ଆଇଏମ୍‌ଏରେ ବ୍ୟାପକ ଅନିୟମିତତା, କୁଳସଚିବ ନେଇଛନ୍ତି ୩ ଗୁଣା ଦରମା

ଭୁବନେଶ୍ୱର: ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (ଆଇଏମ୍‌ଏ)ରେ ହୋଇଛି ବ୍ୟାପକ ଅନିୟମିତତା। ଅଧିକାରୀଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ଦରମା ପର୍ଯ୍ୟନ୍ତ ସବୁଥିରେ କରାଯାଇଛି ତଞ୍ଚକତା। ଏପରିକି ଧାର୍ଯ୍ୟ ଦରମା ଠାରୁ ୩ଗୁଣା ଅଧିକ ଅର୍ଥ ଦରମା ଭାବେ ନେଇଛନ୍ତି। ସ୍ୱେଚ୍ଛାକୃତ ଅବସର ପରେ ମଧ୍ୟ ପ୍ରତିଷ୍ଠାନରେ ନିୟମିତ ଭଳି ଚାକିରି କରିଛନ୍ତି। ସବୁ ସରକାରୀ ସୁବିଧା ନେଇଛନ୍ତି। ପ୍ରତିଷ୍ଠାନର କୁଳସଚିବ ଡ. ଅଳକା ରାୟଙ୍କ ଏପରି କାରନାମାକୁ ପ୍ରଧାନ ମହାଲେଖାଗାର (ସିଏଜି) ଅଡିଟ୍‌ ସମୟରେ ଧରିବା […]

ଭୁବନେଶ୍ୱର: ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ (ଆଇଏମ୍‌ଏ)ରେ ହୋଇଛି ବ୍ୟାପକ ଅନିୟମିତତା। ଅଧିକାରୀଙ୍କ ନିଯୁକ୍ତି ଠାରୁ ଆରମ୍ଭ କରି ଦରମା ପର୍ଯ୍ୟନ୍ତ ସବୁଥିରେ କରାଯାଇଛି ତଞ୍ଚକତା। ଏପରିକି ଧାର୍ଯ୍ୟ ଦରମା ଠାରୁ ୩ଗୁଣା ଅଧିକ ଅର୍ଥ ଦରମା ଭାବେ ନେଇଛନ୍ତି। ସ୍ୱେଚ୍ଛାକୃତ ଅବସର ପରେ ମଧ୍ୟ ପ୍ରତିଷ୍ଠାନରେ ନିୟମିତ ଭଳି ଚାକିରି କରିଛନ୍ତି। ସବୁ ସରକାରୀ ସୁବିଧା ନେଇଛନ୍ତି। ପ୍ରତିଷ୍ଠାନର କୁଳସଚିବ ଡ. ଅଳକା ରାୟଙ୍କ ଏପରି କାରନାମାକୁ ପ୍ରଧାନ ମହାଲେଖାଗାର (ସିଏଜି) ଅଡିଟ୍‌ ସମୟରେ ଧରିବା ପରେ ହଟଚମଟ ସୃଷ୍ଟି ହୋଇଛି। ପ୍ରତିଷ୍ଠାନର କୁଳସଚିବ ପଦରେ ନୂତନ ନିଯୁକ୍ତି ପାଇଁ ୨୦୨୩ ଫେବୃଆରୀରେ ବିଜ୍ଞପ୍ତି ପ୍ରକାଶ ପାଇଲା। ୩ଜଣ ଆଶାୟୀ ଆବେଦନ କଲେ। ସେମାନଙ୍କ ମଧ୍ୟରୁ ଡ. ରାୟଙ୍କୁ ପ୍ରତିଷ୍ଠାନର କୁଳସଚିବ ଭାବେ ନିଯୁକ୍ତି ପାଇଁ ୨୦୨୩ ଜୁଲାଇରେ ବିଜ୍ଞାନ ଓ ବୈଷୟିକ ଶିକ୍ଷା ବିଭାଗ ଅନୁମୋଦନ ଦେଲା। ମାସିକ ୪୬ ହଜାର ଟଙ୍କା ଦରମା ଦିଆଯିବ ବୋଲି ମଧ୍ୟ ସ୍ପଷ୍ଟ କଲା। ହେଲେ କାର୍ଯ୍ୟରେ ଯୋଗଦେବା ପୂର୍ବରୁ ଡ. ରାୟ ତାଙ୍କ ଦରମାକୁ ପୁନଃବିଚାର କରିବାକୁ ଏକ ପ୍ରସ୍ତାବ ଦେଲେ। ପୂର୍ବରୁ ଦିଲ୍ଲୀର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ସହକାରୀ-କୁଳସଚିବ ଭାବେ କାର୍ଯ୍ୟ କରିଥିବାରୁ ତଦନୁଯାୟୀ ଦରମା ପ୍ରଦାନ କରିବାକୁ ଅନୁରୋଧ କଲେ। ଏହାପରେ ଆଇଏମ୍‌ଏ ପକ୍ଷରୁ ତାଙ୍କ ମୂଳ ଦରମାକୁ ତିନିଗୁଣାରୁ ଅଧିକ ଅର୍ଥାତ ୧,୫୧,୧୦୦ ଟଙ୍କା କରାଯାଇଥିଲା। ଏନେଇ କୌଣସି ଅଫିସ୍‌ ଅର୍ଡର ମଧ୍ୟ ପ୍ରକାଶ ପାଇଲା ନାହିଁ।

ଅପରପକ୍ଷରେ ଆଇଏମ୍‌ଏରେ ନିଯୁକ୍ତି ପାଇଁ ଆବେଦନ କରିବା ସମୟରେ ମିଥ୍ୟା ତଥ୍ୟ ଦେଇଥିବା ଅଡିଟ୍‌ରେ ଜଣାପଡ଼ିଛି। ଦିଲ୍ଲୀର ସେହି ଘରୋଇ ଶିକ୍ଷାନୁଷ୍ଠାନରୁ ୨୦୨୩ ମେ’ ମାସରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ମଧ୍ୟ ଆବେଦନ ସମୟରେ ତାହା ଦର୍ଶାଇ ନଥିଲେ। ଚତୁରତାର ସହିତ କେବଳ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ଦର୍ଶାଇଥିଲେ। ଆବେଦନର ଶେଷ ତାରିଖ ୨୦୨୩ ମାର୍ଚ୍ଚ ୧୮ତାରିଖ ଥିବାବେଳେ ସେହି ସମୟରେ ଡ. ରାୟ ଚାକିରି କରୁଥିଲେ। ଅବସର ନନେଇ କିପରି ଆବେଦନ କଲେ ବୋଲି ଅଡିଟ୍‌ରେ ପ୍ରଶ୍ନ କରାଯାଇଛି। ସେ ଅନ୍ୟ ସ୍ଥାନରେ ଚାକିରି କରୁଥାଇ ମଧ୍ୟ ଆଇଏମ୍‌ଏରେ କୁଳସଚିବ ପଦ ପାଇଁ ଆବେଦନ କରିଥିବା ଦର୍ଶାଇ ତାଙ୍କ ନିଯୁକ୍ତିକୁ ଅବୈଧ ବୋଲି ଦର୍ଶାଯାଇଛି।

ସେହିପରି କୁଳସଚିବଙ୍କ ମାସିକ ଦରମା ୪୬ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଡ. ରାୟ ଜଣେ ଅବସରପ୍ରାପ୍ତ ଅଧିକାରୀଭାବେ ସେହି ପଦରେ ନିଯୁକ୍ତି ପାଇଥିବାରୁ ସେ ମଧ୍ୟ ୪୬ହଜାର ଟଙ୍କା ହିଁ ପାଇବାକୁ ଯୋଗ୍ୟ। ଡିଏ ଓ ଏଚ୍‌ଆର୍‌ଏ ମଧ୍ୟ ପାଇପାରିବେ ନାହିଁ। ହେଲେ ତାଙ୍କୁ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯାଇଛି। ଡିଏ, ଏଚ୍‌ଆର୍‌ଏ ସମେତ ଇପିଏଫ୍‌ ମଧ୍ୟ ପ୍ରଦାନ କରାଯାଇଛି। ଏପରିକି ଇପିଏଫ୍‌ ପ୍ରଦାନ ପାଇଁ କୌଣସି ଅଫିସ୍‌ ଅର୍ଡର ମଧ୍ୟ ନାହିଁ। ଏଗୁଡ଼ିକ ସମ୍ପୂର୍ଣ୍ଣ ଅବୈଧ ବୋଲି ଦର୍ଶାଇବା ସହ ଅଧିକ ୨୦ଲକ୍ଷ ୮୮ହଜାର ୮୬୨ ଟଙ୍କା ପ୍ରଦାନ କରାଯାଇଥିବା ଅଡିଟ୍‌ରେ ଉଲ୍ଲେଖ କରାଯାଇଛି। ଏହି ଅଧିକ ଅର୍ଥ ତାଙ୍କଠାରୁ ଆଦାୟ କରିବାକୁ ବିଜ୍ଞାନ ଓ ବୈଷୟିକ ଶିକ୍ଷା ବିଭାଗକୁ ସୁପାରିସ୍‌ କରାଯାଇଛି। ଡ. ରାୟଙ୍କୁ ଅହେତୁକ ଅନୁକମ୍ପା ପଦାକୁ ଆସିବା ପରେ ଆଇଏମ୍‌ଏ ନିର୍ଦ୍ଦେଶକଙ୍କ ଭୂମିକାକୁ ନେଇ ମଧ୍ୟ ଅଭିଭାବକମାନେ ସନ୍ଦେହ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୪ ଅଗଷ୍ଟ ୨୦ ତାରିଖରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ସିଏଜିଙ୍କ ପକ୍ଷରୁ ଅଡିଟ୍‌ କରାଯାଇଥିଲା।

About The Author: The Sakala