ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ସୁପ୍ରିମକୋର୍ଟରେ ବିଦ୍ୟାଭାରତୀଙ୍କୁ ଝଟକା, ଆବେଦନ ଖାରଜ

ଭୁବନେଶ୍ୱର: ଏସିଏଫ୍ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ବୁଧବାର ଦିନ ସର୍ବୋଚ୍ଚ ନ୍ୟାୟାଳୟ ବିଦ୍ୟାଭାରତୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ ସେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ। ପୂର୍ବରୁ ହାଇକୋର୍ଟ ବିଦ୍ୟାଭାରତୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ହଟାଇବା ସହ ପ୍ରୋଟେଷ୍ଟ ପିଟିସନକୁ ମଧ୍ୟ ଖାରଜ କରିଥିଲେ । 

ଏହି ମାମଲାରେ ନିଜ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ବାତିଲ କରିବା ପାଇଁ ହାଇକୋର୍ଟ ମନା କରିଦେବା ପରେ ବିଦ୍ୟାଭାରତୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ସହିତ ଆବେଦନର ବିଚାର ଚାଲିଥିବା ସମୟରେ ଗିରଫଦାରୀରୁ ସୁରକ୍ଷା ପାଇଁ ମଧ୍ୟ ସେ ନିବେଦନ କରିଥିଲେ। ତେବେ ପୂର୍ବରୁ ହାଇକୋର୍ଟ ଏହି ଆବେଦନକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି।

ସୂଚନାଯୋଗ୍ୟ, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ଏସିଏଫ୍ ଭାବେ କାର୍ଯ୍ୟରତ ଥିବା ସୌମ୍ୟ ରଞ୍ଜନ ମହାପାତ୍ରଙ୍କର ସନ୍ଦେହଜନକ ମୃତ୍ୟୁକୁ ନେଇ ଏହି ମାମଲା ରୁଜୁ ହୋଇଥିଲା। ଜୁଲାଇ ୨୦୨୧ ମସିହାରେ ନିଜ ସରକାରୀ ବାସଭବନରେ ସେ ଗୁରୁତର ଭାବେ ପୋଡ଼ି ହୋଇଯାଇଥିଲେ। ପରେ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୌମ୍ୟଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଥିଲେ। ଏହି ଘଟଣାରେ ପତ୍ନୀ ବିଦ୍ୟାଭାରତୀ, ତତ୍କାଳୀନ ଡିଏଫଓ (DFO) ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ।

About The Author: Madhusudan Das