ଭୁବନେଶ୍ୱର: ବାଚସ୍ପତିଙ୍କୁ ଅସମ୍ମାନ କରିବା ପଡିଲା ମହଙ୍ଗା । ବିଧାନସଭାରୁ ନିଲମ୍ବିତ ହେଲେ ବିଜେପିର ଦୁଇ ବିଧାୟକ । ଦୁଇ ବିଜେପି ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗି ବାଚସ୍ପତିଙ୍କୁ ଅସମ୍ମାନ କରିଥିଲେ ବିଜେପିର ଏହି ଦୁଇ ବିଧାୟକ । ଚଳିତ ଅଧିବେଶନ ପାଇଁ ଦୁଇ ବିଧାୟକଙ୍କୁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ।
ସୂଚନାଯୋଗ୍ୟ, ବିଧାନସଭାରେ ପ୍ରଥମେ ବିରୋଧୀ ଦଳ ଗୃହରେ ହୋହଲ୍ଲା କରିଥିଲେ । ପଲିଥିନରେ ଡାଲି ଆଣି ଦେଖାଇଥିଲେ । ପରେ ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି ଏବଂ ମୁକେଶ ମହାଲିଙ୍ଗ ଉକ୍ତ ଡାଲିକୁ ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ। ଗୃହ ଭିତରେ ଦୁଇ ବିଜେପି ବିଧାୟକଙ୍କ ଏଭଳି ଆଚରଣ ପାଇଁ ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟାନୁଷ୍ଠାନ ସୂରୁପ ଉଭୟଙ୍କୁ ଚଳିତ ଅଧିବେରେ ସସ୍ପେଣ୍ଡ କରାଯାଇଛି । ଚଳିତ ଅଧିବେଶନର କୌଣସି କାର୍ଯ୍ୟ ଦିବସରେ ସେମାନେ ଯୋଗଦେଇପାରିବେ ନାହିଁ । ଏହି ଘଟଣାକୁ ସବୁ ମହଲରେ ନିନ୍ଦା କରାଯିବା ସହ ଏହି କାର୍ଯ୍ୟ ଗ୍ରହଣୀୟ ନୁହେଁ ବୋଲି ଅନ୍ୟ ବିଧାୟକମାନେ ମତବ୍ୟକ୍ତ କରିଛନ୍ତି ।
ବିଧାନସଭା ଗୃହକୁ ସମ୍ମାନ ଦେବା ବଦଳରେ ଗୃହ ଚଲାଇ ଦେଉନାହାନ୍ତି ବିରୋଧୀ ଦଳ । ଏହା ସହିତ ଜଣେ ମହିଳା ବାଚସ୍ପତିଙ୍କୁ ଅସମ୍ମାନ କରିଛନ୍ତି । ବିଧାନସଭା ଚାଲିବା ପାଇଁ ପ୍ରତ୍ୟେକ ଦିନ ଅନେକ ଅର୍ଥରାଶି ଖର୍ଚ୍ଚ ହେଉଛି ହେଲେ ବାରମ୍ବାର ଗୃହକୁ ଅଚଳ କରୁଛନ୍ତି ବିଜେପି ବିଧାୟକମାନେ । ଲୋକଙ୍କର ସମସ୍ୟାକୁ ଉପସ୍ଥାପନ କରିବା ବଦଳରେ ହିଂସାକୁ କାହିଁକି ଆପଣାଉଛନ୍ତି ଏ ପ୍ରଶ୍ନ ସମସ୍ତଙ୍କମନକୁ ଆସୁଛି ।