ଭୁବନେଶ୍ୱର: ଜାନୁଆରୀ ଶେଷ ଯାଏଁ ପିଛା ଛାଡିବନି ଘନ କୁହୁଡି । ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାକୁ ଘନ କୁହୁଡି ହେବା ନେଇ ସତର୍କତା ଜାରି କରାଯାଇଛି । ତେବେ ଆସନ୍ତା ୨୪ ଘଣ୍ଟା ଯାଏଁ ଘନ କୁହୁଡି ନେଇ ରାଜ୍ୟର ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ହୋଇଛି । କେନ୍ଦୁଝର, ଭଦ୍ରକ, ଯାଜପୁର, କଟକ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତିକୁ ଏହି ସତର୍କତା ଜାରି କରାଯାଇଛି ।
ସେହିପରି ୨୯ରେ ଘନ କୁହୁଡି ନେଇ ୧୪ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଏବଂ ଗଜପତିକୁ ୟେଲୋ ଆଲର୍ଟ ଜାରି । ଏହି ସବୁ ଜିଲ୍ଲାରେ ୫୦ ମିଟର ତଳକୁ ଭିଜିବିଲିଟି ରହିବ ବୋଲି ଅନୁମାନ କରାଯାଇଛି । କିଛି ସ୍ଥାନରେ ଜିରୋ ଭିଜିବିଲିଟି ମଧ୍ୟ ଅନୁଭୁତ ହେବା ନେଇ ସମ୍ଭାବନା ରହିଛି । ଘନ କୁହୁଡି ସମୟରେ ଘାଟି ରାସ୍ତାରେ ଗାଡି ନ ଚଳାଇବା ପାଇଁ ପରାମର୍ଶ ଦିଆଯାଇଛି । ରାତି ୨ଟାରୁ ସକାଳ ୯ ଟା ପର୍ଯ୍ୟନ୍ତ ସତର୍କତାର ସହ ଗାଡି ଚଳାଇବାକୁ ପରାମର୍ଶ ଦିଆଯାଇଛି । ସେପଟେ ଘନ କୁହୁଡି ସହ ବଢିବ ଦିନର ତାପମାତ୍ରା । ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ବୋଲି ଆକଳନ କରିଛି ପାଣିପାଗ ବିଭାଗ ।