ଭୁବନେଶ୍ବର : ଆଜିଠୁ ପୁରୀ-ରାଉରକେଲା ମଧ୍ୟରେ ଗଡିବ ‘ବନ୍ଦେ ଭାରତ ଏକ୍ସପ୍ରେସ’ ଟ୍ରେନ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ଓଡ଼ିଶାବାସୀଙ୍କ ପାଇଁ ପୁରୀ-ରାଉରକେଲା ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ପତାକା ଦେଖାଇ ଶୁଭାରମ୍ଭ କରିବେ। ଦିନ ୧୨ଟା ୪୫ ମିନିଟରେ ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଓ ବିଧାୟକଙ୍କ ଉପସ୍ଥିତ ରହିବେ। ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ସହିତ ଆଜି ସମଗ୍ର ଦେଶରେ ମୋଟ ୯ଟି ବନ୍ଦେ ଭାରତ ଟ୍ରେନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।
ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଜଗନ୍ନାଥ ଧାମ ପୁରୀରୁ ଇସ୍ପାତ ନଗରୀ ରାଉରକେଲା ସହିତ ସଂଯୋଗ କରିବ। ଏହି ବନ୍ଦେ ଭାରତ ଏକ୍ସପ୍ରେସ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର, ଅନଗୁଳ ଠାରେ ଥିବା ଇଣ୍ଡଷ୍ଟ୍ରିଆଲ୍ ଏରିଆ ଏବଂ ଝାରସୁଗୁଡା ସହିତ ସଂଯୋଗ କରିବ। ଏହି ପ୍ରିମିୟମ୍ ସେବା ପୁରୀ-ରାଉରକେଲା ମଧ୍ୟରେ ଦ୍ରୁତତମ ରେଳ ସଂଯୋଗ ପ୍ରଦାନ କରିବ ଏବଂ ପ୍ରତି ସପ୍ତାହରେ ଶନିବାରକୁ ଛାଡି ବାକି ଛଅ ଦିନ ଚାଲିବ।
ଏହି ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ରାଉରକେଲା ପର୍ଯ୍ୟନ୍ତ ୫୦୫ କିଲୋମିଟର ଦୂରତାକୁ ୭ ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବ । ଟ୍ରେନ୍ ସଂଖ୍ୟା ୨୦୮୩୬ ପୁରୀ- ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ପୁରୀରୁ ସକାଳ ୫ଟାରେ ବାହାରି ଦିନ ୧୨.୪୫ରେ ରାଉରକେଲାରେ ପହଞ୍ଚି। ଟ୍ରେନ୍ଟି ରାଉରକେଲାରୁ ମଧ୍ୟ ସେହିଦିନ ଅପରାହ୍ନ ୨ଟା୧୦ରେ ଛାଡି ରାତି ୯ଟା ୪୦ରେ ପୁରୀରେ ପହଞ୍ଚିବ। ଏହି ଟ୍ରେନଟି ଯାତ୍ରା ସମୟରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର ସହର ଏବଂ ଝାରସୁଗୁଡା ଷ୍ଟେସନ ମାନଙ୍କରେ ରହିବ।