କଟକ: ୨୦୨୩ ବର୍ଷ ଶେଷ ହେବାକୁ ବସିଲାଣି। କିନ୍ତୁ ଏ ପର୍ଯ୍ୟନ୍ତ ଚଳିତବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ହୋଇପାରିନାହିଁ। ରାଜ୍ୟରେ ଲକ୍ଷାଧିକ ଆଶାୟୀ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ କରିବାକୁ ଅପେକ୍ଷା କରିଛନ୍ତି। କିନ୍ତୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିବ। କାରଣ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଓଟିଇଟି-୨୦୨୩ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଯୋଜନା ପ୍ରସ୍ତୁତ କରାଯାଇନାହିଁ। କେବେ ଏହି ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ଏବଂ ପରୀକ୍ଷା କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଓଟିଇଟି-୨୦୨୩ ବିଳମ୍ବ ହେବା ପ୍ରତିବାଦରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଶହଶହ ଆଶାୟୀ ପରୀକ୍ଷାର୍ଥୀ ସୋମବାର ବୋର୍ଡ କାର୍ଯ୍ୟାଳୟ ଘେରଉ କରିଛନ୍ତି। ସେମାନେ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ କୌଣସି ଅଧିକାରୀ ଆସି ନ ଥିଲେ। ଫଳରେ ଆଶାୟୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଧାରଣା ଦେଇଥିଲେ।
ପ୍ରତିବର୍ଷ ବୋର୍ଡ ପକ୍ଷରୁ ଓଟିଇଟି ପରୀକ୍ଷା କରାଯାଉଛି। କିନ୍ତୁ ଗତ ୩ବର୍ଷ ଧରି ସଠିକ ଭାବେ ଏହି ପରୀକ୍ଷା କରାଯାଇପାରୁନାହିଁ। ୨୦୨୦ରେ କରୋନା ନିମନ୍ତେ ପରୀକ୍ଷା ବନ୍ଦ କରିଦିଆଯାଇଥିଲା। ୨୦୨୨ ଶିକ୍ଷାବର୍ଷରେ ଓଟିଇଟି-୨୦୨୧ ପରୀକ୍ଷା କରାଯାଇଥିଲା। ୨୦୨୩ ଶିକ୍ଷାବର୍ଷରେ ଓଟିଇଟି-୨୦୨୨ (ସ୍ପେଶାଲ) ଏବଂ ଓଟିଇଟି-୨୦୨୨ (ଦ୍ୱିତୀୟ) ପରୀକ୍ଷା କରାଯାଇଛି। କିନ୍ତୁ ସେପ୍ଟେମ୍ବର ମାସ ହୋଇସାରିଥିଲେ ମଧ୍ୟ ଓଟିଇଟି-୨୦୨୩ ପାଇଁ ଆଜିପର୍ଯ୍ୟନ୍ତ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଅନ୍ୟପକ୍ଷରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ରାଜ୍ୟରେ ଓଟିଇଟି ଦେବାକୁ ଥିବା ଏକ ଲକ୍ଷରୁ ଊର୍ଦ୍ଧ୍ବ ଆଶାୟୀ ଏହି ଆବେଦନ କରିପାରିବେନାହିଁ। ତେବେ ଓଟିଇଟି ପରୀକ୍ଷା ସମ୍ପର୍କରେ ବୋର୍ଡ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତିଙ୍କୁ ପଚାରିବାରୁ କହିଥିଲେ, ଏ ନେଇ ସରକାରୀ ସ୍ତରରେ ଆଲୋଚନା ଚାଲିଛି। ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ।