ଓଏମସିର କୋଡିଙ୍ଗାମାଳି ଖଣି ସମ୍ପ୍ରସାରଣ ସପକ୍ଷରେ ସ୍ଥାନୀୟ ଲୋକେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ସରକାର ପ୍ରତିବଦ୍ଧ

ଓଡ଼ିଶା ଖଣି ନିଗମ (ଓଏମସି) ଦ୍ୱାରା କୋଡ଼ିଙ୍ଗାମାଳି ଖଣି ବିଗତ ଆଠ ବର୍ଷ ଧରି ପରିଚାଳିତ ହୋଇଆସୁଛି, ଯାହାକି ଓଡ଼ିଶାର କୋରାପୁଟ ଏବଂ ରାୟଗଡା ଜିଲ୍ଲାରେ ରହିଛି। ଏଠାରୁ ଉତ୍ପାଦିତ ବକ୍ସାଇଟ୍ ରାଜ୍ୟର ଶିଳ୍ପଗୁଡ଼ିକୁ ଯୋଗାଇ ଦିଆଯାଏ, ଯାହା ଓଡ଼ିଶାର ଶିଳ୍ପ ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ବର୍ତ୍ତମାନ ଏହି ଖଣି ବାର୍ଷିକ ୩.୬ ନିୟୁତ ଟନ୍ କ୍ଷମତାରେ କାର୍ଯ୍ୟ କରୁଛି। ବଢି ଚାଲିଥିବା ଶିଳ୍ପ ଚାହିଦା ଏବଂ ଓଡ଼ିଶାର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଖଣି ଏବେ ବାର୍ଷିକ ୬.୦ ନିୟୁତ ଟନକୁ ସମ୍ପ୍ରସାରିତ ହେଉଛି।

ବର୍ତ୍ତମାନ କିଛି ଶିଳ୍ପ ବିରୋଧି ନ୍ୟସ୍ତସ୍ବାର୍ଥ ଗୋଷ୍ଠି ଏହି ସମ୍ପ୍ରସାରଣକୁ ବିରୋଧ କରିବା ସହିତ ଶିଳ୍ପ ପ୍ରଗତିରେ ବାଧା ସୃଷ୍ଟି ପାଇଁ ଆଗେଇ ଆସିଛନ୍ତି । ଏହାଦ୍ୱାରା ବିକାଶମୂଳକ କାର୍ଯ୍ୟରେ କେତେକ ବ୍ୟାଘାତ ସୃଷ୍ଟି ହୋଇଛି। ତେବେ ଶିଳ୍ପ ଦ୍ବାରା ହେବାକୁ ଥିବା ବିକାଶକୁ ହୃଦୟଙ୍ଗମ କରି  ବହୁ ସଂଖ୍ୟାରେ ସ୍ଥାନୀୟ ଲୋକେ ଏହି ସମ୍ପ୍ରସାରଣକୁ ବିପୁଳ ସମର୍ଥନ କରିଛନ୍ତି। ଖଣି ଆଖପାଖ ଗାଁର ୧୦ ହଜାର ରୁ ଅଧିକ ବାସିନ୍ଦା ଆନୁଷ୍ଠାନିକ ଭାବରେ ସମ୍ପ୍ରସାରଣକୁ ସମର୍ଥନ କରି ଏକ ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ସମର୍ଥନ ଏହି ପ୍ରକଳ୍ପ ଦ୍ୱାରା ଶିକ୍ଷା, ସ୍ୱାସ୍ଥ୍ୟସେବା, ଜୀବିକା, ଜଳ ଯୋଗାଣ, ସଡ଼କ ସଂଯୋଗ ସମେତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଲାଭ ଉପରେ ଆଲୋକପାତ କରେ।

ଖଣି ସମ୍ପ୍ରସାରଣ ଦ୍ବାରା ହେବାକୁ ଥିବା ବିକାଶ ଉପରେ ମତ ରଖି, ଓଏମସି ସ୍ଥାୟୀ ଖନନ, ଗୋଷ୍ଠୀ କଲ୍ୟାଣ ଏବଂ ସମାବେଶୀ ଅଭିବୃଦ୍ଧି ପ୍ରତି ଏହାର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଛି। ଏହି ସମ୍ପ୍ରସାରଣ ଦ୍ୱାରା ପରିବେଶ ସୁରକ୍ଷା ଏବଂ ସମସ୍ତ ନିୟମ ଅନୁପାଳନ ସୁନିଶ୍ଚିତ କରିବା ସହିତ ଏହି ଅଞ୍ଚଳ ପାଇଁ ଗୁରୁତ୍ୱପୂର୍ଣ୍ଣ ସାମାଜିକ-ଅର୍ଥନୈତିକ ଲାଭ ସୃଷ୍ଟି କରିବ ବୋଲି ଆଶା କରାଯାଉଛି।

About The Author: Tapas Ranjan Nanda