ପୁରୀ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ତାଳଚେର-ପୁରୀ ମେମୋ ପାସେଞ୍ଜର ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ: ଲାଇନଚ୍ୟୁତ ହେଲା ତାଳଚେର-ପୁରୀ ମେମୋ ପାସେଞ୍ଜର ଟ୍ରେନ୍‌ । ପୁରୀ ଷ୍ଟେସନରୁ ମାତ୍ର ୫୦୦ ମିଟର ଦୂରରେ ଟ୍ରେନର ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ତାଳଚେରରୁ ପୁରୀ ଆସୁଥିବା ଏହି ମେମୋ ପାସେଞ୍ଜର ଟ୍ରେନ୍ ଷ୍ଟେସନରେ ପ୍ରବେଶ କରିବା ପୂର୍ବରୁ ହଠାତ୍ ଲାଇନଚ୍ୟୁତ ହୋଇଛି।

ସୂଚନା ଅନୁଯାୟୀ, ଏହି ଘଟଣାଟି ପୁରୀ ଷ୍ଟେସନଠାରୁ ପ୍ରାୟ ୫୦୦ ମିଟର ଦୂରରେ ଥିବା ପ୍ଲାଟଫର୍ମ ନମ୍ବର ୩ ନିକଟରେ ଘଟିଥିଲା। ଟ୍ରେନର ଗତି ଧୀର ଥିବାରୁ କୌଣସି ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ କିମ୍ବା କେହି ମୃତାହତ ହୋଇଥିବାର ରିପୋର୍ଟ ନାହିଁ। ଶହ ଶହ ଯାତ୍ରୀ ଏକ ନିଶ୍ଚିତ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ଲାଇନଚ୍ୟୁତ ହେବା ପରେ ଟ୍ରେନ୍ ଅଟକି ଯିବାରୁ, ଯାତ୍ରୀମାନେ ଭୟଭୀତ ନହୋଇ ନିଜ ନିଜର ଜିନିଷପତ୍ର ଧରି ଷ୍ଟେସନ ଆଡ଼କୁ ଚାଲି ଚାଲି ଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ରେଳବାଇ କର୍ମଚାରୀ ଏବଂ ରେଳବାଇ ସୁରକ୍ଷା ବଳ (RPF) ତୁରନ୍ତ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଟ୍ରାକ୍ କ୍ଲିୟର୍ କରିବା ସହ ଲାଇନଚ୍ୟୁତ ହୋଇଥିବା ଟ୍ରେନକୁ ହଟାଇ ସ୍ୱାଭାବିକ ଚଳାଚଳ ପୁନଃସ୍ଥାପନ ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି।

ଏହି ଘଟଣା ଯୋଗୁଁ କିଛି ସମୟ ପାଇଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲେ ମଧ୍ୟ ଅନ୍ୟ କୌଣସି ଟ୍ରେନ୍ ବିଶେଷ ଭାବରେ ପ୍ରଭାବିତ ହୋଇନଥିବା ଜଣାପଡ଼ିଛି। ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି ଯେ ଏକ ବିସ୍ତୃତ ତଦନ୍ତ ପରେ ହିଁ ଲାଇନଚ୍ୟୁତ ହେବାର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ।

About The Author: Madhusudan Das