ସୁନ୍ଦରଗଡ଼: ବିଲରେ କାମ କରୁଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ୨ ଶ୍ରମିକଙ୍କ ଜୀବନ । ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ଅଞ୍ଚଳରେ ଘଟିଛି ଏପରି ଦୁଃଖଦ ଘଟଣା । ମଙ୍ଗଳବାର ଦିନ ଏକ ଧାନ ବିଲରେ ବଜ୍ରପାତ ହେବା ଫଳରେ ୨ ଜଣ ମହିଳା ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ୩ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ତଳସରା ଥାନା ଅନ୍ତର୍ଗତ ବାଟିପଡ଼ା ଠାରେ ଖରିଫ ଋତୁ ପାଇଁ ଧାନ ତଳି ରୋଇବା କାମ ଚାଲିଥିଲା। ଅପରାହ୍ଣ ସମୟରେ ଅଚାନକ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଆରମ୍ଭ ହୋଇଥିଲା। ଏହି ସମୟରେ ବିଲରେ ତୀବ୍ର ବେଗରେ ବଜ୍ରପାତ ହୋଇଥିଲା। ବଜ୍ରପାତର ଶିକାର ହୋଇ ଘଟଣାସ୍ଥଳରେ ହିଁ ଦୁଇ ମହିଳା ଟଳି ପଡ଼ିଥିଲେ ଏବଂ ଅନ୍ୟ ୩ରୁ ଅଧିକ ଶ୍ରମିକ ଗୁରୁତର ଭାବେ ଆହତ ହୋଇଥିଲେ।
ମୃତ ଦୁଇ ମହିଳା ଶ୍ରମିକ ହେଲେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ବାରାଡିହି ଅଞ୍ଚଳର ଚମ୍ପା ତିର୍କୀ ଏବଂ ସୁଶୀଳା ତିର୍କୀ। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା ଜାରି ରହିଛି। ରାଜ୍ୟବ୍ୟାପୀ ଚାଷ କାମ ଚାଲିଥିବା ବେଳେ ଏଭଳି ଅଘଟଣ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।