ଭୁବନେଶ୍ବର: ରାଜ୍ଯରେ ଜାରି ରହିଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ପ୍ରବଳ ଖରା ସତ୍ତ୍ୱେ ଟୋପିଟିଏ ପିନ୍ଧି ଟ୍ରାଫିକ ଛକମାନଙ୍କରେ ଟ୍ରାଫିକ ପୁଲିସମାନେ ଡ୍ୟୁଟି କରିଥାନ୍ତି। ତେବେ ବର୍ତ୍ତମାନ କମିଶନରେଟ ପୁଲିସ ପକ୍ଷରୁ ଟ୍ରାଫିକ ପୁଲିସମାନଙ୍କ ପାଇଁ ପରୀକ୍ଷାମୂଳକ ଭାବେ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ହାତକୁ ନିଆଯାଇଛି। ଖରାରୁ ରକ୍ଷା ପାଇବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଏୟାର କୁଲିଙ୍ଗ ହେଲମେଟ ବ୍ୟବସ୍ଥା କରାଯାଇଛି। ଯାହା ଗରମ ଉତ୍ତାପରୁ ଟିକିଏ ଆରାମ ପ୍ରଦାନ କରିବ। ଆଜି ଏହି ହେଲମେଟ ପରୀକ୍ଷାମୂଳକ ଭାବେ ଆରମ୍ଭ କରିଛି କମିଶନରେଟ ପୁଲିସ । ପ୍ରଚଣ୍ତ ଖରାରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ହେଲମେଟଗୁଡିକ ବ୍ୟାଟେରୀରେ ଚାଳିତ। ସେଥିପାଇଁ ବ୍ୟାଟେରୀ ବ୍ୟବସ୍ଥା କରାଯାଇ ଡିଜାଇନ୍ କରାଯାଇଛି। ଯାହା କଠିନ ସୂର୍ଯ୍ୟ କିରଣରେ ଲମ୍ବା ସମୟ ପର୍ଯ୍ୟନ୍ତ ଆରାମ ପ୍ରଦାନ କରିବ। ଏହି ହେଲମେଟ ପିନ୍ଧିବା ପରେ ମୁଣ୍ଡର ଚତୁଃପାର୍ଶ୍ବରୁ ଥଣ୍ଡା ପବନ ପ୍ରବାହିତ ହେବ। ଯାହା ଦ୍ବାରା ସୂର୍ଯ୍ୟ କିରଣରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଏହି ଏସି ହେଲମେଟ୍ ଟିକିଏ ଆରାମ ଦେବ। ଥରେ ଚାର୍ଜ ହେଲେ ୮ ଘଣ୍ଟା ପର୍ଯ୍ୟନ୍ତ ଚାର୍ଜ ରହିବ। ଏହି ହେଲମେଟ ପରୀକ୍ଷା ମୂଳକ ଭାବେ ସଫଳ ହେଲେ ସବୁ କର୍ମଚାରୀଙ୍କୁ ପ୍ରଦାନ କରାଯିବ।
ସୂଚନା ଅନୁଯାୟୀ, ଏହି ହେଲମେଟ୍ ପୂର୍ବରୁ ଗୁଜରାଟ ପୁଲିସ ବ୍ୟବହାର କରିଛି। ଭଦୋଦରା ଟ୍ରାଫିକ ପୁଲିସ ବିଭାଗ ଏହାର କର୍ମଚାରୀମାନଙ୍କୁ ଏହି ଏସି ହେଲମେଟ ଯୋଗାଇବା ଆରମ୍ଭ କରିସାରିଛି।