ଭୁବନେଶ୍ୱର : ନିର୍ଦ୍ଧାରିତ ସମସୟରେ ସ୍କୁଲ ଆସୁନାହାନ୍ତି ସରକାରୀ ସ୍କୁଲର ଶିକ୍ଷକ। ଶିକ୍ଷକମାନେ କିଛି ସ୍ଥାନରେ ବିଳମ୍ବରେ ପହଞ୍ଚୁଥିବାବେଳେ ଆଉ କେଉଁଠି ଜମା ଆସୁ ନାହାନ୍ତି। ଗଣଶିକ୍ଷା ମନ୍ତ୍ରୀ ନିକଟରେ ବିଭିନ୍ନ ଜିଲ୍ଲା ଗସ୍ତ କରିଥିବାବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳ ସ୍ୱରୂପ ବିଭିନ୍ନ ଜିଲ୍ଲା ପାଇଁ ଅଧିକାରୀମାନଙ୍କୁ ନିଯୁକ୍ତି କରାଯାଇଛି। ସେମାନେ ଅଚାନକ ଗସ୍ତ କରି ସ୍କୁଲର ସ୍ଥିତି ପରଖିବେ। ଶିକ୍ଷକଙ୍କ ଉପସ୍ଥାନ ଓ ଶୈକ୍ଷିକ ମାନ ଯାଞ୍ଚ କରିବେ। ସ୍କୁଲର ଅଭାବ ଅସୁବିଧା ବାବଦରେ ବିଭାଗକୁ ରିପୋର୍ଟ ଦେବେ। ହେଲେ ପ୍ରଶ୍ନ ଉଠୁଛି ଶିକ୍ଷକଙ୍କ ଉପସ୍ଥାନ ଓ ସମୟ ଯାଞ୍ଚ ପାଇଁ ଗଣଶିକ୍ଷା ବିଭାଗର ଅତ୍ୟାଧୁନିକ ବ୍ୟବସ୍ଥା କେବେ? ଅତୀତର ଯୋଜନା ଥିବା ବାୟୋମେଟ୍ରିକ୍ ଉପସ୍ଥାନ ଯୋଜନା କେବେ ଠାରୁ ଲାଗୁ ହେବ ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।
କେଉଁ ସମୟରେ ଶିକ୍ଷକମାନେ ସ୍କୁଲ ଆସୁଛନ୍ତି? ସ୍କୁଲରେ କେତେ ସମୟ ରହୁଛନ୍ତି? ଏସବୁକୁ ତଦାରଖ ପାଇଁ ଗଣଶିକ୍ଷା ବିଭାଗ ବାୟୋମେଟ୍ରିକ୍ ବ୍ୟବସ୍ଥା ଭଳି ଅଭିନବ ଯୋଜନା କରିଥିଲା। ଏଥିପାଇଁ ସମସ୍ତ ଅଂଶୀଦାରମାନଙ୍କ ସହିତ ଆଲୋଚନା ହେବା ସହ ବ୍ୟୟ ବରାଦ ମଧ୍ୟ ସରିଲା। ୨୦୧୪ ମସିହାରୁ ହୋଇଥିବା ଏହି ଯୋଜନା ଏବେ ଶୀତଳଭଣ୍ଡାରରେ ପଡ଼ି ରହିଛି। ଇତି ମଧ୍ୟରେ ୫ରୁ ଅଧିକ ମନ୍ତ୍ରୀ ଓ ସଚିବ ବଦଳି ଥିବାବେଳେ ଯୋଜାନା କେବଳ ଯୋଜନାରେ ହିଁ ସୀମିତ ରହିଛି। ବାସ୍ତବ ରୂପ ନେଇନି। ସେହିପରି ବାୟୋ ମେଟ୍ରିକ୍ ଯୋଜନା ଶିକ୍ଷକଙ୍କମାନଙ୍କ ସହିତ ପିଲାଙ୍କ ପାଇଁ ଲାଗୁ କରାଯିବାର ବ୍ୟବସ୍ଥା ହୋଇଥିଲା। ଦୈନିକ ପିଲାଙ୍କ ଉପସ୍ଥାନ ଯାଞ୍ଚ କରିବା ଓ ମଧ୍ୟାହ୍ନ ଭୋଜନ ଯୋଜନାରେ ହେଉଥିବା ବାଟମାରଣାକୁ ମଧ୍ୟ ରୋକିବା ପାଇଁ ଏହାକୁ ଲାଗୁ କରାଯିବାର ଯୋଜନା ରହିଥିଲା। ପ୍ରାଥମିକ ପର୍ଯ୍ୟାୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଏହାକୁ କିଛି ସ୍କୁଲରେ ପାଇଲଟ୍ ପ୍ରଳଳ୍ପ ଭାବେ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହେଲା।
ହେଲେ ପରିତ୍ତାପର ବିଷୟ ସ୍କୁଲ ସ୍ତରରେ ଏହାକୁ ଲାଗୁ କରିବା ସମ୍ଭବପର ହେଲାନି। ଏବେ ପୁଣି ଗଣଶିକ୍ଷା ବିଭାଗ ଅଧିକାରୀଙ୍କ ଗସ୍ତକୁ ଗୁରୁତ୍ୱ ଦେଉଛି। ଏଣିକି ତୃଣମୂଳ ସ୍ତରରୁ ନିୟମିତ ଶିକ୍ଷାଦାନ ସ୍ଥିତି ଯାଞ୍ଚ କରିବାକୁ ବିଭାଗ ଯୋଜନା କରିଛନ୍ତି। ସଚିବଙ୍କ ଠାରୁ ଆରମ୍ଭ କରି ସିଆରସିସିମାନେ ନିୟମିତ ବିଭିନ୍ନ ସ୍କୁଲ ଗସ୍ତ କରି ସ୍ଥିତି ପରଖିବେ। ଏଥି ପାଇଁ ବିଭାଗର ସଚିବ,ଅତିରିକ୍ତ ସଚିବ, ନିର୍ଦ୍ଦେଶକ ଓ ଅତିରିକ୍ତ ନିର୍ଦ୍ଦେଶକ ପ୍ରମୁଖଙ୍କୁ ଜିଲ୍ଲାୱାରୀ ଦାୟିତ୍ୱ ବଣ୍ଟନ ହୋଇଛି। ସେମାନେ ଅଚାନକ ଗସ୍ତ କରି ଶିକ୍ଷକଙ୍କ ଉପସ୍ଥାନ, ଶିକ୍ଷାଦନ ସ୍ଥିତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ଯାଞ୍ଚ କରିବେ। ହେଲେ ବାୟୋମେଟ୍ରିକ୍ ବ୍ୟବସ୍ଥା ଲାଗୁ କରାଗଲେ ସହଜରେ ଶିକ୍ଷକଙ୍କ ଉପସ୍ଥାନ ଓ ଶିକ୍ଷାଦନ ସମୟ ଯାଞ୍ଚ କରାଯାଇ ପାରିବ ବୋଲି ଶିକ୍ଷାବିତ୍ ପ୍ରବୋଧ ପଣ୍ଡା କହିଛନ୍ତି।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଖାଲି ଉପସ୍ଥାନ ସମୟ ଯାଞ୍ଚ କଲେ ଗୁଣାତ୍ମକ ଶିକ୍ଷା ମିଳିବନି। ଏଥିପାଇଁ ସ୍କୁଲଗୁଡ଼ିକୁ ବିଭାଗ ଆବଶ୍ୟକ ସଂଖ୍ୟକ ଶିକ୍ଷକ ମଧ୍ୟ ଯୋଗାଇ ଦେବା ଜରୁରୀ। ସେହିଭଳି ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ କହନ୍ତି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଦୈନିକ ରେକର୍ଡ଼ ହେଉଛି। ସିଆରସିସିମାନଙ୍କୁ ତୃଣମୂଳ ସ୍ତରରେ ଏହି ଦାୟିତ୍ୱ ଦିଆଯଅଇଛି। ତେବେ ଏହାକୁ ଅଧିକ ଡିଜିଟାଲାଇଜ୍ ପାଇଁ ବିଭାଗ ସ୍ତରରେ ଆଲୋଚନା ହୋଇଛି ବୋଲି ସେ କହିଛନ୍ତି।