ଭୁବନେଶ୍ୱର: ଭଗବାନଙ୍କ ଭରସାରେ ଚାଲିଛି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ। ଦୁଇ-ତୃତୀୟାଂଶ ଅଧ୍ୟାପକ/ଅଧ୍ୟାପିକା ପଦ ଖାଲି ଥିବାବେଳେ ପ୍ରାୟ ୭୨ ପ୍ରତିଶତ ଅଣଶିକ୍ଷକ ପଦ ମଧ୍ୟ ଖାଲି ପଡ଼ିଛି। ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୨୦୨୭ଟି ମଞ୍ଜୁରୀପ୍ରାପ୍ତ ଅଧ୍ୟାପକ ପଦ ରହିଛି। ତନ୍ମଧ୍ୟରୁ ମାତ୍ର ୬୭୪ ଟି ପଦରେ ଅଧ୍ୟାପକ/ଅଧ୍ୟାପିକା କାର୍ଯ୍ୟରତ ଥିବାବେଳେ ୧୩୫୩ ପଦ ଅର୍ଥାତ୍ ଦୁଇତୃତୀୟାଂଶ ପଦ ଖାଲି। ସେହିପରି ମୋଟ୍ ୨୮୭୯ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦ ଥିବାବେଳେ ମାତ୍ର ୭୯୮ ଜଣ କାର୍ଯ୍ୟରତ ଥିବାବେଳେ ୨୦୮୧ ଅଣଶିକ୍ଷକ ପଦ ଖାଲି ରହିଛି। ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କ ପ୍ରଶ୍ନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ତଥ୍ୟ ରଖିଛନ୍ତି। ରାଜ୍ୟର ନାମକରା ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୩୩ଟି ଅଧ୍ୟାପକ ପଦ ଖାଲି ପଡ଼ିଥିବାବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ୧୬୧, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ୧୧୨, ରାଜେନ୍ଦ୍ର ବିଶବବିଦ୍ୟାଳୟରେ ୧୦୬, ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ୧୧୧ ପ୍ରଫେସର ପଦ ଖାଲି ପଡ଼ିଛି।
ସେହିପରି ଉକ୍ରଳ ବିଶ୍ୱବିଦ୍ୟାଳୟରେ ୭୦୮ ଜଣ ଅଣଶିକ୍ଷକ ପଦ ଖାଲି ଥିବାବେଳେ ରେଭେନ୍ସାରେ ୧୯୫, ବ୍ରହ୍ମପୁରରେ ୧୮୨, ସମ୍ବଲପୁରରେ ୧୫୮ ପଦ ଖାଲି ରହିଛି। କେବଳ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ଛାଡ଼ି ଅନ୍ୟ ସମସ୍ତ ବିଶ୍ୱବିଦ୍ୟାଳୟରେ ୫୦ରୁ ଅଧିକ ପଦ ଖାଲି ପଡ଼ିଛି। ବିଶ୍ୱବିଦ୍ୟାଳୟ ସଂଶୋଧନ ନିୟମ ୨୦୨୦କୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସୁପ୍ରିମ୍କୋର୍ଟରେ ମାମଲା କରିଥିବାରୁ ନିଯୁକ୍ତି ହେଉନାହିଁ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିଥିଲେ ମଧ୍ୟ କେନ୍ଦ୍ର ସରକାର ମାମଲାର ସମାଧାନ କରିବାକୁ ଆଗ୍ରହ ଦେଖାଉ ନଥିବା ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି।
ରାଜ୍ୟ ସରକାର ଗତ ଡିସେମ୍ବର ୨ ତାରିଖରେ ବିଧାନସଭାରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୪ ଉପସ୍ଥାପିତ କରିବା ପାଇଁ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥିଲା। ମାତ୍ର ଶେଷ ପର୍ଯ୍ୟାୟରେ ନିଜ ନିଷ୍ପତ୍ତିରୁ ଓହରି ଯାଇ ବିଲ୍ ଉପସ୍ଥାପନ କରି ନ ଥିଲେ। ଚଳିତ ବିଧାନସଭା ଅଧିବେସନରେ ମଧ୍ୟ ଏହି ବିଲ୍କୁ ସରକାର ଉପସ୍ଥାପିତ କରିନାହାନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ୨୦୨୪ କୁଆଡେ ଗଲା ଏବଂ ବିଶ୍ୱବିଦ୍ୟାଳୟରେ ଅଚଳାବସ୍ଥା କେବେ ଦୂର ହେବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।