ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ: ୬ ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ନେତା ବାଛୁଛନ୍ତି ଜନତା

ଭୁବନେଶ୍ୱର: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ଯାଇଛି। ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। ଉପରୋକ୍ତ ଆସନଗୁଡ଼ିକରେ ବିଭିନ୍ନ ଦଳର ବହୁ ହେଭିୱେଟ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଲୋକସଭା କ୍ଷେତ୍ର ବିଚାରକୁ ନେଲେ, ସମ୍ବଲପୁରରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢ଼େଇ ରାଜ୍ୟ ରାଜନୀତିରେ ସବୁଠାରୁ […]

ଭୁବନେଶ୍ୱର: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇ ଯାଇଛି। ସମ୍ବଲପୁର, ପୁରୀ, ଭୁବନେଶ୍ୱର, କଟକ, ଢେଙ୍କାନାଳ ଓ କେନ୍ଦୁଝର ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି।

ଉପରୋକ୍ତ ଆସନଗୁଡ଼ିକରେ ବିଭିନ୍ନ ଦଳର ବହୁ ହେଭିୱେଟ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଲୋକସଭା କ୍ଷେତ୍ର ବିଚାରକୁ ନେଲେ, ସମ୍ବଲପୁରରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଲଢ଼େଇ ରାଜ୍ୟ ରାଜନୀତିରେ ସବୁଠାରୁ ରୋଚକ ପାଲଟିଛି। ପୁରୀରେ ସମ୍ବିତ ପାତ୍ର ବନାମ ଅରୂପ ପଟ୍ଟନାୟକ, ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ବନାମ ମନ୍ମଥ ରାଉତରାୟ, କଟକରେ ଭର୍ତ୍ତୃହରି ମହତାବ ବନାମ ସଂତୃପ୍ତ ମିଶ୍ର, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି ବନାମ ଡ. ଅବିନାଶ ସାମଲଙ୍କ ଲଢ଼େଇ ମଧ୍ୟ ବେଶ୍‌‌ ରୋଚକ ହେବ ବୋଲି ରାଜନୈତିକ ପଣ୍ଡିତମାନେ ମତବ୍ୟକ୍ତ କରିଛନ୍ତି।

ବିଧାନସଭା କ୍ଷେତ୍ରରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ଚନ୍ଦ୍ର ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ଏହି ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର, ସଞ୍ଜୟ କୁମାର ଦାସବର୍ମା, ଡ. ଅରୁଣ ସାହୁ, ବଦ୍ରି ନାରାୟଣ ପାତ୍ର, ରୋହିତ୍‌‌ ପୂଜାରୀ, ସନାତନ ମହାକୁଡ଼ ମଧ୍ୟ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ୬ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୬୪ଜଣ ପ୍ରାର୍ଥୀ (ପୁରୁଷ-୫୫, ମହିଳା-୯) ରହିଛନ୍ତି। ସେହିପରି ୪୨ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୩୮୩ଜଣ (ପୁରୁଷ-୩୩୯, ମହିଳା-୪୪) ପ୍ରାର୍ଥୀରହିଛନ୍ତି। ଅର୍ଥାତ୍‌‌ ମୋଟ ୪୪୭ପ୍ରାର୍ଥୀ ଏହି ପର୍ଯ୍ୟାୟରେ ଭାଗ୍ୟ ପରୀକ୍ଷା କରୁଥିବା ବେଳେ ମୋଟ ୯୪,୪୮,୫୫୩ ଜଣ ମତଦାତା ସେମାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।

ତୃତୀୟ ପର୍ଯ୍ୟାୟ ମତଦାନକୁ ନେଇ ସାଧାରଣରେ ବେଶ୍‌‌ ଉତ୍କଣ୍ଠା ଏବଂ ଉତ୍ସୁକତା ପ୍ରକାଶ ପାଇଛି। ଭୋଟର୍‌ କାହା ପ୍ରତି ସମର୍ଥନ ଅଜାଡ଼ିବେ, କିଏ ନିର୍ବାଚନୀ ସଫଳତା ପାଇବେ; ଏହାକୁ ନେଇ ଗାଁଠାରୁ ସହର ଯାଏଁ ଆଲୋଚନା ଜୋର୍‌‌ ଧରିଥିବା ବେଳେ ଏପଟେ ପ୍ରାର୍ଥୀଙ୍କ ଛାତି ଧଡ଼ଧଡ଼ ହେଲାଣି। ନିଜ ପକ୍ଷକୁ ଭୋଟରଙ୍କୁ ଆଣିବା ପାଇଁ ପ୍ରାର୍ଥୀ ଏବଂ ସେମାନଙ୍କ ଦଳ ମଇଦାନରେ ଖୁବ୍‌‌ ଝାଳ ବୁହାଇଥିବା ବେଳେ ଜନତା କାହା ମୁଣ୍ଡରେ ଶିରିପା ବାନ୍ଧୁଛନ୍ତି; ତାହାକୁ ନେଇ ଉତ୍କଣ୍ଠା ଚରମସୀମାରେ ପହଞ୍ଚିଛି।

ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଏହି ୬ ସଂସଦୀୟ ଆସନ ମଧ୍ୟରୁ ବିଜେଡି ୪ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଖାତାକୁ ୨ଟି ଆସନ ଯାଇଥିଲା। ସେହିପରି ୪୨ ବିଧାନସଭା ଆସନରେ ଶାସକ ବିଜୁ ଜନତା ଦଳକୁ ବିପୁଳ ବିଜୟ ମିଳିଥିଲା। ୪୨ ଆସନ ମଧ୍ୟରୁ ବିଜେଡି ସର୍ବାଧିକ ୩୪ ଆସନରେ ବିଜୟୀ ହୋଇଥିଲା। ଅପରପକ୍ଷେ, ବିଜେପି ଖାତାକୁ ୬ଟି ଏବଂ କଂଗ୍ରେସ ମାତ୍ର ୨ଟି ଆସନରେ ସନ୍ତୁଷ୍ଟ ହୋଇଥିଲା। ଚଳିତଥର ମଧ୍ୟ ବିଧାନସଭାରେ ସମାନ ପରିସଂଖ୍ୟାନ ବଜାୟ ରଖିବାକୁ ବିଜେଡି ପ୍ରଚାର କାର୍ଯ୍ୟକ୍ରମକୁ ଶାଣିତ କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଦଳର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ୍‌‌ ଉପରୋକ୍ତ ଲୋକସଭା କ୍ଷେତ୍ରକୁ ଘନଘନ ଗସ୍ତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ସେହିପରି ବିରୋଧୀ ବିଜେପି ମଧ୍ୟ ନିଜ କେନ୍ଦ୍ରୀୟ ନେତାଙ୍କୁ ଆଣି ଜନମତକୁ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରିଥିବା ବେଳେ କଂଗ୍ରେସ ମଧ୍ୟ ନିଜ ସାଧ୍ୟମତେ ଭଲ ପ୍ରଦର୍ଶନ କରିବାକୁ ଉଦ୍ୟମ କରିଛି।

About The Author: The Sakala