦୟରେ ବିରାଜମାନ। ତୁମେ ଏତେ କଷ୍ଟ କରି ଏତେ ବାଟ କାହିଁକି ଆସିଲ? ଏକନାଥଙ୍କ କଥାଶୁଣି ଭକ୍ତଜଣଙ୍କ କୁହନ୍ତି, ମହାରାଜ! ମୁଁ ଶ୍ରୀହରିଙ୍କ ସାକ୍ଷାତ ଦର୍ଶନ କରିବାକୁ ଚାହେଁ। ଯିଏ ଆପଣଙ୍କ ଘରେ ଆପଣଙ୍କ ସେବକ ରୂପେ ସେବା କରୁଛନ୍ତି। ଏଭଳି କଥାଶୁଣି ସନ୍ଥ ଏକନାଥ ଆଶ୍ଚର୍ଯ୍ୟଭାବେ ପ୍ରଶ୍ନ କଲେ, ଆପଣଙ୍କୁ ଏ କଥା କିଏ କହିଲା ? ବ୍ୟକ୍ତି ଜଣଙ୍କ ସେଦିନର ସମସ୍ତ ସ୍ବପ୍ନ ବୃତ୍ତାନ୍ତ ଶୁଣାଇଲେ।

ସମସ୍ତ କଥାଶୁଣି ଏକନାଥ ବ୍ୟାକୁଳଭାବେ ଡାକିବାକୁ ଲାଗିଲେ, ଶ୍ରୀଖଣ୍ଡ୍ୟ! ଶ୍ରୀଖଣ୍ଡ୍ୟ! ମୋର ଭୁଲ୍‌ ହୋଇ ଯାଇଛି, ମୋତେ କ୍ଷମା କରି ଦିଅ। ହେ ନାରାୟଣ! ମୁଁ ଅଧମ ଆପଣଙ୍କୁ ଚିହ୍ନି ପାରିଲି ନାହିଁ। ହଠାତ୍ ସୌମ୍ୟ ମନୋହର ରୂପରେ ଶ୍ରୀବିଷ୍ଣୁ ଆବିର୍ଭାବ ହୋଇ ସାନ୍ତ୍ବନା ଦେଇ କହିଲେ, ହେ ଭକ୍ତ ଶ୍ରେଷ୍ଠ! ସନ୍ଥମାନଙ୍କ ସେବା କଲେ ମୋତେ ଖୁବ୍ ଆନନ୍ଦ ମିଳେ। ମୁଁ ଯଦି ପ୍ରକୃତ ସ୍ୱରୂପରେ ଆସିଥାନ୍ତି,ତୁମେ କ’ଣ ମୋତେ ସେବା କରିବାକୁ ସୁଯୋଗ ଦେଇଥାନ୍ତ ? ମୁଁ ତୁମ ସେବା କରି ଧନ୍ୟ ହୋଇଛି। ତୁମର କଲ୍ୟାଣ ହେଉ।

About The Author: The Sakala