ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତାପମାତ୍ରା କମୁଛି। ଦୀପାବଳିଠାରୁ ତାପମାତ୍ରା ଆହୁରି ହ୍ରାସ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ବର୍ତ୍ତମାନ ଜାରି ରହିଥିବା ସ୍ଥିତିରେ ପରିବର୍ତ୍ତନ ଆସିବ ଓ ହାଲୁକା ଥଣ୍ଡା ଅନୁଭୂତ ହେବ। ମଙ୍ଗଳବାର ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ପହଞ୍ଚିଥିବା ବେଳେ ଅନୁଗୁଳରେ ତାପମାତ୍ରା ୧୯ ଡିଗ୍ରୀ ରେକର୍ଡ ହୋଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ଜାରି ରହିଥିବା ଆଂଶିକ ମେଘୁଆ ସହିତ କାଁଭାଁ ବର୍ଷା ହୋଇପାରେ। ନଭେମ୍ବର ୨ ପର୍ଯ୍ୟନ୍ତ ଏହି ସ୍ଥିତି ରହିବ। ୩୧ରୁ ଉତ୍ତର ଭାରତରୁ ଥଣ୍ଡା ପବନ ବହିବାକୁ ଥିବାରୁ ତାପମାତ୍ରା ହ୍ରାସ ପାଇବ। ଭୁବେନଶ୍ୱର ସମେତ ଉପକୂଳ ଜିଲ୍ଲାରେ ଦୀପାବଳି ଗିନ ସ୍ୱଳ୍ପ ବର୍ଷା ହୋଇପାରେ। ତେବେ ଦୀପାବଳି ରାତିରେ ଅର୍ଥାତ ନଭେମ୍ବର ୧-୫ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରୀ କମିବ। ଆସନ୍ତା ୩ ଦିନ ସକାଳେ ହାଲୁକା କୁହୁଡ଼ି ପାଗ ସହ ଏହା ପରେ ଶିଶିତପାତ ବଢ଼ିବ।
ଉତ୍ତର ଆଭ୍ୟନ୍ତରୀଣରେ ବୁଧବାରରେ କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଗୁରୁବାର ପଶ୍ଚିମ ଓ ଉତ୍ତର-ପଶ୍ଚିମ ଓଡ଼ିଶାରେ ମେଘୁଆ ପାଗ ସହିତ ହାଲୁକା ବର୍ଷା ହେବ। ଗୁରୁବାରରୁ ସୋମବାର ମଧ୍ୟରେ ରାତିରେ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବାକୁ ଥିବା ବେଳେ ଦକ୍ଷିଣ ଆଭ୍ୟନ୍ତରୀଣରେ ଗୁରୁବାର ରାତିରୁ ପରବର୍ତ୍ତୀ ତିନି ଦିନ ମଧ୍ୟରେ ରାତି ତାପମାତ୍ରା ପ୍ରାୟ ୪ ଡିଗ୍ରୀ କମିପାରେ। ମଝିରେ ମଝିରେ ଝିପିଝିପି ବର୍ଷା ଓ ତାପମାତ୍ରା କମି ନ ଥିବାରୁ ଧାନ ଫସଲରେ ଚକଡ଼ା ପୋକାର ପ୍ରାଦୁର୍ଭାବ ବଢ଼ିବାର ଆଶଙ୍କା ରହିଥିବା ପ୍ରଫେସର ପଶୁପାଳକ ଚେତାବନୀ ଦେଇଛନ୍ତି। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।