କଟକ: ତାରକା-ଦମ୍ପତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା ହାଇକୋର୍ଟରେ ପହଞ୍ଚିଛି। ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ ହୋଇଥିବା ଆବେଦନକୁ ଗତ ସେପ୍ଟେମ୍ବର ୨୨ ତାରିଖରେ କଟକ ପରିବାର ଅଦାଲତ ଖାରଜ କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଛାଡ଼ପତ୍ର ପାଇଁ ଆବେଦନ କରିବା ସହ ଯେଉଁ କାରଣ ଦର୍ଶାଇ କଟକ ପରିବାର ଅଦାଲତ ଏହାକୁ ଖାରଜ କରିଛନ୍ତି, ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅନୁଭବ ଦର୍ଶାଇ ଏହି ମାମଲା ରୁଜୁ କରିଛନ୍ତି।
ପ୍ରକାଶଥାଉ କି, ବିବାହ ବିଚ୍ଛେଦ ପାଇଁ ଅନୁଭବ ଯେଉଁ କାରଣ ଦର୍ଶାଇଥିଲେ, ତାହାକୁ କଟକ ପରିବାର ଅଦାଲତ ଗ୍ରହଣଯୋଗ୍ୟ ନୁହେଁ ବୋଲି ଦର୍ଶାଇ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଏହି ରାୟ ପ୍ରକାଶ ପରେ ଅନୁଭବ ସୋସିଆଲ ମିଡିଆରେ ବିବାହ ବିଚ୍ଛେଦ ପାଇଁ ବର୍ଷାଙ୍କୁ ନିବେଦନ କରିଥିଲେ। ଏପରିକି ସୋସିଆଲ ମିଡିଆରେ ଟିପ୍ପଣୀକୁ ବିରୋଧ କରି ବର୍ଷା ମଧ୍ୟ ଏସ୍ଡିଜେଏମ୍ଙ୍କ ଅଦାଲତରେ ଏକ ପିଟିସନ୍ ଦାୟର କରିଥିଲେ।
ସୂଚନାଯୋଗ୍ୟ, ବର୍ଷାଙ୍କ ପକ୍ଷରୁ ପତି-ପତ୍ନୀ ହୋଇ ଏକତ୍ର ରହିବା ପାଇଁ ପରିବାର ଅଦାଲତରେ ହୋଇଥିବା ଆବେଦନ ମଧ୍ୟ ଖାରଜ ହୋଇଯାଇଥିଲା। ଗତ ଜୁଲାଇ ୧୩ରେ ଛାଡ଼ପତ୍ର ମାମଲାର ଶୁଣାଣି ୩ମାସ ମଧ୍ୟରେ ଶେଷ କରିବା ପାଇଁ ପରିବାର ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଣୁ ପରିବାର ଅଦାଲତ ଗତ ସେପ୍ଟେମ୍ବର ୨୨ରେ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।