ଭୁବନେଶ୍ୱର: ଦୁର୍ଗା ପୂଜାକୁ ଦୁଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା କରାଯାଇଛି। ଆସନ୍ତା ୨୮ ତାରିଖରୁ ଗତ ମାସ ୨ ତାରଖ ପର୍ଯ୍ୟନ୍ତ ଏହି ଟ୍ରାଫିକ୍ କଟକଣା ଲାଗୁ ରହିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଯାନବାହନଗୁଡ଼ିକର ସୁନିୟନ୍ତ୍ରିତ ଚଳାଚଳ ତଥା ଜନସାଧାରଣ ଓ ପଥଚାରୀଙ୍କ ସୁବିଧା ଉଦ୍ଦେଶ୍ୟରେ ଉଭୟ ଭୁବନେଶ୍ୱର କଟକରେ କଟକଣା କରାଯାଇଛି। ଅପରାହ୍ନ ୨ ଘଟିକା ଠାରୁ ରାତ୍ର ୨ ଘଟିକା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯିବ।
ରସୁଲଗଡ଼ ଛକ ଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ବମିଖାଲ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକୀଜ୍ ଏବଂ ସାମନ୍ତରାପୁର ଛକ ସଂଲଗ୍ନ ରାସ୍ତାରେ ଭାରୀଯାନ ଯାଇପାରିବ ନାହିଁ। ଏହାକୁ ସଂଯୋଗ କରୁଥିବା ଆଖପାଖ (ରୁପାଲି, ରାଜମହଲ ଛକ ସଂଲଗ୍ନ) ରାସ୍ତାରେ ମଧ୍ୟ ଭାରୀଯାନ ନିଷେଧ କରାଯାଇଛି। ବାଣୀବିହାର ଛକ ଠାରୁ ଶିଶୁଭବନ ଛକ ଏବଂ ସତ୍ୟନଗର, ରାମ ମନ୍ଦିର, ମାଷ୍ଟର କ୍ୟାଣ୍ଟନ ଏବଂ ଆଚାର୍ଯ୍ୟ ବିହାର ଛକ ଠାରୁ କଳିଙ୍ଗ ହସ୍ପିଟାଲ ଛକ ଏବଂ ସୈନିକ ସ୍କୁଲ ଛକ ସଂଲଗ୍ନ ରାସ୍ତାରେ ମଧ୍ୟ ଭାରୀଯାନ ବାରଣ କରାଯାଇଛି। ଆଚାର୍ଯ୍ୟ ବିହାର ଛକ ଠାରୁ ନିୟୁ ଏୟାରପୋର୍ଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ ମଧ୍ୟ ଭାରୀଯାନକୁ ବାରଣ କରାଯାଇଛି। ଜୟଦେବ ବିହାର ଛକ ଠାରୁ ନନ୍ଦନକାନନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ ମଧ୍ୟ ବାରଣ ରହିଛି। ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା ଏବଂ ପଟିଆ ଛକ ସଂଲଗ୍ନ ରାସ୍ତା ଜୟଦେବ ବିହାର ଛକ ଠାରୁ ରାଜଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତାରେ ବାରଣ ହୋଇଛି। ବେହେରା ସାହି ଛକ ଏବଂ ଶାସ୍ତ୍ରୀ ନଗର ଛକ ସଂଲଗ୍ନ ରାସ୍ତାକୁ ମଧ୍ୟ ବାରଣ କରାଯାଇଛି। ସିଆରପି ଛକ ଠାରୁ ପାୱାର ହାଉସ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ (ଷ୍ଟୁଆର୍ଟ ସ୍କୁଲ ଏବଂ ୟୁନିଟ୍- ୮, ଡ଼ିଏଭି ସ୍କୁଲ ସଂଲଗ୍ନ) ରାସ୍ତାକୁ ବାରଣ କରାଯାଇଛି। ବରମୁଣ୍ଡା ଫାୟାର ଟ୍ରେନିଂ ସ୍କୁଲ ଛକ ଠାରୁ ଶିଶୁଭବନ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ (ପାଇକନଗର, ଶିରିପୁର ଛକ ଏବଂ ଗଙ୍ଗନଗର ଛକ ସଂଲଗ୍ନ) ରାସ୍ତାକୁ ବାରଣ କରାଯାଇଛି।। ଖଣ୍ଡଗିରି ଛକ ଠାରୁ ପୋଖରୀପୁଟ ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ (ଜାଗମରା ଛକ ଏବଂ ଗଣ୍ଡମୁଣ୍ଡା ଛକ ସଂଲଗ୍ନ)ରାସ୍ତା ବାରଣ କରାଯାଇଛି। ଜାତୀୟ ରାଜପଥ ୧୬, ବରମୁଣ୍ଡା ଠାରୁ ପଳାସୁଣୀ ପର୍ଯ୍ୟନ୍ତ ଉଭୟ ପାଶ୍ୱରେ ଥିବା ସର୍ଭିସ୍ ରୋଡ଼ରେ ମଧ୍ୟ ଭାରୀଯାନ ବାରଣ। ଖୋର୍ଦ୍ଧା ପଟୁ କଟକ ଆଡ଼କୁ ଆସୁଥିବା ସମସ୍ତ ପ୍ରକାର ଭାରୀ ଯାନଗୁଡ଼ିକୁ ଭୁବନେଶ୍ୱର ଆଡ଼କୁ ଆସିବାକୁ ଦିଆଯିବ ନାହିଁ। ସେହି ଗାଡ଼ି ଗୁଡ଼ିକ ପିତାପଲି ଛକ ଠାରୁ ବାମ ପଟ ରାସ୍ତା ରେ ଭାୟା ଚନ୍ଦକା-ବାରଙ୍ଗ ରାସ୍ତା ଦେଇ ବାଲିକୁଦା ଠାରେ ଜାତୀୟ ରାଜପଥ ୧୬ ରେ ମିଶିବେ। ସେହିପରି କଟକ ପଟୁ ଖୋର୍ଦ୍ଧା ଆଡ଼କୁ ଆସୁଥୁବା ଭାରୀ ଯାନ ଗୁଡ଼ିକ ବାଲିକୁଦା ଛକ ଦେଇ ପିତାପଲ୍ଲୀ ଠାରେ ଜାତୀୟ ରାଜପଥ ୧୬ ରେ ମିଶିବେ।
ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖ୍ ଆବଶ୍ୟକ ପଡ଼ିଲେ ପିତାପଲ୍ଲୀ ଛକ ଓ ବିରୂପା ବ୍ରିଜ୍ ଠାରୁ ଭାରୀ ଯାନ ଗୁଡ଼ିକର ଚଳାଚଳ ନିଷେଧ କରାଯିବ। ନୂଆପଲ୍ଲୀ ରାବଣ ପୋଡ଼ି ସମୟରେ ଜାତୀୟ ରାଜପଥ ୧୬ ଦେଇ କଟକ ପଟୁ ଆସୁଥ୍ିବା ସମସ୍ତ ଗାଡିଗୁଡିକ (ଭାରୀ ଯାନ ବ୍ୟତୀତ) ଜୟଦେବ ବିହାର ଠାରୁ ବାମ ପାଶ୍ୱ ରାସ୍ତା ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ ଏବଂ ୟୁନିଟ- ୮, ଡ଼ିଏଭି ସ୍କୁଲ ଛକ ଦେଇ ସି.ଆର.ପି/ଫାୟାର ଷ୍ଟେସନ ଛକ ଆଡ଼କୁ ଯାଇପାରିବେ।