ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟବ୍ୟାପୀ ବିସିଜେଡିକୁ ବିପୁଳ ସମର୍ଥନ ମିଳିଛି। ଶୁକ୍ରବାର ଶଂଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ଗଣମାଧ୍ୟମ ସଂଯୋଜକ ଡଃ ଲେନିନ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ସୌମ୍ୟ ରଞ୍ଜନ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଲେନିନ ମହାନ୍ତି କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନରେ ଛାତ୍ରଛାତ୍ରୀ ମାନେ ବିଜେଡି ପ୍ରତି ବିପୁଳ ସମର୍ଥନ ଜଣାଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜେନ ଜି ମାନଙ୍କ ଭଲ ପାଇବାକୁ ଏହା ପ୍ରମାଣିତ କରିଛି। ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ଓଡ଼ିଶାରେ ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଲବିକ ପରିବର୍ତ୍ତନ ଆସିଥିଲା। ଇପ୍ସିତା ସାହୁଙ୍କ ଭଳି ଜଣେ ଛାତ୍ରୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଦାୟିତ୍ୱ ଦେଇଥିବା ବେଳେ ସେ ତାହାକୁ ସଠିକ୍ ଢଙ୍ଗରେ ତୁଲାଇ ନିର୍ବାଚନରେ ବିସିଜେଡିକୁ ବିଜୟ କରାଇଛନ୍ତି। ବିଜେପି ସରକାର ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ସରକାରୀ କଳର ବ୍ୟାପକ ଅପପ୍ରୟୋଗ କରିଥିଲେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ସମର୍ଥନ ହାସଲ କରିପାରିଲେ ନାହିଁ। ଜେନ୍-ଜି ମୁଖ୍ୟମନ୍ତ୍ରୀଙ୍କ ରମାଦେବୀ ବିଶ୍ୱବିଦ୍ୟାଳୟ ବିଜୟ ସ୍ୱପ୍ନରେ ପାଣି ଢ଼ାଳିଦେଲେ। ଦୁଇ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ବିସିଜେଡି ବଡ ବିଜୟ ହାସଲ କଲା। ରାଜ୍ୟର ୨୮୬ଟି କଲେଜରେ ଛାତ୍ର ସଂସଦ ନିର୍ବାଚନ ହୋଇଥିବା ବେଳେ ୧୭୦ କଲେଜରେ ବିଜେଡି ବିଜୟ ଲାଭ କରିଛି ବୋଲି ସେ କହିଛନ୍ତି।
ଇପ୍ସିତା ସାହୁ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନରେ ବିଜେଡି ପ୍ରତି ଛାତ୍ରଛାତ୍ରୀ ମାନେ ବିପୁଳ ସମର୍ଥନ ଜଣାଇଛନ୍ତି। ଯାହାକୁ ବିଜେପି ସହଜରେ ଗ୍ରହଣ କରିପାରୁନାହିଁ। ରାଜ୍ୟର ୬୦ ପ୍ରତିଶତରୁ ଊର୍ଦ୍ଧ୍ବ କଲେଜରେ ବିଜେଡି ବିଜୟ ହାସଲ କରିଛି। ମାତ୍ର ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ଅନ୍ୟ ନେତା ମାନେ ଏବିଭିପି ରାଜ୍ୟର ୮୦ ପ୍ରତିଶତ କଲେଜରେ ବିଜୟ ହୋଇଛି ବୋଲି ମିଛ ପ୍ରଚାର କରୁଛନ୍ତି। ସରକାରୀ କଳ ଓ ବଳ ଲଗାଇ ଦେଇଥିଲେ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ଜିତିବାରେ ସଫଳ ହୋଇନାହିଁ ବିଜେପି। ଜେନ ଜି ମାନେ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମର୍ଥନ ଜଣାଇଛନ୍ତି। ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ସରକାର ଅନେକ ଚକ୍ରାନ୍ତ କରିଥିଲେ, ଏମିତି କି ଫଳାଫଳ ପ୍ରକାଶ କରିବାରେ ଅନେକ ବିଳମ୍ୱ କଲେ ହେଁ ସଫଳ ହେଲା ନାହିଁ। ସୌମ୍ୟ ରଞ୍ଜନ ମହାପାତ୍ର କହିଥିଲେ ଯେ, ସରକାରଙ୍କ ସବୁ ଚକ୍ରାନ୍ତ ବିଫଳ ହୋଇଛି।
ବିସିଜେଡି ପ୍ରାର୍ଥୀ ମାନେ ବିପୁଳ ବିଜୟ ହାସଲ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନକୁ ନିଜ ସପକ୍ଷରେ ନେବାକୁ ବିଜେପି ସରକାର ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଉପାୟ ଅବଲମ୍ୱନ କରିଥିଲେ। ଏହାସତ୍ତେ୍ୱ ବିଜେପି ସରକାରଙ୍କ ସବୁ ଚକ୍ରାନ୍ତ ବିଫଳ ହୋଇଛି। ପ୍ରାର୍ଥୀ ଚୋରି ଓ ଭୋଟ ଚୋରି କରିବା ପ୍ରୟାସ ସଫଳ ହୋଇନାହିଁ। ଜେନ ଜି ମାନେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରହିଛନ୍ତି ଓ ଆଗକୁ ମଧ୍ୟ ରହିବେ ବୋଲି ସେ କହିଛନ୍ତି।