ଭୁବନେଶ୍ବର: କୋଭିଡି–୧୯ ର ନୂଆ ପ୍ରଜାତି ବିଏଫ୍-୭ ଏବେ ପୃଥିବୀର ବିଭିନ୍ନ ଦେଶ ଯଥା ଚୀନ୍, ଜାପାନ, ୟୁଏସ୍ଏ, ବ୍ରାଜିଲ୍, କୋରିଆରେ କାୟା ବିସ୍ତାର କରିଥିବାବେଳେ ଭାରତରେ ମଧ୍ୟ ଏହି ପ୍ରଜାତି ଚିହ୍ନଟ ହେବା ଅତି ଉଦ୍ବେଗର ବିଷୟ । ରାଜ୍ୟରେ ୧୨ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ୮.୧୪ କୋଟି ପ୍ରଥମ ଡୋଜ୍ ୩.୩୦ କୋଟି ଦ୍ଵିତୀୟ ଡୋଜ୍ ୧୮ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ୧.୩୧ କୋଟି ପ୍ରିକସନ୍ ଡୋଜ୍ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ପ୍ରିକସନ୍ ଡୋଜ୍ ୪୧ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଏବେ ରାଜ୍ୟରେ କୌଣସି ଭ୍ୟାକସିନର ଷ୍ଟକ ନାହିଁ । ତେବେ ବିଭିନ୍ନ ବର୍ଗର ନାଗରିକଙ୍କର ଆବଶ୍ୟକତା ଦୃଷ୍ଟିରୁ ଟିକାକରଣରୁ ବଞ୍ଚିତ ୧.୯୩ କୋଟି ଲୋକଙ୍କୁ ଦିଆଯିବାକୁ ଥିବା ପ୍ରିକସନ ଡୋଜ ଆବଶ୍ୟକ ।
ଏହି ପରିପ୍ରେକ୍ଷୀରେ ଟିକାକରଣରୁ ବଞ୍ଚିତ ଲୋକମାନଙ୍କ ପାଇଁ ମାର୍ଗଦର୍ଶିକା ଜାରି କରିବା ସହିତ ଆବଶ୍ୟକ ଟିକା ରାଜ୍ୟର ବିଭିନ୍ନ ସରକାରୀ ନିରୁପିତ ଟୀକାକରଣ କେନ୍ଦ୍ରଗୁଡିକୁ ଯୋଗାଇଦେବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋକ ଦାସ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।