କଟକ/ଭୁବନେଶ୍ୱର,: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ୨ ଦିନିଆ ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ସୋମବାର ସକାଳେ ଶ୍ରୀ ଶାହା ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ଏହା ପରେ କଟକ ଗସ୍ତ କରିବେ। ପରେ କଟକର ଓଡ଼ିଆ ବଜାରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବା ସହିତ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହା ପରେ କଟକ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡ. ହରେକୃଷ୍ଣ ମହତାବଙ୍କ ଦ୍ୱାରା ସ୍ଥାପିତ ସମ୍ବାଦପତ୍ର ‘ପ୍ରଜାତନ୍ତ୍ର’ର ୭୫ ତମ ବାର୍ଷିକ ଉତ୍ସବ “ପ୍ରଜାତନ୍ତ୍ରର ଅମୃତ ଉତ୍ସବ” କାର୍ଯ୍ୟକ୍ରମରେ ଯୋଗ ଦେବେ।
ଏହି କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶିଷ୍ଟ ସାହିତ୍ୟିକା ତଥା ପଦ୍ମଭୂଷଣ ପ୍ରତିଭା ରାୟ ପ୍ରମୁଖ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ଣରେ ଶ୍ରୀ ଶାହା ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ। ଏହା ପରେ ଅପରାହ୍ଣ୍ନ ୫ଟାରେ “ମୋଦି ଅ ୨୦” ପୁସ୍ତକର ବୁକ୍ ରିଡିଂ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ଗସ୍ତ କରିବେ। ଶ୍ରୀ ଶାହ ଓ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରରେ ୨୧ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବା ସହ କଟକରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ। ଶାହାଙ୍କ ରବିବାର ସିଆର୍ପିଏଫ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଛି।