ବାତ୍ୟା ମାସ ଅକ୍ଟୋବରରେ ପୁଣି ବାତ୍ୟା ଭୟ, ଆକଳନ ହୋଇନଥିଲେ ବି ଶଙ୍କା ବଢ଼ାଉଛି ପାଣିପାଗ ସ୍ଥିତି

ଭୁବନେଶ୍ବର : ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ର ‘ମହାବାତ୍ୟା’।  ଚଳିତ ମାସରେ ସେହି ମହାବାତ୍ୟାକୁ ୨୫ ବର୍ଷ ପୂରିବ। ମହାବାତ୍ୟାର ମହାତାଣ୍ଡବକୁ ପାଖରୁ ଦେଖିଥିବା ଲୋକେ ଅକ୍ଟୋବର ମାସ ଆସିଲେ ଏକ ଅଜଣା ଭୟରେ ଆତଙ୍କିତ ଥାଆନ୍ତି। ଆଉ ଏହାରି ମଧ୍ୟରେ ଅକ୍ଟୋବରରେ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏବେ ସମ୍ଭାବ୍ୟ ଲଘୁଚାପ ମୁହାଁ ହେଉଛି। ଯାହା ଅବପାତର ରୂପ ନେଇ ୨୩ ତାରିଖରୁ […]

ଭୁବନେଶ୍ବର : ଓଡ଼ିଶା ଇତିହାସରେ ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା ୧୯୯୯ ମସିହା ଅକ୍ଟୋବର ୨୯ର ‘ମହାବାତ୍ୟା’।  ଚଳିତ ମାସରେ ସେହି ମହାବାତ୍ୟାକୁ ୨୫ ବର୍ଷ ପୂରିବ। ମହାବାତ୍ୟାର ମହାତାଣ୍ଡବକୁ ପାଖରୁ ଦେଖିଥିବା ଲୋକେ ଅକ୍ଟୋବର ମାସ ଆସିଲେ ଏକ ଅଜଣା ଭୟରେ ଆତଙ୍କିତ ଥାଆନ୍ତି। ଆଉ ଏହାରି ମଧ୍ୟରେ ଅକ୍ଟୋବରରେ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏବେ ସମ୍ଭାବ୍ୟ ଲଘୁଚାପ ମୁହାଁ ହେଉଛି। ଯାହା ଅବପାତର ରୂପ ନେଇ ୨୩ ତାରିଖରୁ ଉପକୂଳ ଓଡ଼ିଶାରେ ବର୍ଷା କରାଇବ। ଏସବୁ ଭିତରେ କିଛି ବିଦେଶୀ ମଡେଲର ପୂର୍ବାନୁମାନ, ବାତ୍ୟା ଆଶଙ୍କାକୁ ବଢ଼ାଇ ଦେଇଛି।

ବାତ୍ୟା ଘେନି କିଛି ନିର୍ଦ୍ଧିଷ୍ଟ ସୂଚନା ନଥିଲେ ମଧ୍ୟ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ଭାସମାନ ମେଘ ଖଣ୍ଡ ଆଶଙ୍କା ବଢାଇଦେଇଛି। କାରଣ ଏଠାକାର ବାୟୁମଣ୍ଡଳର ଉପରି ଭାଗରେ ୫.୮ କିଲୋମିଟର ଯାଏଁ ବ୍ୟାପିଛି ଘୂର୍ଣ୍ଣିବଳୟ। ଦିନକ ପରେ ଅର୍ଥାତ ଆସନ୍ତା ୨୧ ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ଯାହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୩ ତାରିଖରେ ଅବପାତର ରୂପ ନେବ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଯେଉଁ ସମ୍ଭାବନା ରହିଛି ତାହା ଏବେ ଲୋକଙ୍କ ଭିତରେ ଭୟ ସଞ୍ଚାର କରିଛି । କାରଣ ଅତୀତରେ ଅକ୍ଟୋବର ମାସରେ ଅନେକ ଭୟଙ୍କର ବାତ୍ୟା ହୋଇ ବିପୁଳ ଧନଜୀବନ କ୍ଷତି ଘଟିଥିବା ପୃଷ୍ଠଭୂମିରେ ଚଳିତମାସ ୨୪ତାରିଖରୁ ଲଘୁଚାପ ଗଭୀର ଅବପାତ କିମ୍ବା ଛୋଟ ବାତ୍ୟାର ରୂପ ନେଇପାରେ ବୋଲି ବିଶେଷଜ୍ଞମାନେ ଯେଉଁ ଆଶଙ୍କା ଓ ପୂର୍ବାନୁମାନ ବ୍ୟକ୍ତ କରୁଛନ୍ତି ସେଥିଘେନି ଉଦ୍‍ବେଗପ୍ରକାଶ ପାଇବା ସ୍ୱାଭାବିକ ।

ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ୨୧ ତାରିଖରେ ଏହି ଘୂର୍ଣ୍ଣିବଳୟ ଅଧିକ ସକ୍ରିୟ ହୋଇ ଲଘୁଚାପର ରୂପ ନେବ । ଉତ୍ତର-ପଶ୍ଚିମ ଦିଗରେ ଏହା ଗତିକରି କେନ୍ଦ୍ରୀୟ ବଙ୍ଗୋପସାରରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ୨୧ ତାରିଖରୁ ସମୁଦ୍ର ଅଶାନ୍ତ ରହିବ , ପବନର ବେଗ ଘଣ୍ଟାପ୍ରତି ୫୦ରୁ ୫୫ କିଲୋମିଟର ରହିବ । ୨୩ ତାରିଖରୁ ପ୍ରବଳ ବର୍ଷା ହେବ , ୨୪ ତାରିଖରୁ ବର୍ଷାର ପରିମାଣ ବଢିବ । ସମୁଦ୍ର ଅଶାନ୍ତ ରହିବା ନେଇ ୨୧ ତାରିଖରୁ ହିଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ତେବେ ବାତ୍ୟା ସଂପର୍କରେ ଏଯାଏଁ ସେଭଳି କୌଣସି ପୂର୍ବାନୁମାନ କରାଯାଇନଥିବାବେଳେ ଯେହେତୁ ଏବେ ବାତ୍ୟା ପ୍ରବଣ ମାସ, ତେଣୁ ଆସନ୍ତା ୨୧ ତାରିଖରେ ଲଘୁଚାପ ସୃଷ୍ଟି ହେଲା ପରେ ହିଁ ସ୍ପଷ୍ଟ ହେବ ବୋଲି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଭାରତୀୟ ପାଣିପାଗ ବିଭାଗ ଏଯାଏଁ ବାତ୍ୟା ନେଇ ଚିତ୍ର ସ୍ପଷ୍ଟ କରିନଥିଲେ ମଧ୍ୟ ଓଡ଼ିଶାରେ ବର୍ତ୍ତମାନ ପାଣି ପବନର ସ୍ଥିତି ଓ କିଛି ବିଦେଶୀ ମଡେଲ୍‌ ଗୁଡ଼ିକର ପୂର୍ବାନୁମାନ ବାତ୍ୟା ଆଶଙ୍କାକୁ ବଢ଼ାଇଦେଉଛି। ୟୁରୋପିଆନ୍‌ ସେଣ୍ଟର ଫର ମିଡ଼ିୟମ୍‌ ରେଞ୍ଜ ୱେଦର୍‌ ଫୋରକାଷ୍ଟ ଓ ଜର୍ମାନୀର ପାଣିପାଗ ଆକଳନ ସଂସ୍ଥାର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ରେ ଏହା ଓଡ଼ିଶା ଉପକୂଳ ବିଶେଷ କରି ପୁରୀ କିମ୍ବା ଗୋପାଳପୁରରେ ବାତ୍ୟା ସ୍ଥଳଭାଗ ଛୁଇଁବ। ଯାହା ଲୋକଙ୍କ ମନରେ ବାତ୍ୟା ଭୟକୁ ବଢାଇଦେଉଛି।

ଉଳ୍ଲେଖଯୋଗ୍ୟ ୧୯୯୯ ଅକ୍ଟୋବର ୨୯ ତାରିଖରେ ଓଡିଶା ଉପକୂଳରେ ଘଟିଥିବା ମହାବାତ୍ୟାର କରାଳ ଚିତ୍ର ଏବଯାତ୍‍ ଲୋକଙ୍କ ମନରୁ ଲିଭିନାହିଁ । ପ୍ରତିବର୍ଷ ଏହି ଦିନ ଟିର ସ୍ମୃତିଚାରଣ ମଧ୍ୟ ସରକାରୀ ଓ ବେସରକାରୀ ସ୍ତରରେ ହେଉଛି । ଏହାଛଡା ମହାବାତ୍ୟା ପରେ ହୋଇଥିବା ଫାଇଲିନ୍‍, ତିତ୍‍ଲି, ହୁଡ୍‍ହୁଡ୍‍ ଭଳି ପ୍ରାକୃତିକ ବିପତ୍ତି ମଧ୍ୟ ଓଡିଶାରେ ବେଶ୍‍ କ୍ଷତି ଘଟାଇଛି । ତେଣୁ ଅକ୍ଟୋବର ମାସରେ ଲଘୁଚାପ ସୃଷ୍ଟିହେବା କଥା ଶୁଣିଲାମାତ୍ରେ ସାଧାରଣ ଲୋକେ ଆଶଙ୍କାବ୍ୟକ୍ତ କରିବା ସ୍ୱାଭାବିକ ।

୧୯୯୯ ଅକ୍ଟୋବର ମାସରେ ଘଟିଥିବା ମହାବାତ୍ୟା ରାଜ୍ୟର ସାମାଜିକ ଜୀବନ ସହିତ ଅର୍ଥନୀତିକୁ ଦୋହଲାଇ ଦେଇଥିଲା । ଏଥିରୁ ମୁକୁଳିବାପାଇଁ ସାଧାରଣ ଜନତା ଓ ସରକାରଙ୍କୁ ବେଶ୍‍ କଷ୍ଟସ୍ୱୀକାର କରିବାକୁ ପଡିଛି । ଅବଶ୍ୟ ମହାବାତ୍ୟା ପରେ ଓଡିଶା ସରକାର ଅନେକ ପରିମାଣରେ ଚେତିବା ଯୋଗୁଁ ଏବେ ବାତ୍ୟା ସମୟରେ ଜୀବନହାନି ସଂଖ୍ୟା ଢେର କମିଛି । ଫାଇଲିନ୍‍, ହୁଡ୍‍ହୁଡ୍‍, ତିତିଲ ଭଳି ଅକ୍ଟୋବର ମାସରେ ଅତୀତରେ ଯେଉଁସବୁ ବାତ୍ୟା ହୋଇଥିଲା ସେଥିରେ ଜୀବନହାନିର ପରିମାଣ ଢେର କମ୍‍ ଥିଲା । ପୂର୍ବ ଅଭିଜ୍ଞତାରୁ ଶିକ୍ଷାଲାଭ କରି ଓଡିଶା ସରକାର ‘ଜିରୋ କାଜୁଆଲିଟି’ ନୀତି ଆପଣେଇବା ପରଠାରୁ ପ୍ରାକୃତିକ ଦୁର୍ବିପାକ ସମୟରେ ଓଡିଶାରେ ଜୀବନହାନି ସଂଖ୍ୟା କମିଛି । କବେଳ ସେତିକି ନୁହେଁ, କେନ୍ଦ୍ର ସରକାର ମଧ୍ୟ ଓଡିଶାର ଏହି ଆଭିମୁଖ୍ୟକୁ ପ୍ରଶଂସା କରିବା ସଂଗେ ସଂଗେ ଅନ୍ୟ ରାଜ୍ୟମାନେ ଏ ପ୍ରସଙ୍ଗରେ ଶିକ୍ଷାଲାଭ କରିବାପାଇଁ ଖୋଦ ପ୍ରଧାନମନ୍ତ୍ରୀ ଏକାଧିକବାର ମନ୍ତବ୍ୟ ରଖିଛନ୍ତି ।

ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ୨୫ବର୍ଷ ତଳେ ଓଡିଶାକୁ ଅନ୍ୟ ରାଜ୍ୟମାନେ ସହାୟତାର ହାତ ବଢାଉଥିବାବେଳେ । ଏମିତିକି ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ବି ଅନ୍ୟ ରାଜ୍ୟର ସରକାରୀ ଓ ବେସରକାରୀ ସଂସ୍ଥାମାନେ ଓଡିଶାରେ ଆସି ନିୟୋଜିତ ହେଉଥିଲେ । ଗୋଟିଏ ସମୟରେ ବାତ୍ୟାରେ ଉପୁଡି ଯାଉଥିବା ଗଛଗୁଡିକୁ ହଟାଇ ଗମନାଗମନ ବ୍ୟବସ୍ଥା ସ୍ୱାଭାବିକ କରିବାପାଇଁ ଆନ୍ଧ୍ର ଉପରେ ଓଡିଶା ବହୁ ପରିମାଣରେ ନିର୍ଭର କରୁଥିଲା । ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି। ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଓଡ଼ିଶା ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟରେ ଆତ୍ମନିର୍ଭରଶୀଳ ହୋଇପାରିଛି। କେବଳ ନିଜ ରାଜ୍ୟରେ ନୁହେଁ  ଅନ୍ୟ ରାଜ୍ୟରେ ଘଟୁଥିବା ପ୍ରାକୃତିକ ଦୁର୍ବିପାକ ସମୟରେ ଉଦ୍ଧାର କାର୍ଯ୍ୟରେ ଓଡିଶାର ଓଡ୍ରାଫ ଓ ଅନ୍ୟ ସରକାରୀ ସଂସ୍ଥାମାନେ ବେଶ୍‍ ପ୍ରଶଂସନୀୟ କାର୍ଯ୍ୟ କରୁଛନ୍ତି ।

About The Author: The Sakala