ଭୋଟର ତାଲିକା ସଂଶୋଧନ: ଓଡ଼ିଶା ସମେତ ୧୬ଟି ରାଜ୍ୟରେ ହେବ ତୃତୀୟ ପର୍ଯ୍ୟାୟ ‘SIR’

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ (ECI) ଦେଶବ୍ୟାପୀ ଭୋଟର ତାଲିକା ଅପଡେଟ୍ କରିବା ପାଇଁ 'ସ୍ୱତନ୍ତ୍ର ସଘନ ସଂଶୋଧନ' (Special Intensive Revision - SIR) ର ତୃତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତୃଣମୂଳ ସ୍ତରରେ ଯାଞ୍ଚ କରିବା ଏବଂ ନିର୍ବାଚନ ଅଧିକାରୀଙ୍କ ସହିତ ସମନ୍ୱୟ ରକ୍ଷା କରି ଭୋଟର ତାଲିକାରେ ଅଧିକ ସ୍ୱଚ୍ଛତା ତଥା ସଠିକତା ଆଣିବା।

ଏହି ତୃତୀୟ ପର୍ଯ୍ୟାୟ ଅଧୀନରେ ଦେଶର ୧୬ଟି ରାଜ୍ୟ ଏବଂ ୩ଟି କେନ୍ଦ୍ରଶାସିତ ଅଞ୍ଚଳ (UTs) ରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯିବ। ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଓ ନଗର ହାବେଳି ଏବଂ ଦାମନ ଓ ଡିଉ, ହରିୟାଣା, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ନୂଆଦିଲ୍ଲୀ, ପଞ୍ଜାବ, ସିକ୍କିମ୍, ତ୍ରିପୁରା, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡ ସାମିଲ ରହିଛି।

ତୃତୀୟ ପର୍ଯ୍ୟାୟରୁ ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର ଏବଂ ଲଦାଖ କୁ ବାଦ୍ ଦିଆଯାଇଛି। ତୃତୀୟ ପର୍ଯ୍ୟାୟର ସମୟସୂଚୀକୁ ଜନଗଣନା କାର୍ଯ୍ୟ ସହ ସମନ୍ୱୟ ରଖି ପ୍ରସ୍ତୁତ କରାଯାଇଛି। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ଏହି ତିନୋଟି ଅଞ୍ଚଳରେ ଚାଲିଥିବା ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଶେଷ ହେବା ପରେ ଏବଂ ସେଠାକାର ପାଣିପାଗ ତଥା ବରଫାବୃତ ଅଞ୍ଚଳର ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ।

ଆୟୋଗଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ, ତୃତୀୟ ପର୍ଯ୍ୟାୟରେ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ ୩.୪୨ ଲକ୍ଷ ବୁଥ୍ ସ୍ତରୀୟ ଏଜେଣ୍ଟ (BLAs) ଙ୍କ ସହାୟତାରେ ୩.୯୪ ଲକ୍ଷରୁ ଅଧିକ ବୁଥ୍ ଲେଭଲ୍ ଅଫିସର (BLOs) ଘରକୁ ଘର ବୁଲି ପ୍ରାୟ ୩୬.୭୩ କୋଟି ଭୋଟର ଙ୍କ ତଥ୍ୟ ଯାଞ୍ଚ କରିବେ। ଏହି ସଂଶୋଧନ ପ୍ରକ୍ରିୟାରେ ଭୋଟର, ରାଜନୈତିକ ଦଳ ଏବଂ ନିର୍ବାଚନ ଅଧିକାରୀଙ୍କ ଭଳି ସମସ୍ତ ଅଂଶୀଦାର ସାମିଲ ହୋଇ ପ୍ରକ୍ରିୟାକୁ ସ୍ୱଚ୍ଛ କରିବାକୁ ନିର୍ବାଚନ କମିଶନ ନିବେଦନ କରିଛନ୍ତି।

ନିର୍ବାଚନ ଆୟୋଗ(Election Commission)ଙ୍କ ଦ୍ୱାରା ଓଡ଼ିଶାରେ ଏହି ଏସଆଇଆର ନିମନ୍ତେ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଚଳିତ ମଇ ମାସ ୨୦ରୁ ୨୯ ତାରିଖ ମଧ୍ୟରେ କ୍ଷେତ୍ର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଓ ଆନୁଷଙ୍ଗିକ ମୁଦ୍ରଣ କାର୍ଯ୍ୟ ଶେଷ କରାଯିବ। ମଇ ୩୦ରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓମାନେ ଘରକୁ ଘର ପରିଦର୍ଶନ କରି ତଥ୍ୟ ଯାଂଚ କରିବା ସହ ଜୁନ ୨୮ ସୁଦ୍ଧା ମତଦାନ କେନ୍ଦ୍ରଗୁଡିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ ଶେଷ ହେବ। 

ଜୁଲାଇ ୫ ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ ଓ ଜୁଲାଇ ୫ରୁ ଅଗଷ୍ଟ ୪ତାରିଖ ପର୍ଯ୍ୟନ୍ତ ନାଗରିକମାନେ ସେମାନଙ୍କର ଦାବି କିମ୍ବା ଆପତ୍ତିି ଦାଖଲ କରିପାରିବେ। ଜୁଲାଇ ୫ରୁ ସେପ୍ଟେମ୍ବର ୨ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଉପରେ ନିଷ୍ପତ୍ତି ନିଆଯିବ ଓ ସେପ୍ଟେମ୍ବର ୬ତାରିଖରେ ରାଜ୍ୟରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବ ବୋଲି କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି।

ଏହି ଏସଆଇଆର ପ୍ରକ୍ରିୟା ପାଇଁ ଯୋଗ୍ୟତା ତାରିଖ ୨୦୨୬ ଜୁଲାଇ ୧ ଧାର୍ଯ୍ୟ ହୋଇଛି। ଏହି ସମୟ ସୁଦ୍ଧା ୧୮ବର୍ଷ ପୂରଣ କରୁଥିବା ନୂଆ ଭୋଟରମାନେ ମଧ୍ୟ ନିଜ ନାମ ପଞ୍ଜିକରଣ କରିବାର ସୁଯୋଗ ପାଇପାରିବେ।

About The Author: Madhusudan Das