ଭୁବନେଶ୍ୱର: ବାଜିଲା ବିଗୁଲ। ଓଡ଼ିଶାରେ ଆଜି ଠାରୁ ଆରମ୍ଭ ହେଲା ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ। କଳିଙ୍ଗ ଷ୍ଟାଡିୟମ୍ରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ମ୍ୟାଚ୍ ଦିନ ୧ଟାରେ ଆରମ୍ଭ ହୋଇଛି। ଏହା ପରେ ଅଷ୍ଟ୍ରେଲିଆ- ଫ୍ରାନ୍ସ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅପରାହ୍ଣ ୩ଟାରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ମ୍ଯାଚ ଦେଖିବାକୁ ଦର୍ଶକଭଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଟିକେଟ ଦେଖାଇ ଜଣକ ପରେ ଜଣେ ଦର୍ଶକ ଷ୍ଟାଡିଅମ ଭିତରକୁ ପ୍ରବେଶ କରୁଛନ୍ତି। ଫାଟକ ପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଷ୍ଟାଡିୟମ ଭିତରକୁ ପ୍ରବେଶ ବେଳେ କାଏନ, ପାଣି ବୋଟଲ, ପାୱାର ବ୍ୟାଙ୍କ, କ୍ୟାମେରା, ହେଲମେଣ୍ଟ ନେବାକୁ ବାରଣ କରାଯାଇଛି।
ପରେ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଇଂଲଣ୍ଡ ଓ ୱେଲ୍ସ ଅପରାହ୍ଣ ୫ଟାରେ ପ୍ରଥମ ମ୍ୟାଚ୍ ଖେଳିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଭାରତ ଓ ସ୍ପେନ୍ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚରେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବେ। ମ୍ୟାଚ୍ ପରେ ସେ ଖେଳାଳିଙ୍କ ଲାଗି ନିର୍ମାଣ କରାଯାଇଥିବା କ୍ରୀଡ଼ାଗ୍ରାମ୍ (ଗେମ୍ସ ଭିଲେଜ) ରେ ମୁଖ୍ୟମନ୍ତ୍ରୀ ରାତ୍ରିଯାପନ କରିବେ।
ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ନବନିର୍ମିତ ତଥା ଅତ୍ୟାଧୁନିକ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ରେ ଏକସଙ୍ଗେ ଖେଳ ଅନୁଷ୍ଠିତ ହେବ। ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏ ହେବାକୁ ଥିବା ଏହି ହକି ମହାସମରରେ ସେମାନଙ୍କ କ୍ରୀଡ଼ା କୌଶଳ ପ୍ରଦର୍ଶନ କରିବେ। ଏଥିରେ ମୋଟ ୪୪ଟି ମ୍ୟାଚ୍ ଖେଳାଯିବାକୁ ଥିଲାବେଳେ କଳିଙ୍ଗରେ ୨୪ଟି ଓ ରାଉରକେଲାରେ ୨୦ଟି ମ୍ୟାଚ୍ ଅନୁଷ୍ଠିତ ହେବ।