ଛାତ୍ରୀଙ୍କୁ ଫେଭର ମାଗୁଥିଲେ ରସିକିଆ ପ୍ରଫେସର, ଯୌନ ନିର୍ଯାତନା ଓ ଅଶ୍ଳୀଳ ଫଟୋ ଭାଇରାଲ୍ ଅଭିଯୋଗରେ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ରସିକିଆ ପ୍ରଫେସର ବାନ୍ଧିଲା ପୋଲିସ । ଛାତ୍ରୀଙ୍କୁ ଫେଭର ମାଗିବା ଅଭିଯୋଗରେ ଭୁବନେଶ୍ୱରର ଏକ ଭେଟେରିନାରୀ କଲେଜର ରସିକିଆ ପ୍ରଫେସର ଅଜିତ ଗୁପ୍ତାଙ୍କୁ ବାନ୍ଧିଲା ଭରତପୁର ପୋଲିସ । ତାଙ୍କ ନାମରେ ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ସହିତ ତାଙ୍କର ଅଶ୍ଳୀଳ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ କରିବାର ସାଂଘାତିକ ଅଭିଯୋଗ ହୋଇଛି। ଗିରଫ ଅଭିଯୁକ୍ତ ଅଜିତ ଗୁପ୍ତାଙ୍କ ଘର ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ବୋଲି ଜଣାପଡିଛି। 

ପୀଡ଼ିତା ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ପ୍ରଫେସର ତାଙ୍କୁ ଦୀର୍ଘ ଦିନ ଧରି ହଇରାଣ କରି ଆସୁଥିଲେ। ସେ ବାରମ୍ବାର ଛାତ୍ରୀଙ୍କୁ ପିଛା କରିବା ସହ ବ୍ୟକ୍ତିଗତ ସମ୍ପର୍କ ରଖିବା ପାଇଁ ପ୍ରସ୍ତାବ ଦେଉଥିଲେ। ଏପରିକି ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରି ସେ ଅନେକ ମେସେଜ୍ ମଧ୍ୟ ପଠାଇଥିଲେ। ଯେତେବେଳେ ଛାତ୍ରୀ ଜଣକ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ, ସେତେବେଳେ ପ୍ରଫେସର ଜଣକ ପ୍ରତିଶୋଧ ପରାୟଣ ହୋଇପଡିଥିଲେ।

ଛାତ୍ରୀଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ପ୍ରଫେସର ଅଜିତ କୁମାର ଗୁପ୍ତା ତାଙ୍କର କିଛି ଫଟୋକୁ ଏଡିଟ୍ କରି ଅଶ୍ଳୀଳ ରୂପ ଦେଇଥିଲେ ଏବଂ ସେଗୁଡ଼ିକୁ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ପୋଷ୍ଟ କରିଥିଲେ। ଇଣ୍ଟରନେଟରେ ଏହି ଆପତ୍ତିଜନକ ଫଟୋ ଦେଖିବା ପରେ ଛାତ୍ରୀ ଜଣକ ତୁରନ୍ତ ଭରତପୁର ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇ ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଅଭିଯୁକ୍ତ ପ୍ରଫେସରଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି। 

About The Author: Madhusudan Das