ଭୁବନେଶ୍ବର: ଐତିହ୍ୟସ୍ଥଳଗୁଡ଼ିକର ସ୍ବର୍ଣ୍ଣିମ ଇତିହାସ ଓ ନିର୍ମାଣକୁ ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ୍ ୧୮ ତାରିଖକୁ ବିଶ୍ବ ଐତିହ୍ୟ ଦିବସ ଭାବେ ପାଳନ କରାଯାଏ। ଏହି ବିଶ୍ବ ଐତିହ୍ୟ ଦିବସ ଅବସରରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। ଏଥିସହ ସହ ସକାଳୁ ସକାଳୁ ବିନା ଶୁଳ୍କରେ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିଛନ୍ତି ପର୍ଯ୍ୟଟକ।
ସେପ୍ଟେମ୍ବର, ୨୦୨୩ ସୁଦ୍ଧା ସାରା ବିଶ୍ବରେ ୧୬୮ଟି ଦେଶରେ ସମୁଦାୟ ୧୧୯୯ଟି ବିଶ୍ବ ଐତିହ୍ୟସ୍ଥଳ ଅଛି। ଭାରତରେ ବର୍ତ୍ତମାନ ୪୨ଟି ବିଶ୍ବ ଐତିହ୍ୟ ସ୍ଥଳ ଅଛି। ଆମ ଓଡ଼ିଶାର ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ବିଶ୍ବ ଐତିହ୍ୟ ସ୍ଥଳରେ ସାମିଲ ହୋଇଛି। ସର୍ବପ୍ରଥମେ ବିଶ୍ବ ଐତିହ୍ୟ ଦିବସ, ଟ୍ୟୁନିସିଆରେ ‘ଇଣ୍ଟରନ୍ୟାସନାଲ କାଉନସିଲ୍ସ୍ ଅଫ୍ ମନ୍ୟୁମେଣ୍ଟସ୍ ଆଣ୍ଡ ସାଇଟ୍ସ’ ଦ୍ବାରା ଏପ୍ରିଲ୍ ୧୮, ୧୯୮୨ରେ ପାଳନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏପ୍ରିଲ୍ ୧୮ ତାରିଖକୁ ‘ବିଶ୍ବ ଐତିହ୍ୟ ଦିବସ’ ଭାବେ ପାଳନ କରାଯାଉଛି। ପ୍ରତ୍ୟେକ ବର୍ଷ ଏହି ଦିବସ ପାଳନ ପାଇଁ ୟୁନେସ୍କୋ ପକ୍ଷରୁ ଏକ ଥିମ୍ ରଖାଯାଏ।