ବାଲିପାଟଣା : ରାତି ଅଧରେ ଜଣଙ୍କ ଘରେ ପଶିଥିଲେ କିଛି ଯୁବକ। ଠିକଣା ସମୟରେ ଘରଲୋକ ଉଠି ପଡ଼ିଲେ। ଗ୍ରାମବାସୀ ମିଶି ଯୁବକଙ୍କୁ କାବୁ କରିବା ସହ ଚୋର ସନ୍ଦେହରେ ସେମାନଙ୍କୁ ନିର୍ଧୁମ ଛେଚିଲେ। ପରେ ପୁଲିସ ଜିମା ଦେଲେ। ଏଭଳି ଘଟଣା ଘଟିଛି ବାଲିପାଟଣା ଥାନା ପୋଇଝାରୀ ଗ୍ରାମରେ। ସୂଚନା ଅନୁସାରେ ମଙ୍ଗଳବାର ବିଳମ୍ବିତ ରାତିରେ ପୋଇଝାରୀ ଗ୍ରାମର ଜଣଙ୍କ ଘରେ ୬ ଜଣ ଯୁବକ ପଶିଥିଲେ। ଘରଲୋକ ଉଠି ପଡ଼ିବାରୁ ଗ୍ରାମଲୋକଙ୍କୁ ଡାକିଥିଲେ। ପୂରା ଗାଁ ଲୋକ ଏକାଠି ହୋଇ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଖସି ଯିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଗ୍ରାମବାସୀ କାବୁକରିନେଇଥିଲେ।
ସେମାନଙ୍କୁ ଗ୍ରାମବାସୀ ରାସ୍ତାରେ ଆଣ୍ଠୁଆ ବସାଇବା ସହ ଆଣ୍ଠୁରେ ଚଲାଇଥିଲେ। ଖବରପାଇ ବାଲିପାଟଣା ପୁଲିସ୍ ଘଟଣାସ୍ଥଳରୁ ୪ ଜଣଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛି। ସେମାନେ ହେଉଛନ୍ତି ମଞ୍ଚେଶ୍ୱର ଥାନା ନହରକଣ୍ଟା ଅଞ୍ଚଳର ସଂଗ୍ରାମ ବେହେରା (୨୧), ଚନ୍ଦନ ବେହେରା (୨୧), ବାଦଲ ଭୋଇ (୧୯) ଏବଂ ରାହୁଲ ଭୋଇ (୨୦)। ସେମାନଙ୍କ ଠାରୁ ୨ ଟି ବାଇକ୍ ଜବତ ହୋଇଛି। ସେମାନେ ଜଣେ ଯୁବତୀଙ୍କୁ ଦେଖା କରିବାକୁ ଆସିଥିବା ପୋଲିସ୍ ଆଗରେ କହିଛନ୍ତି। ପରେ ଅଣ୍ଡରଟେକିଙ୍ଗ ଦେଇ ୪ ଜଣ ଯୁବକ ଥାନାରୁ ମୁକୁଳିଥିଲେ।