ନବରଙ୍ଗପୁର: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଚାଳକଙ୍କ ମୃତ୍ୟୁ ଘଟିଛି । ନବରଙ୍ଗପୁର ସହର ଗ୍ଲେଜ ହୋଟେଲ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ଦୁଇଜଣ ହେଲେ ଅମିତ ବାଘ ଏବଂ ତ୍ରିଲୋଚନ ଯାନୀ । ଅମିତଙ୍କ ଘର ବଡ଼ ଡାଇଭଟ୍ଟା ହୋଇଥିବା ବେଳେ ତ୍ରିଲୋଚନଙ୍କ ଘର ନବରଙ୍ଗପୁର ସହରରେ ।
ତ୍ରିଲୋଚନ ସହର ଉପକଣ୍ଠ କୋରାପୁଟ ଜିଲ୍ଲାର ଆଉଁଳି ସ୍ଥିତ ଏକ ଢ଼ାବାରେ କାମ କରନ୍ତି । କାମ ସରିବା ପରେ ସେ ବାଇକରେ ନିଜ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ବାଇକରେ ଆସୁଥିବା ଅମିତଙ୍କ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଦୁଇ ବାଇକକୁ ଜବତ କରି ଘଟଣାର ତଦନ୍ତ କରୁଛି ।