ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ମହାପ୍ରଭୁ। ଏଥିପାଇଁ ଭୋର ୫ଟାରୁ ଆରମ୍ଭ ହୋଇଛି ପହଣ୍ଡି । ରତ୍ନ ସିଂହାସନ ଛାଡି ସ୍ନାନମଣ୍ଡପରେ ବିରାଜିଛନ୍ତି ଚତୁର୍ଦ୍ଧାବିଗ୍ରହ। ଦିବ୍ୟସ୍ନାନ ପରେ ସ୍ନାନମଣ୍ଡପରୁ ଦୁର୍ଲଭ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ବର୍ଷକ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ।
ଚତୁର୍ଦ୍ଧାମୂରତିଙ୍କ ପହଣ୍ଡି ଶେଷ ହୋଇଥିବାବେଳେ ମଧ୍ୟାହ୍ନ ୧୨ଟା ୨୦ରେ ଜଳ ବିଜେ ନୀତି କରାଯିବ। ଅପରାହ୍ନ ୩ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ। ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣ ମେଲା ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି। ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ । ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ । ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ । ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ ।
ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଲୋକାରଣ୍ୟ ହୋଇଛି ଶ୍ରୀକ୍ଷେତ୍ର ପୁରୀ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନଯାତ୍ରା ପାଇଁ ପୋଲିସ, ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତ ମାନେ ମାର୍କେଟ ଛକରୁ ବାରିଗେଟ ଦେଇ ଶ୍ରୀ ମନ୍ଦିରରେ ପ୍ରବେଶ କରିବେ ପହଣ୍ଡି ଟିକେଟ ଦର୍ଶନ ଲାଗି ଦକ୍ଷିଣ ଦ୍ୱାରରେ ପ୍ରବେଶ କରିବେ । ଶ୍ରୀମନ୍ଦିର ଚାରିପଟେ ଏବଂ ମରଚି କୋଟ ଛକଠାରୁ ନୋ ଭେଇକିଲ ଜୋନ କରାଯାଇଛି ।
ଜେଲ ରୋଡ଼ରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଶରଧାବାଲିରେ ମଟର ସାଇକେଲ ଷ୍ଟାଣ୍ଡ ହେବ । ଜଗନ୍ନାଥ ବଲ୍ଳଭ ପାର୍କିଙ୍ଗରେ ଚାରି ଚକିଆ ପର୍କିଙ୍ଗ କରାଯିବ । ମରଚିକୋଟ ଛକ ଠାରୁ ଗାଡି ଚଳା ଚଳ ବନ୍ଦ ରହିବ କେବଳ ପାସ ଧରି ଯାଇପାରିବେ । ଭକ୍ତ ସିଂହ ଦ୍ୱାରରେ ପ୍ରବେଶ କାରି ଅନ୍ୟ ଦ୍ୱାରରେ ପ୍ରସ୍ଥାନ କରିବେ । ମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପୋଲିସ ଅଧିକାରୀ ନିୟୋଜିତ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା କହିଛନ୍ତି ପୁରୀ ଏସ୍ପି ପିନାକ ମିଶ୍ର । ଆସନ୍ତା କାଲି ପାଇଁ ମୋଟ ୬୮ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ ।