ଭୁବନେଶ୍ୱର : ୧୯୯୯ ମସିହାର ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ଅନେକ ପରିବର୍ତ୍ତନ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଘଟିଥିବା ରୂପାନ୍ତରଣ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ବିଭିନ୍ନ ଦେଶକୁ ସହଯୋଗ ପ୍ରଦାନ କରୁଥିବା ବିଶ୍ୱବ୍ୟାଙ୍କ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁୁ ସ୍ୱୀକୃତି ଦେବା ସହ ନିଜ ଏକ ପ୍ରେରଣାଦାୟୀ ଉଦାହରଣ ଭାବରେ ନିଜ ୱେବସାଇଟ୍ରେ ପ୍ରକାଶ କରିଛି। ବିଶ୍ୱବ୍ୟାଙ୍କ ୱେବ୍ସାଇଟ୍ରେ ପ୍ରକାଶ ପାଇଥିବା ଏକ ଆଲେଖ୍ୟରେ ଓଡ଼ିଶାର ସମ୍ପୂର୍ଣ୍ଣ ଯାତ୍ରା ସମ୍ପର୍କରେ ଉଲ୍ଲେଖ କରାଯାଇଛି।
ପ୍ରକାଶିତ ରିପୋର୍ଟ ଅନୁସାରେ, ଓଡ଼ିଶାର ଅଣ୍ଟା ଭାଙ୍ଗିଦେଇଥିବା ୧୯୯୯ ମସିହାର ବିଧ୍ୱଂସୀ ମହାବାତ୍ୟାକୁ ପଚିଶ ବର୍ଷ ବିତିଗଲାଣି। ଏହି ମହାବାତ୍ୟା ୧୦ ହଜାରରୁ ଅଧିକ ମୂଲ୍ୟବାନ ଜୀବନ ନେଇଥିବାବେଳେ ପ୍ରାୟ ୧୮ ନିୟୁତ ଲୋକ ପ୍ରଭାବିତ ହୋଇଥିଲେ। ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ଓଡ଼ିଶାର ଅର୍ଥନୀତି। କିନ୍ତୁ ଏଥିରେ ଭାଙ୍ଗି ନ ପଡ଼ି ପୁନଃନିର୍ମାଣରେ ବ୍ରତୀ ହୋଇ ଓଡ଼ିଶା ରାଜ୍ୟବାସୀଙ୍କୁ ଭବିଷ୍ୟତର ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ କେବଳ ସଙ୍କଳ୍ପ ନେଇନାହିଁ, ବରଂ ‘ଶୂନ ଜୀବନ ହାନୀ’ ନୀତିକୁ ଆଧାର କରି ବିପର୍ଯ୍ୟୟ ପରିଚାଳନାରେ ଏକ ବିଶ୍ୱସ୍ତରୀୟ ଉଦାହରଣ ସୃଷ୍ଟି କରିଛି। ୨୦୧୩ରେ ଆସିଥିବା ବାତ୍ୟା ଫାଇଲିନ୍ ଉପକୂଳରେ ମାଡ଼ ହେବା ପୂର୍ବରୁ ଓଡ଼ିଶା ବିଶ୍ୱର ସବୁଠାରୁ ସଫଳ ବିପର୍ଯ୍ୟୟ ପରିଚାଳନା ପ୍ରୟାସ କରି ସଫଳ ହୋଇଛି। ୧୯୯୯ ମସିହା ପରେ ଦେଶର ସବୁଠୁ ଶକ୍ତିଶାଳୀ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର କରିଥିଲେ। ଏହାପରେ ୨୦୧୯ ରେ ଆସିଥିବା ଆଉ ଏକ ଶକ୍ତିଶାଳୀ ବାତ୍ୟା ଫନି ସମୟରେ ପ୍ରାୟ ୧.୨ ନିୟୁତ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା; ଯାହା ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାରେ ନିଷ୍ଠା ଓ ପ୍ରତିବଦ୍ଧତାକୁ ପ୍ରମାଣିତ କରିଥିଲା।
୧୯୯୯ ମସିହା ମହାବାତ୍ୟା ପରେ ଓଡ଼ିଶା ଭାରତରେ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସ୍ଡମା) ପ୍ରତିଷ୍ଠା କରିଥିଲା। ୨୦୦୫ ରେ ଓଡ଼ିଶା ଢାଞ୍ଚାରେ କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ) ପ୍ରତିଷ୍ଠା କରିଥିଲେ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ସ୍ଥାନୀୟ ଜନସାଧାରଣଙ୍କୁ ବିପର୍ଯ୍ୟୟ ପରିଚାଳନାରେ ଭାଗିଦାର କରିବାରେ ଓଡ଼ିଶା ସରକାରଙ୍କ ଅଭିନବ ଉଦ୍ୟମ ସଫଳ ହୋଇଛି। ତୃଣମୂଳସ୍ତରର ଗ୍ରାମ ପଞ୍ଚାୟତ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ୧ ଲକ୍ଷରୁ ଊର୍ଦ୍ଧ୍ବ ସ୍ୱେଚ୍ଛାସେବୀ ବିପର୍ଯ୍ୟୟ ବିପଦକୁ ହ୍ରାସ କରିବା ଏବଂ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ କାର୍ଯ୍ୟ ପରିଚାଳନା ପାଇଁ ତାଲିମପ୍ରାପ୍ତ ହୋଇଛନ୍ତି। ପ୍ରତି ପରିବାରରେ ‘ବିପର୍ଯ୍ୟୟ ଯୋଦ୍ଧା’ ସୃଷ୍ଟି ସହ ସ୍କୁଲ ପାଠ୍ୟକ୍ରମରେ ମଧ୍ୟ ବିପର୍ଯ୍ୟୟ ପରିଚାଳନାକୁ ସାମିଲ ପାଇଁ ପଦକ୍ଷେପ ନିଆଯାଇଛି।
ରାଜ୍ୟରେ ପ୍ରତ୍ୟେକ ଜୁନ୍ ଏବଂ ନଭେମ୍ୱର ମାସରେ ସମସ୍ତ ଗୋଷ୍ଠୀଙ୍କୁ ନେଇ ବାତ୍ୟା ମୁକାବିଲା ସଂକ୍ରାନ୍ତ ମକ୍ ଡ୍ରିଲ୍ କରାଯାଉଛି। ଏଥିରେ ଅନେକ ସରକାରୀ ବିଭାଗ, ଜିଲ୍ଲା ପ୍ରଶାସନ, ଗ୍ରାମ ପଞ୍ଚାୟତ, ବିଭିନ୍ନ ଏନଜିଓ ଏବଂ ହଜାର ହଜାର ତାଲିମପ୍ରାପ୍ତ ସ୍ୱେଚ୍ଛାସେବୀଙ୍କୁ ଏହି ମକ୍ଡ୍ରିଲ୍ରେ ସାମିଲ ହେଉଛନ୍ତି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ୮୦୦ରୁ ଅଧିକ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ସମୁଦ୍ରକୂଳିଆ ଅଞ୍ଚଳକୁ ଲୁଣା ପାଣିରୁ ରକ୍ଷା ପାଇଁ ଲୁଣା ବନ୍ଧ ସହିତ ପ୍ରଥମ ଭାରତୀୟ ରାଜ୍ୟ ଭାବେ ବିପର୍ଯ୍ୟୟ ସମ୍ୱନ୍ଧୀୟ ସୂଚନା ପାଇଁ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ସୃଷ୍ଟି କରାଯାଇଛି। ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାର ପ୍ରାୟ ୧୨୦୦ ଗାଁ ବର୍ତ୍ତମାନ ସାଇରନ୍ ବ୍ୟବସ୍ଥା କରାଯାଇଛି। ୧୨୦ ରୁ ଅଧିକ ଉପକୂଳବର୍ତ୍ତୀ ସ୍ଥାନରେ ୱାଚ୍ ଟାୱାର ସହିତ ଏହି ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ବ୍ୟବସ୍ଥା କରାଯାଇଛି।
ଏକ ଉପକୂଳବର୍ତ୍ତୀ ରାଜ୍ୟ ଭାବରେ ଓଡ଼ିଶାକୁ ବାରମ୍ୱାର ତୀବ୍ର ଘୂର୍ଣ୍ଣିଝଡ଼, ମରୁଡ଼ି, ଅତ୍ୟଧିକ ବୃଷ୍ଟିପାତ, ବନ୍ୟା / ଫ୍ଲାସ୍ଫ୍ଲଡ୍, ବଜ୍ରପାତ, ସୁନାମି, ଏବଂ ସମୁଦ୍ର ପତ୍ତନ ବୃଦ୍ଧି ଭଳି ବିପଦ ସାମ୍ନା କରିବାର ଆଶଙ୍କା ରହିଛି। ଓଡ଼ିଶାର ଉପକୂଳକୁ ସମୁଦ୍ର କ୍ଷୟରୁ ରକ୍ଷା କରିବା ପାଇଁ ମଧ୍ୟ ଏକ ଜରୁରୀ ଆବଶ୍ୟକତା ରହିଛି। ଓଡ଼ିଶା ନିଜ ଅନୁଭୂତିରୁ ଶିଖି ଯଥା ସମ୍ଭବ ସ୍ଥାନୀୟ ସମ୍ପ୍ରଦାୟର ସହଯୋଗରେ ମୁକାବିଲା ପାଇଁ ଅଣ୍ଟା ଭିଡ଼ୁଛି ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି। ନିକଟରେ ଓଡ଼ିଶା ଗସ୍ତରେ ଥିବା ବିଶ୍ୱବ୍ୟାଙ୍କ ଭାରତ ଶାଖାର ନିର୍ଦ୍ଦେଶକ ଅଗସ୍ତେ ଟାନୋ କୌଆମେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହିତ ଏହି ପ୍ରସଙ୍ଗରେ ଆଲୋଚନା କରିବା ସହିତ ରାଜ୍ୟର ବିଭିନ୍ନ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି।