ସମ୍ବଲପୁର: ସମ୍ବଲପୁର ବୁର୍ଲା ସ୍ଥିତ ପ୍ରତିଷ୍ଠିତ ବୀର ସୁରେନ୍ଦ୍ର ସାଏ ବିଶ୍ୱବିଦ୍ୟାଳୟ ଅଫ୍ ଟେକ୍ନୋଲୋଜି (ଭିସୁଟ)ରେ ଛାତ୍ର ଅସନ୍ତୋଷ ଉଗ୍ର ରୂପ ନେଇଛି। ବିଭିନ୍ନ ସମସ୍ୟା ସମାଧାନ ଦାବିରେ ତାତିଲେ ଛାତ୍ରଛାତ୍ରୀ । ହଷ୍ଟେଲ ସମସ୍ୟା, ନିମ୍ନମାନର ଖାଦ୍ୟ, ୟୁନିଫର୍ମ ବାଧ୍ୟତାମୂଳକକୁ ବିରୋଧ କରି ଛାତ୍ରଛାତ୍ରୀମାନେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଶତାଧିକ ଛାତ୍ରଛାତ୍ରୀ ଏକଜୁଟ ହୋଇ ବିଶ୍ୱବିଦ୍ୟାଳୟ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଦୀର୍ଘ ଦିନ ଧରି ହଷ୍ଟେଲ ମେସ୍ରେ ପରିବେଷଣ କରାଯାଉଥିବା ଖାଦ୍ୟର ମାନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। କେବଳ ଖାଦ୍ୟ ନୁହେଁ, ବରଂ ହଷ୍ଟେଲର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ପୂର୍ବରୁ ବାରମ୍ବାର ଏହି ସମସ୍ୟା ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ବିକ୍ଷୋଭ ପ୍ରଦର୍ଶନକାରୀ ଛାତ୍ରଛାତ୍ରୀମାନେ କ୍ଲାସ୍ ବର୍ଜନ କରିବା ସହ ହଷ୍ଟେଲ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ତୁରନ୍ତ ଖାଦ୍ୟର ମାନ ସୁଧାରିବା ସହିତ ହଷ୍ଟେଲ ପରିଚାଳନାରେ ସ୍ୱଚ୍ଛତା ଆଣିବା ସେମାନଙ୍କର ପ୍ରମୁଖ ଦାବି ହୋଇଛି। ପ୍ରଶାସନିକ ସ୍ତରରେ ଶୀଘ୍ର ହସ୍ତକ୍ଷେପ କରାଯାଇ ସମସ୍ୟାର ସମାଧାନ କରାଯିବାକୁ ସେମାନେ ଅପେକ୍ଷା କରିଛନ୍ତି। ଯଦି କର୍ତ୍ତୃପକ୍ଷ ଯଥାଶୀଘ୍ର ଉଚିତ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଛାତ୍ରଛାତ୍ରୀମାନେ ଚେତାବନୀ ଦେଇଛନ୍ତି।