ଭୁବନେଶ୍ୱର: ମହାନଦୀ ଜଳଧାରକୁ ରୋକି ଛତିଶଗଡ଼ ବ୍ୟାରେଜ, ଆନିକଟ ଓ ଜଳଭଣ୍ଡାର ନିର୍ମାଣ କରୁଛି। କେନ୍ଦ୍ରୀୟ ଜଳ ଆୟୋଗ, କେନ୍ଦ୍ର ସରକାର, ବିବାଦର ସମାଧାନ ନିମନ୍ତେ ଗଠିତ ଟ୍ରିବ୍ୟୁନାଲ ସବୁ ଦେଖି ବି ଚୁପ୍ ରହୁଛନ୍ତି। ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ଚାହିଁ ଚାହିଁ ଓଡ଼ିଶା ଜଳକା ହେଲାଣି, ମହାନଦୀ ଜଳଧାର କ୍ଷୀଣ ହେଲାଣି; ତଥାପି କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଟ୍ରିବ୍ୟୁନାଲର ପୂର୍ବ ଅଧ୍ୟକ୍ଷଙ୍କ ସମୟରେ ଓଡ଼ିଶାକୁ ନ୍ୟାୟ ମିଳିଲା ନାହିଁ। ନୂଆ ଅଧ୍ୟକ୍ଷ ରୂପେ ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ନିଯୁକ୍ତି ପାଇବା ପରେ ଶୁଣାଣି ତ୍ୱରାନ୍ୱିତ ହୋଇ ସମାଧାନର ରାସ୍ତା ବାହାରିବ ବୋଲି ଆଶା କରାଯାଉଥିଲା, ମାତ୍ର ତାହା ମଧ୍ୟ ସମ୍ଭବ ହୋଇ ପାରିଲା ନାହିଁ। ନୂଆ ଅଧ୍ୟକ୍ଷଙ୍କ ନିଯୁକ୍ତି ୪ ମାସ ପୂରିବାକୁ ବସିଥିଲେ ମଧ୍ୟ ଗୋଟିଏ ବି ଶୁଣାଣି ହୋଇ ପାରିଲା ନାହିଁ। ୪ ମାସ ପୂର୍ବରୁ ସ୍ଥିତି ଯାହା ଥିଲା, ଏବେ ବି ବିବାଦର ସ୍ଥିତି ସେଇଆ ରହିଛି। କୌଣସି ମଧ୍ୟବର୍ତ୍ତୀକାଳୀନ ରାୟ ନ ଆସିବା ଫଳରେ ମହାନଦୀର ଭାଗ୍ୟ ଓ ଭବିଷ୍ୟତ କ୍ରମଶଃ ଅନ୍ଧକାର ଆଡ଼କୁ ଟାଣି ହୋଇଯାଉଛି।
ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ମହାନଦୀ ବିବାଦର ତ୍ୱରିତ୍ ସମାଧାନ ନିମନ୍ତେ ପଦକ୍ଷେପ ନିଆଯିବା ନେଇ ଆଶା କରାଯାଉଥିଲା। ମାତ୍ର ଗତ ୧୦ ମାସ ମଧ୍ୟରେ ମହାନଦୀ ପ୍ରସଙ୍ଗରେ ସେପରି କିଛି ଉଲ୍ଲେଖନୀୟ ଅଗ୍ରଗତି ଘଟିନାହିଁ। ଗତ ମାସ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ମହାନଦୀ ଜଳ ବିବାଦ ମାମଲା ସମ୍ପର୍କରେ ଆଲୋଚନା କରିଥିବା କୁହାଯାଉଥିଲା। ବୈଠକରେ ଉଭୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଏହି ବିଷୟରେ ଶାନ୍ତିପୂର୍ଣ୍ଣ ସମାଧାନ ରାସ୍ତା ବାହାର କରିବାକୁ ଏକମତ ମଧ୍ୟ ହୋଇଥିଲେ। ମାତ୍ର ଏ ସମ୍ପର୍କରେ ଏଯାଏ ମଧ୍ୟ କୌଣସି ଅଗ୍ରଗତି ହୋଇ ପାରିଲା ନାହିଁ।
ମହାନଦୀ ବିବାଦ ଟ୍ରିବ୍ୟୁନାଲରେ ସମାଧାନ ସମ୍ଭବ କି ନୁହେଁ ତାହା ଭିନ୍ନ କଥା। ମାତ୍ର କୌଣସି ଟ୍ରିବ୍ୟୁନାଲ ଆନ୍ତଃରାଜ୍ୟ ଜଳ ବିବାଦର ସମାଧାନ କରିଥିବାର ନଜିର ନାହିଁ। ଏହି ପରିପ୍ରେକ୍ଷୀରେ ଟ୍ରିବ୍ୟୁନାଲ କେବଳ ସମୟ ଗଡ଼ାଇବା ପାଇଁ ଏକ ମାଧ୍ୟମ ବୋଲି ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ଗତ ଡିସେମ୍ବର ୧୩ ତାରିଖରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦ ନିଯୁକ୍ତି ପୂର୍ବରୁ ୯ ମାସ ଧରି ଏହି ପଦବୀ ଖାଲି ପଡ଼ିଥିଲା। ବିଭିନ୍ନ ମହଲରେ ଏେନେଇ କ୍ଷୋଭ ପ୍ରକାଶ ପାଇବା ପରେ ଶେଷରେ ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀଙ୍କୁ ଏହି ପଦରେ ଅବସ୍ଥାପିତ କରାଯାଇଛି। ମାତ୍ର ଏହା ପରେ ମଧ୍ୟ ଟ୍ରିବ୍ୟୁନାଲ ମହାନଦୀ ବିବାଦ ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିବା ରାଜ୍ୟବାସୀଙ୍କୁ ବିବ୍ରତ କରିଛି। ୨୦୧୮ ମସିହାରେ ଟ୍ରିବ୍ୟୁନାଲ ଗଠନ ହେବା ପରେ ମହାନଦୀ ମାମଲା ଯେପରି ଲମ୍ବିତ ହେବାରେ ଲାଗିଛି, ତାହାକୁ ନେଇ ବିଶେଷଜ୍ଞ ଏବଂ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଇତିମଧ୍ୟରେ ମୋଟ ୩୬ଟି ଶୁଣାଣି ସରିଥିବା ବେଳେ ଟ୍ରିବ୍ୟୁନାଲ କୌଣସି ଅନ୍ତରୀଣ ଆଦେଶ ଦେବାକୁ ଇଚ୍ଛା ପ୍ରକାଶ କରିନାହାନ୍ତି। ଏପରିସ୍ଥଳେ ରାଜ୍ୟରେ ନୂଆ ସରକାର ଏବଂ ନୂଆ ଅଧ୍ୟକ୍ଷଙ୍କଠାରୁ ଢେର ଆଶା ରଖାଯାଇଥିଲା। ମାତ୍ର ଉଭୟେ ଏନେଇ ତତ୍ପରତା ପ୍ରକାଶ ନକରିବା ଏବଂ ବିବାଦର ସମାଧାନ କେବଳ ଆଲୋଚନାରେ ସୀମିତ ରହିବା ମହାନଦୀର ଭାଗ୍ୟକୁ ଆହୁରି ଅନ୍ଧାରକୁ କ୍ରମଶଃ ଠେଲି ଦେଉଛି।
ମହାନଦୀ ବଞ୍ଚାଅ, ଓଡ଼ିଶା ବଞ୍ଚାଅ ଅଭିଯାନର ଆବାହାକ ସୁଦର୍ଶନ ଛୋଟରାୟ କହିଛନ୍ତି ଯେ ମହାନଦୀ ଜଳବିବାଦ ମାମଲାରେ କେନ୍ଦ୍ର ସରକାର ଆରମ୍ଭରୁ ନିଜ ଦାୟିତ୍ୱ ନିର୍ବାହ କରିନାହାନ୍ତି। ଯାହାଫଳରେ ବିଗତ କିଛି ବର୍ଷ ଧରି ଓଡ଼ିଶା ପ୍ରବଳ କ୍ଷତି ସହି ଆସୁଛି। ଟ୍ରିବ୍ୟୁନାଲରେ ତାରିଖ ପରେ ତାରିଖ ଗଡ଼ି ଚାଲିଥିବା ବେଳେ ଗତ ମାସରେ ନୂଆ ଅଧ୍ୟକ୍ଷଙ୍କୁ ନିଯୁକ୍ତି ଦିଆଗଲା। ଉଭୟ ରାଜ୍ୟରେ ପୂର୍ବରୁ ଟ୍ରୁିବ୍ୟୁନାଲ ସରଜମିନ୍ ତଦନ୍ତ କରିସାରିଛନ୍ତି। ତେଣୁ ନୂଆ ଅଧ୍ୟକ୍ଷ ସମସ୍ତ ରିପୋର୍ଟକୁ ଅନୁଧ୍ୟାନ କରି ତୁରନ୍ତ ରାୟ ପ୍ରଦାନର ଆବଶ୍ୟକତା ରହିଛି। ମାତ୍ର ଏନେଇ ଟ୍ରିବ୍ୟୁନାଲ ନିରବ ରହିବା ଦୁର୍ଭାଗ୍ୟଜନକ । ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ, ଜୀବୀକା ବଞ୍ଚାଅ ଅଭିଯାନ ପକ୍ଷରୁ ଓଡ଼ିଶା ଓ ଛତିଶଗଡ଼ ସମେତ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟକୁ ଖୁବଶୀଘ୍ର ସ୍ମାରକପତ୍ର ପ୍ରଦାନ କରିିବ। ସେଣ୍ଟ୍ରାଲ ଗ୍ରାଉଣ୍ଡ ୱାଟର ବୋର୍ଡକୁ ମଧ୍ୟ ସ୍ମାରକ ପତ୍ର ପ୍ରଦାନ କରାଯିବ। ମହାନଦୀର ସ୍ୱାର୍ଥ ସହ ଆଦୌ ସାଲିସ୍ କରାଯିବ ନାହିଁ ବୋଲି ଅଭିଯାନର ଆବାହକ ସୁଦର୍ଶନ ଛୋଟରାୟ କହିଛନ୍ତି।