ବରଗଡ଼: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ଭାବରେ ପରିଚିତ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟିତ ହେବ। ଚଳିତବର୍ଷ ହୀରକ ଜୟନ୍ତୀ (୭୫ ବର୍ଷ ପୂର୍ତ୍ତି) ପାଳନ କରୁଥିବା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ସମଗ୍ର ସହର ଚଳଚଞ୍ଚଳ ହୋଇପଡ଼ିଛି। ଧନୁଯାତ୍ରା ପାଇଁ ସହର ସାରା ଉଜ୍ବଳ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସେହିପରି ସହରର ବିଭିନ୍ନ କାନ୍ଥରେ ଐତିହାସିକ ତଥା ପୌରାଣିକ ଚିତ୍ରଗୁଡିକ ସ୍ଥାନୀତ କରାଯାଇଛି। ମଙ୍ଗଳବାର ଅପରାହ୍ନ ୨ ଟାରେ ଏକ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ପୀଠରେ ପହଞ୍ଚିବ। ସେଠାରେ ଯାତ୍ରାର ସଫଳତା ନେଇ ପୂଜାର୍ଚ୍ଚନା କରାଯିବା ପରେ ସେହି ଶୋଭାଯାତ୍ରା ହାଟପଦାସ୍ଥିତ ରାଜଦରବାରକୁ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।
ଶୋଭାଯାତ୍ରା ରାଜଦରବାରରେ ପହଞ୍ଚିବା ପରେ ଆନୁଷ୍ଠାନିକ ଭାବରେ ବରଗଡ଼ ଧନୁଯାତ୍ରା ଉଦଘାଟି୍ତ ହେବ। ପରମ୍ପରା ଅନୁସାରେ ବରଗଡ଼ ଲୋକସଭା ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ ଅତିଥି ଭାବରେ ଯୋଗଦେଇ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାକୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଲୋକସଭା ସାଂସଦ ପୂଜାରୀ, ଏବଂ ବିଧାୟକ ଆଚାର୍ଯ୍ୟ ଯୋଗଦେଇ ହୀରକ ଜୟନ୍ତୀ ଧନୁଯାତ୍ରା ମହୋତ୍ସବକୁ ଉଦଘାଟନ କରିବେ ବୋଲି ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ୱର ଶତପଥୀ ଜଣାଇଥିବା ବେଳେ ସହ ଜିଲ୍ଲାର ସମସ୍ତ ବିଧାୟକ ତଥା ମନ୍ତ୍ରୀଙ୍କୁ ଧନୁଯାତ୍ରା ପାଇଁ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି।
ଧନୁଯାତ୍ରା ଅବସରରେ ବରଗଡ଼ ସହର ମଥୁରା ନଗରୀ , ଅମ୍ବାପାଲି ଗୋପପୁର ଏବଂ ଜୀରା ନଦୀ ପୁରାଣ ବର୍ଣ୍ଣିତ ଯମୁନା ନଦୀ ଭାବରେ ରୁପାନ୍ତରିତ ହୋଇଯାଉଥିବା ବେଳେ ସହରର ସମସ୍ତ ଜନସାଧାରଣ ମଥୁରା ନଗରୀର ଜଣେ ଜଣେ ପ୍ରଜା ଭାବରେ ପରିଗଣିତ ହୋଇଥାନ୍ତି। ବରଗଡ଼ ସହରର ସାତ କିଲୋମିଟର ପରିଧି ମଧ୍ୟରେ ଭିନ୍ନ ଭିନ୍ନ ୧୪ ଟି ମୁକ୍ତାକାଶ ମଞ୍ଚରେ ଅଭିନୀତ ହେଉଥିବା ବେଳେ ହାଟପଦାଠାରେ ମହାରାଜା କଂସଙ୍କ ସୁଉଚ୍ଚ ରାଜ ଦରବାର କାର୍ଯ୍ୟ ଶେଷ ହୋଇଯାଇଛି। ଅନୁରୂପ ଭାବେ ଲୋକ ମଣ୍ଡପ ପଡ଼ିଆଠାରେ ଚାଲିଥିବା ମହାରାଜା କଂସଙ୍କ ରଙ୍ଗମହଲ ଏବଂ ଗୋପପୁରରେ ନନ୍ଦ ଦରବାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଚଳିତବର୍ଷ ମହାରାଜା କଂସଙ୍କ ରାଜ ଦରବାରର ଉଚ୍ଚତା ୪୨ ଫୁଟ ଥିବାବେଳେ ଏହାର ଲମ୍ବ ପ୍ରାୟ ୧୨୦ ଫୁଟ ରହିଥିବାର ଜଣାପଡ଼ିଛି। ସେହିପରି ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୧୫୦ ରୁ ଊର୍ଦ୍ଧ୍ବ ନୃତ୍ୟ ଦଳ ବିଭିନ୍ନ ଦିନରେ ରାଜ ଦରବାର, ରଙ୍ଗମହଲ ତଥା ନନ୍ଦ ଦରବାରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଚୂଡ଼ାନ୍ତ ହୋଇଛି। ତେବେ ଯାତ୍ରା ପାଇଁ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହିଞ୍ଚିଥିବା ବେଳେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ସହର ବିଭିନ୍ନ ସ୍ଥାନରେ ତୋରଣ ଲଗାଯାଇଛି। ଅନ୍ୟ ପକ୍ଷରେ ଜର୍ଜ ହାଇସ୍କୁଲ ପଡ଼ିଆ ଏବଂ ଜୀରା ନଦୀ କୂଳରେ ମୀନାବଜାର , ଓରମାସ୍, ପଲ୍ଲୀଶ୍ରୀ ମେଳା, ଟ୍ରେଡ୍ ଫେୟାର ତଥା ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର କାର୍ଯ୍ୟ ଜୋରସୋରରେ ନିର୍ମାଣ ଚାଲିଛି।
ଚିଚୋଲି ଗ୍ରାମର ହୃଷୀକେଶ ଭୋଇ ପୁଣି ଥରେ ଚଳିତବର୍ଷ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅବତୀଣ୍ଣ ହେଉଛନ୍ତି। ସେହିପରି କୃଷ୍ଣ ବଳରାମ ଭୂମିକାରେ ଅଭିନୟ କରୁଥିବା ସମ୍ରାଟ ମହାପାତ୍ର ଓ କିଶନ କୁମାର ବିର୍ତ୍ତିଆଙ୍କ ସମେତ ରାଧା ବୈଷ୍ଣବୀ ଅଭିନୟ କରୁଛନ୍ତି। ଚଳିତବର୍ଷ ବରଗଡ଼ ଧନୁଯାତ୍ରା ୭୫ ବର୍ଷ ପୂର୍ତ୍ତି ହୀରକ ଜୟନ୍ତୀ ପାଳନ କରୁଥିବା ବେଳେ ଏହା ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୬ ତାରିଖରେ ଉଦଯାପିତ ହେବ। ୧୧ ଦିନ ଅନୁଷ୍ଠିତ ହେଉଥିବା ଏହି ଧନୁଯାତ୍ରାରେ କୃଷ୍ଣ ଜନ୍ମଠାରୁ କଂସ ବଧ ପର୍ଯ୍ୟନ୍ତ ବିଭିନ୍ନ ଦୃଶ୍ୟ ଖୋଲାମଞ୍ଚରେ ଅଭିନୀତ ହୋଇଥାଏ। ଉଦଘାଟନୀ ସଂଧ୍ୟାରେ ଉଗ୍ରସେନଙ୍କ ନିର୍ଦ୍ଦେଶରେ ଦେବକୀ ବସୁଦେବଙ୍କ ବିବାହ, ଦୈବବାଣୀ, ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ ତଥା ଦେବକୀ-ବସୁଦେବଙ୍କୁ କାରାଗାର ପ୍ରେରଣ ଦୃଶ୍ୟ ଅଭିନୀତ ହେବ।
ବରଗଡ଼ ଧନୁଯାତ୍ରାର କୌଣସି ପାଣ୍ଡୁଲିପି ନ ଥିବା ବେଳେ ମହାଭାରତ, ହରିବଂଶ ପୁରାଣ, ଶ୍ରୀମଦ୍ ଭାଗବତ ଗୀତା ଆଦିର ପୌରାଣିକ କଥାବସ୍ତୁକୁ ଆଧାର କରି ବରଗଡ଼ ଧନୁଯାତ୍ରାର ବିଭିନ୍ନ ଦୃଶ୍ୟ ଅଭିନୀତ ହୋଇଥାଏ ବୋଲି ନାଟ୍ୟ ନିର୍ଦ୍ଦେଶକ ଅଶୋକ ବେହେରା କହିଛନ୍ତି। ସେହିପରି ଚଳିତବର୍ଷ ବରଗଡ଼ ଧନୁଯାତ୍ରାର ଅନ୍ୟାନ୍ୟ ଭୂମିକାରେ ମହାମନ୍ତ୍ରୀ ଅକୃର ଜଗନ୍ନାଥ ସାହୁ , ଉଗ୍ରସେନ ଆର୍ତ୍ତତ୍ରାଣ ମହାପାତ୍ର, ମହାମନ୍ତ୍ରୀ ଗୋଲାପ ଚନ୍ଦ୍ର ଦାଶ , ଗର୍ଗ ମୁନି ଅଇଁଠୁ ସାହୁ , ବସୁଦେବ ମନୋଜ କୁମାର ସାହୁ , ଦେବକୀ କନକ ଡନସେନା ଚୌଧୁରୀ, ମୁଖ୍ୟ ସେନାପତି ଦୟାନନ୍ଦ ମାଝୀ , ଚାଣୁର ମୁନେଶଚାନ୍ଦ ଆଚାର୍ଯ୍ୟ , ମୁଷ୍ଟିକ ସୂର୍ଯ୍ୟ ପ୍ରକାଶ କର୍ଣ୍ଣ, ସେନାପତି ଚନ୍ଦ୍ରକେତୁ ସଂଗ୍ରାମ ଦେହୁରୀ, ସାତ୍ୟକି ସେବାନନ୍ଦ ନାୟକ, ନାରଦ ଲିଙ୍ଗରାଜ ଦାଶ ପ୍ରମୁଖ ଅଭିନୟ କରୁଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଯାତ୍ରାରେ ଲକ୍ଷାଧିକ ଦର୍ଶକଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।