ଭୁବନେଶ୍ୱର: ଟ୍ରେନରେ ଯାଉଥିବାବେଳେ ଅଧା ରାସ୍ତାରେ ଆରମ୍ଭ ହେଲା ପ୍ରସବ ବେଦନା, ପ୍ଲାଟଫର୍ମରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ମହିଳା । ଭୁବନେଶ୍ୱର ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଷ୍ଟେସନର ପ୍ଲାଟଫର୍ମ ନମ୍ବର ୪ରେ ଜଣେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ରେଳବାଇ ସୁରକ୍ଷା ବଳ (ଆରପିଏଫ୍) ଏବଂ 'ମେରୀ ସହେଲୀ' ଟିମର ତୁରନ୍ତ ପଦକ୍ଷେପ ଯୋଗୁଁ ଏହି ସୁରକ୍ଷିତ ପ୍ରସବ ସମ୍ଭବ ହୋଇପାରିଛି।
ରେଳବାଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଉକ୍ତ ମହିଳା ଜଣକ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍ରେ ଯାତ୍ରା କରୁଥିବା ବେଳେ ଅଧା ରାସ୍ତାରେ ତାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ଟ୍ରେନ୍ଟି ଭୁବନେଶ୍ୱର ଷ୍ଟେସନରେ ପହଞ୍ଚିବା କ୍ଷଣି ମହିଳା ଜଣକ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିବା ନେଇ ସୂଚନା ଦେଇଥିଲେ। ଖବର ପାଇବା ମାତ୍ରେ ଆରପିଏଫ୍ କର୍ମଚାରୀ ଏବଂ 'ମେରୀ ସହେଲୀ' ଟିମର ସଦସ୍ୟମାନେ ତୁରନ୍ତ ତାଙ୍କୁ ସାହାଯ୍ୟ କରିବା ପାଇଁ ଘଟଣାସ୍ଥଳକୁ ଦୌଡ଼ି ଯାଇଥିଲେ।
ପରିସ୍ଥିତିର ଗୁରୁତ୍ୱକୁ ବୁଝି ମହିଳାମାନଙ୍କୁ ନେଇ ଗଠିତ 'ମେରୀ ସହେଲୀ' ଟିମ୍ ଏବଂ ଆରପିଏଫ୍ କର୍ମଚାରୀମାନେ ନିଜର ଉପସ୍ଥିତ ବୁଦ୍ଧି ଖଟାଇଥିଲେ। ମହିଳାଙ୍କ ଗୋପନୀୟତା ଏବଂ ସମ୍ମାନ ରକ୍ଷା କରିବା ପାଇଁ ସେମାନେ ତୁରନ୍ତ କପଡ଼ା ସାହାଯ୍ୟରେ ପ୍ଲାଟଫର୍ମରେ ହିଁ ଏକ ଅସ୍ଥାୟୀ ଆବରଣ ତିଆରି କରିଥିଲେ। ଡାକ୍ତରୀ ସହାୟତା ପହଞ୍ଚିବା ପୂର୍ବରୁ ସେମାନଙ୍କ ସାହାଯ୍ୟରେ ମହିଳା ଜଣକ ପ୍ଲାଟଫର୍ମରେ ଏକ ସୁସ୍ଥ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।
ବର୍ତ୍ତମାନ ଉଭୟ ମା' ଏବଂ ନବଜାତ ଶିଶୁ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ପରବର୍ତ୍ତୀ ଚିକିତ୍ସା ପାଇଁ ସେମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆରପିଏଫ୍ ଏବଂ 'ମେରୀ ସହେଲୀ' କର୍ମଚାରୀଙ୍କ ଏହି ମାନବିକତା ତଥା ସମୟୋପଯୋଗୀ ପଦକ୍ଷେପକୁ ସାଧାରଣ ଯାତ୍ରୀ ଏବଂ ରେଳ ବିଭାଗ ପକ୍ଷରୁ ଖୁବ୍ ପ୍ରଶଂସା କରାଯାଇଛି।