ସାମ୍ପ୍ରତିକ ସମୟରେ ଯୁବପିଢ଼ିଙ୍କ ଜୀବନଶୈଳୀରେ ଏକ ବଡ଼ ଏବଂ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ବିଭିନ୍ନ ସ୍ୱାସ୍ଥ୍ୟ ରିପୋର୍ଟ ଏବଂ ଅଧ୍ୟୟନ ଅନୁଯାୟୀ, ୪୦ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରେ ମଦ୍ୟପାନ କରିବା ପ୍ରବୃତ୍ତି ଯଥେଷ୍ଟ ମାତ୍ରାରେ ହ୍ରାସ ପାଇବାରେ ଲାଗିଛି। ପୂର୍ବ ଅପେକ୍ଷା ଆଜିକାଲିର ଯୁବବର୍ଗ ନିଜ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତି ପ୍ରତି ଅଧିକ ସଚେତନ ହେଉଥିବା ଜଣାପଡିଛି।
ଯୁବପିଢ଼ିଙ୍କ ମଧ୍ୟରେ ସକାରାତ୍ମକ ପରିବର୍ତ୍ତନ
ବିଶେଷକରି ଜେନ୍-ଜି (Gen-Z) ଏବଂ ମିଲେନିଆଲ୍ସ (Millennials) ମାନଙ୍କ ମଧ୍ୟରେ ମଦ୍ୟପାନ ଛାଡିବାର ଏକ ନୂଆ ଧାରା ଆରମ୍ଭ ହୋଇଛି। ପୂର୍ବ ପିଢ଼ିଙ୍କ ତୁଳନାରେ ଏହି ବର୍ଗର ଯୁବକଯୁବତୀମାନେ ନିଶାଦ୍ରବ୍ୟଠାରୁ ନିଜକୁ ଦୂରେଇ ରଖିବାକୁ ଅଧିକ ପସନ୍ଦ କରୁଛନ୍ତି। ଗବେଷକମାନଙ୍କ ମତରେ, ଏହା କେବଳ ଏକ ସାମୟିକ ପରିବର୍ତ୍ତନ ନୁହେଁ, ବରଂ ଏକ ଦୀର୍ଘସ୍ଥାୟୀ ସାଂସ୍କୃତିକ ପରିବର୍ତ୍ତନ ଯାହା ଭବିଷ୍ୟତରେ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ସୁଧାର ଆଣିବ।
ମାନସିକ ଚାପ ଏବଂ ମଦ୍ୟପାନର ସମ୍ପର୍କ
ଅନେକ ସମୟରେ ଲୋକମାନେ ନିଜର ମାନସିକ ଚାପ (Mental Stress) କମ୍ କରିବା ପାଇଁ ମଦ୍ୟପାନର ସାହାରା ନେଇଥାନ୍ତି। କିନ୍ତୁ ଆଜିର ଯୁବପିଢ଼ି ବୁଝିପାରିଛନ୍ତି ଯେ, ମଦ୍ୟପାନ ଦ୍ୱାରା ମାନସିକ ଚାପ କମିବା ପରିବର୍ତ୍ତେ ବଢ଼ିଥାଏ। ଅତ୍ୟଧିକ ମଦ୍ୟପାନ ଶରୀରରେ କର୍ଟିସୋଲ୍ (Cortisol) ଭଳି ଷ୍ଟ୍ରେସ୍ ହରମୋନ୍ ସ୍ତର ବୃଦ୍ଧି କରିଥାଏ, ଯାହା ଚିନ୍ତା ଏବଂ ଅବସାଦର କାରଣ ସାଜିଥାଏ। ତେଣୁ ଚାପମୁକ୍ତ ରହିବା ପାଇଁ ଯୁବବର୍ଗ ମଦ ପିଇବା ବଦଳରେ ଯୋଗ, ଧ୍ୟାନ (Meditation) ଏବଂ ଉତ୍ତମ ଜୀବନଶୈଳୀ ଆପଣାଉଛନ୍ତି। ଏହାଦ୍ୱାରା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆସୁଥିବା ଦେଖିବାକୁ ମିଳୁଛି।
ସ୍ୱାସ୍ଥ୍ୟ ଉପରେ ସକାରାତ୍ମକ ପ୍ରଭାବ
୪୦ ବର୍ଷ ବୟସ ପୂର୍ବରୁ ମଦ୍ୟପାନ ଛାଡିବା ଦ୍ୱାରା ଶରୀରରେ ଅନେକ ସକାରାତ୍ମକ ପ୍ରଭାବ ପଡିଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ, ମଦ୍ୟପାନରୁ ଦୂରେଇ ରହିବା ଦ୍ୱାରା ଶରୀରର ମେଟାବୋଲିଜିମ୍ ସଠିକ୍ ରହିଥାଏ ଏବଂ ବଢ଼ୁଥିବା ଓଜନ କିମ୍ବା ପେଟ ଚର୍ବି (Belly Fat) ନିୟନ୍ତ୍ରଣରେ ରହିଥାଏ। ଏଥିସହ ମଧ୍ୟ ବୟସରେ ହେବାକୁ ଥିବା ସ୍ମୃତି ଶକ୍ତି ହ୍ରାସ, ହୃଦରୋଗ ଏବଂ ଅନ୍ୟାନ୍ୟ ଗମ୍ଭୀର ରୋଗର ଆଶଙ୍କା ମଧ୍ୟ କମିଯାଏ। ମୋଟାମୋଟି ଭାବେ କହିବାକୁ ଗଲେ, ସୁସ୍ଥ ଶରୀର ଏବଂ ଶାନ୍ତ ମନ ପାଇଁ ଯୁବପିଢ଼ିଙ୍କ ଏହି ନିଷ୍ପତ୍ତି ଅତ୍ୟନ୍ତ ପ୍ରଶଂସନୀୟ ଅଟେ।