ଶୋଇଥିବା ବେଳେ ସାପ କାମୁଡ଼ାରେ କକା ଓ ପୁତୁରାଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ନୂଆପଡା: ଶୋଇଥିବା ବେଳେ  କାମୁଡ଼ିଲା ସାପ, ଚାଲିଗଲା କକା ଓ ପୁତୁରାଙ୍କ ଜୀବନ । ଏକ ଖୋଲା ଶ୍ରମିକ ଶିବିରରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ାରେ କକା ଓ ପୁତୁରାଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରୁ ଆସିଛି ଏଭଳି ଦୁଃଖଦ ଖବର । ମୃତକ ଦୁଇଜଣ ହେଲେ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚାଚରାଭଟା ଗ୍ରାମର ଦୈତାରୀ ତାଣ୍ଡି (୪୦) ଏବଂ ତାଙ୍କ ଭଣଜା ଭରତ ତାଣ୍ଡି (୩୦)। ଏହି ଘଟଣାରେ ଗୁରୁତର ହୋଇଥିବା ଅନ୍ୟ ଜଣେ ଶ୍ରମିକ ହେଲେ ତୁଳସୀ ବଗର୍ତ୍ତୀ (୪୫)। 

ସୂଚନା ଅନୁଯାୟୀ, ବଙ୍ଗୋମୁଣ୍ଡା ଥାନା ବାଲଧା ଗ୍ରାମରେ ଏକ ବ୍ରିଜ୍ ନିର୍ମାଣ କାର୍ଯ୍ୟରେ ସିନାପାଲି ଅଞ୍ଚଳର ପ୍ରାୟ ୧୦ ଜଣ ଶ୍ରମିକ ନିୟୋଜିତ ଥିଲେ। ରାତିରେ ଖାଇସାରିବା ପରେ ସେମାନେ ନିର୍ମାଣସ୍ଥଳ ନିକଟରେ ଥିବା ଏକ ଖୋଲା କ୍ୟାମ୍ପରେ ଶୋଇଥିଲେ।

ବିଳମ୍ବିତ ରାତିରେ ଏକ ବିଷଧର ସାପ କ୍ୟାମ୍ପ ଭିତରେ ପଶି ଦୈତାରୀ, ଭରତ ଏବଂ ତୁଳସୀଙ୍କୁ କାମୁଡ଼ି ଦେଇଥିଲା। ତେବେ ସାପ କାମୁଡ଼ିଥିବା କଥା ପ୍ରଥମେ ଦୈତାରୀ ଓ ଭରତ ଜାଣିପାରିନଥିଲେ। ଅନ୍ୟ ଶ୍ରମିକମାନଙ୍କ ସହ ମିଶି ସେମାନେ ଗୁରୁତର ତୁଳସୀଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପହଞ୍ଚିବା ପରେ ଦୈତାରୀ ଏବଂ ଭରତ ମଧ୍ୟ ସାପ କାମୁଡ଼ାର ଶିକାର ହୋଇଥିବା ଜଣାପଡିଥିଲା। ତିନିଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବାର କିଛି ସମୟ ପରେ ହିଁ ଦୈତାରୀଙ୍କୁ ମୃତ ଘୋଷଣା କରାଯାଇଥିଲା। ସେହିପରି ଭୋର ସମୟରେ ଭରତଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଗୁରୁତର ତୁଳସୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ସ୍ଥିତ ବିମ୍ସାର (VIMSAR)କୁ ସ୍ଥାନାନ୍ତର କରାଯାଇଛି।

About The Author: Madhusudan Das