ପର୍ଯ୍ୟଟକ ଦମ୍ପତିଙ୍କୁ ମାଡ଼ ଘଟଣା: ଏସ୍‌ପିଙ୍କୁ ଭେଟିଲା ମହିଳା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌

ପୁରୀ: ପର୍ଯ୍ୟଟନ ସହର ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଆତିଥ୍ୟକୁ ନେଇ ପ୍ରଶ୍ନ ଉଠିଛି। ପୁରୀର ପ୍ରତ୍ୟେକ ହୋଟେଲ ଓ ରେଷ୍ଟୁରାଣ୍ଟରେ ପର୍ଯ୍ୟଟକଙ୍କୁ ଉତ୍ତମ ସୁରକ୍ଷା ଓ ଆତିଥ୍ୟ ଯୋଗାଇବା ସହ ଅଭିଯୋଗ ପଞ୍ଜୀକରଣ ପାଇଁ ‘କମ୍‌ପ୍ଲେନ୍‌ ବକ୍ସ’ ରଖିବାକୁ ଦାବି କରିଛି ବିଜୁ ମହିଳା ଜନତା ଦଳ। ଏଥିସହ ପ୍ରତ୍ୟେକ ହୋଟେଲରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ଗଠନ କରାଯିବାକୁ ମଧ୍ୟ ଦଳ ପକ୍ଷରୁ ଦାବି ହୋଇଛି।

କର୍ଣ୍ଣାଟକ ମହୀଶୂରର ପର୍ଯ୍ୟଟକ ଦମ୍ପତିଙ୍କୁ ପୁରୀର ଏକ ରେଷ୍ଟୁରାଣ୍ଟରେ ମାଡ଼ ମରାଯିବା ଘଟଣା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ବିଜେଡିର ମହିଳା ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ୍‌ ପୁରୀ ଏସ୍‌ପିଙ୍କୁ ଭେଟିଛି। ଟିମ୍‌ ଏସ୍‌ପିଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ପର୍ଯ୍ୟଟକଙ୍କ ସୁରକ୍ଷା, ବିଶେଷକରି ମହିଳା ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ଦାବିପତ୍ର ପ୍ରଦାନ କରିଛି। ଘଟଣାରେ ୭ ମାସର ଗର୍ଭବତୀ ମହିଳା ପର୍ଯ୍ୟଟକଙ୍କୁ ଯେଉଁଭଳି ଭାବେ ଆକ୍ରମଣ କରାଯାଇଥିଲା, ତାହାକୁ ନେଇ ଦଳ ପକ୍ଷରୁ ତୀବ୍ର ଉଦ୍‌ବେଗ ପ୍ରକାଶ କରାଯାଇଛି। ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ତୁରନ୍ତ କଡ଼ା ପଦକ୍ଷେପ ନେବା ସହ ଆକ୍ରମଣର ଶିକାର ମହିଳା ପର୍ଯ୍ୟଟକଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି।

ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସମେତ ପର୍ଯ୍ୟଟନ ସହର ଶ୍ରୀକ୍ଷେତ୍ର ପୁରୀରେ ମଧ୍ୟ ପର୍ଯ୍ୟଟକଙ୍କ ସହ ଏଭଳି ଘଟଣା ଘଟିବା ଚିନ୍ତାର ବିଷୟ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହା ଫଳରେ ପର୍ଯ୍ୟଟକମାନେ ପୁରୀରେ ନିଜକୁ ସୁରକ୍ଷିତ ମନେ କରୁ ନ ଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ମହିଳା ପର୍ଯ୍ୟଟକ ପୁଣି ପୁରୀ ନ ଆସିବାକୁ କହିଥିବା ଘଟଣା ମଧ୍ୟ ପର୍ଯ୍ୟଟନ ସହରର ଭାବମୂର୍ତ୍ତି ଉପରେ ପ୍ରଭାବ ପକାଇଥିବା ଦଳ କହିଛି। ଏହି ଘଟଣା ସବୁ ମହିଳାଙ୍କୁ ମର୍ମାହତ କରିଛି। ଏତେ ସବୁ ଘଟଣା ପରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଚୁପ୍‌ ବସିଥିବା ନେଇ ମଧ୍ୟ ବିଜେଡି ପକ୍ଷରୁ ପ୍ରଶ୍ନ ଉଠାଯାଇଛି।

ରାଜ୍ୟସଭା ସାଂସଦ ଶୁଭାଶିଷ୍‌ ଖୁଣ୍ଟିଆଙ୍କ ସମେତ ବରିଷ୍ଠ ବିଜେଡି ମହିଳା ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରାଙ୍କ ସମେତ ବହୁ ବିଜେଡି ମହିଳା ନେତ୍ରୀ ଏସ୍‌?ପିଙ୍କୁ ଭେଟିଥିଲେ। ଆଲୋଚନା ସମୟରେ ମହିଳା ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ସୂଚନାନୁଯାୟୀ, ସମୁଦ୍ରକୂଳ ଥାନା ଅନ୍ତର୍ଗତ ଏକ ରେଷ୍ଟୁରାଣ୍ଟରେ ଖାଦ୍ୟରୁ ଚୁଟି ବାହାରିବାକୁ ନେଇ ପର୍ଯ୍ୟଟକ ଦମ୍ପତି ଆପତ୍ତି କରିଥିଲେ। ଏହାକୁ ନେଇ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ସେମାନଙ୍କର ବଚସା ହୋଇଥିଲା। ପରେ କର୍ମଚାରୀମାନେ ପର୍ଯ୍ୟଟକ ଦମ୍ପତିଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ମହିଳା ଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି।

ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ପୁଲିସ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେଇ ଦୋଷୀଙ୍କୁ ଗିରଫ କରୁ। ଆକ୍ରମଣର ଶିକାର ହୋଇଥିବା ମହିଳା ପର୍ଯ୍ୟଟକଙ୍କୁ ନ୍ୟାୟ ମିଳୁ। ପୁରୀ ଏକ ଅନ୍ତର୍ଜାତୀୟ ପର୍ଯ୍ୟଟନ ସହର। ବିଶ୍ୱ ମାନଚିତ୍ରରେ ପୁରୀ ଭଳି ପବିତ୍ର ଧାମରେ ଏଭଳି ଘଟଣା ଯେପରି ନ ଘଟେ, ସେନେଇ ଆବଶ୍ୟକ ଆଡଭାଇଜରି ଜାରି କରାଯାଉ। ରାଜ୍ୟସଭା ସାଂସଦ ଶୁଭାଶିଷ୍‌ ଖୁଣ୍ଟିଆ କହିଛନ୍ତି, ପ୍ରତ୍ୟେକ ହୋଟେଲରେ ଇଣ୍ଟରନାଲ କମ୍ପେ୍ଲନ୍‌ ବ୍ୟବସ୍ଥା ରହିବା ଆବଶ୍ୟକ। ଆଇସିସି କମିଟି ଗଠନ କରାଯିବା କଥା। ହୋଟେଲରେ ରହୁଥିବା ମହିଳା କିମ୍ବା ଅନ୍ୟ କୌଣସି ପର୍ଯ୍ୟଟକ ଅସୁବିଧାର ସମ୍ମୁଖୀନ ହେଲେ ଯେପରି ନିଜ ଅଭିଯୋଗ ଜଣାଇପାରିବେ, ସେଥିପାଇଁ ବ୍ୟବସ୍ଥା ହେବା ଦରକାର। ଏ ନେଇ ଏସ୍‌ପିଙ୍କ ସହ ଆଲୋଚନା ହୋଇଛି। ଏସ୍‌ପି ହୋଟେଲ ସଂଘ ସହିତ ଆଲୋଚନା କରି ଏହାକୁ କାର୍ଯ୍ୟକାରୀ କରନ୍ତୁ। ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ଅଭିଯୋଗ ପଞ୍ଜୀକରଣ ପାଇଁ ପ୍ରତ୍ୟେକ ହୋଟେଲରେ ଗୋଟିଏ ଲେଖାଏ ‘କମ୍‌ପ୍ଲେନ୍‌ ବକ୍ସ’ ରଖାଯାଉ ବୋଲି ସେ ଦାବି କରିଛନ୍ତି। ଏହି ଟିମ୍‌ରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ପ୍ରମୁଖ ସାମିଲ ଥିଲେ।

About The Author: Madhusudan Das