ଖରାରୁ ମିଳିଲା ଆଶ୍ବସ୍ତି, ଆଜି ରାଜ୍ୟର ୯ ଜିଲ୍ଲାରେ ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ବିସ୍ତୃତ ଭାବେ ନହେଲେ ମଧ୍ୟ ଶୁକ୍ରବାର ରାଜ୍ୟର କେତେକ ସ୍ଥାନରେ ମୌସୁମୀ ଜନିତ ବର୍ଷା ହୋଇଛି। ଏହି ବର୍ଷା ଆସନ୍ତା ୨୪ ତାରିଖ ଯାଏଁ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

କେନ୍ଦ୍ର ପ୍ରଦତ୍ତ ସୂଚନା ଅନୁଯାୟୀ, ଆଜି ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାରେ ୫୦ରୁ ୬୦ କି.ମି ବେଗରେ ପବନ ବହିବା ସହ ବର୍ଷା ସମ୍ଭାବନା ରହିଛି। ସେଥିପାଇଁ ଉପରୋକ୍ତ ଜିଲ୍ଲାଗୁଡ଼ିକୁ ଅରେଞ୍ଜ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡରେ ମଧ୍ୟ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ। 

ଅପରପକ୍ଷେ କେନ୍ଦୁଝର, ମୟୂରଭଞ୍ଜ ଓ ଭଦ୍ରକରେ କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ରବିବାର ମଧ୍ୟ ୩୦ଟି ଯାକ ଜିଲ୍ଲାରେ ବର୍ଷା ସହ ପବନ ସମ୍ଭାବନା ରହିଥିବା ବେଳେ କୋରାପୁଟ ଜିଲ୍ଲାରେ ପ୍ରବମ୍ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି ଅପରାହ୍ଣରେ ଦ୍ବୈତନଗରୀ କଟକ ଓ ଭୁବନେଶ୍ବରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

About The Author: Madhusudan Das