ଭୁବନେଶ୍ୱର: ଖଣ୍ଡଗିରି ଥାନା ଅନ୍ତର୍ଗତ କୋଳଥିଆ ଅଞ୍ଚଳରେ ଘଟିଥିବା ଚାଞ୍ଚଲ୍ୟକର ଡବଲ୍ ମର୍ଡର ଘଟଣାରେ ପୋଲିସ ଦୁଇ ଜଣ ନାବାଳକ ଛାତ୍ରଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ଜଣେ ଦଶମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ଅନ୍ୟ ଜଣେ ଦ୍ୱାଦଶ ଶ୍ରେଣୀର ଛାତ୍ର। ଏହି ଅମାନବୀୟ ତଥା ଯୋଜନାବଦ୍ଧ ହତ୍ୟାକାଣ୍ଡ ସମଗ୍ର ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଅଭାବନୀୟ ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ୨୦ ବର୍ଷୀୟ ଯୁକ୍ତ ତିନି ବିଜ୍ଞାନ ଛାତ୍ର କୃଷ୍ଣ ଚନ୍ଦ୍ର ପାଢ଼ୀ (ବୁଦ୍ଧି) ଏବଂ ତାଙ୍କ ପିତା ୫୪ ବର୍ଷୀୟ ହିମାଂଶୁ ପାଢ଼ୀ। କୃଷ୍ଣଙ୍କ ଭଉଣୀ ଗୁରୁତର ଆହତ ହୋଇ ବର୍ତ୍ତମାନ ଏମ୍ସ ଭୁବନେଶ୍ୱରରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ସୋମବାର ରାତି ପ୍ରାୟ ୨ଟା ସମୟରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ଜାତୀୟ ରାଜପଥ-୧୬ କଡ଼ରେ ଥିବା ଭଡ଼ା ଘରର କାନ୍ଥ ଡେଇଁ ପଶିଥିଲେ। ସେମାନେ ପ୍ରଥମେ କୃଷ୍ଣଙ୍କୁ ବାହାରକୁ ଟାଣି ଆଣି ଲୁହା ରଡ୍ରେ ନିର୍ମମ ଭାବେ ଆକ୍ରମଣ କରିଥିଲେ। ପୁଅକୁ ବଞ୍ଚାଇବାକୁ ଆସିଥିବା ବାପା ଓ ଭଉଣୀଙ୍କୁ ମଧ୍ୟ ସେମାନେ ଛାଡି ନଥିଲେ। ଏପରିକି ଆକ୍ରମଣ ସମୟରେ ଲଙ୍କାଗୁଣ୍ଡର ବ୍ୟବହାର କରାଯାଇଥିବା ଜଣାପଡିଛି।
ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ଡବଲ ମର୍ଡର ପଛରେ ଏକ ପ୍ରେମ ବ୍ୟାପାର ଜନିତ ଶତ୍ରୁତା ରହିଛି। ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନିଜର ସହପାଠୀଙ୍କୁ ହଇରାଣ କରିବା ଘଟଣାରେ କୃଷ୍ଣଙ୍କୁ ଦାୟୀ କରିଥିଲେ। ଏହି କାରଣରୁ ଗତ ପ୍ରାୟ ଏକ ବର୍ଷ ହେଲା ସେମାନଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା, ଯାହା ଶେଷରେ ଏକ ଭୟଙ୍କର ହତ୍ୟାକାଣ୍ଡର ରୂପ ନେଇଥିଲା। ତେବେ ଅଭିଯୁକ୍ତମାନଙ୍କର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା ସିପି (ପୋଲିସ କମିଶନର)ଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ମୂଳତଃ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ଏହି ପାଢ଼ୀ ପରିବାର ଗତ ଦୁଇ ଦଶନ୍ଧି ଧରି କୋଳଥିଆରେ ନିଜ ସମ୍ପର୍କୀୟଙ୍କ ଘରେ ରହି ଆସୁଥିଲେ। ଗତବର୍ଷ କୃଷ୍ଣଙ୍କ ମା'ଙ୍କର ଦେହାନ୍ତ ହୋଇଯାଇଥିଲା। ଘଟଣାସ୍ଥଳର ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ସୋମବାର ବିଳମ୍ବିତ ରାତିରେ ଗିରଫ କରିବାରେ ସଫଳ ହୋଇଥିଲା। ଫରେନସିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଲୁହା ରଡ୍ ଏବଂ ଅନ୍ୟାନ୍ୟ ପ୍ରମାଣ ଜବତ କରାଯାଇଛି। ମଙ୍ଗଳବାର ଦିନ ଉଭୟ ନାବାଳକ ଅଭିଯୁକ୍ତଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଆଗରେ ହାଜର କରାଯାଇଛି ଏବଂ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।