ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର: ଓଡ଼ିଶାର ନୂତନ ପୋଲିସ ମହାନିର୍ଦ୍ଦେଶକ (DGP) ନିଯୁକ୍ତି ମାମଲାରେ ସୁପ୍ରିମକୋର୍ଟ ପୁଣିଥରେ ଶୁଣାଣି ଘୁଞ୍ଚାଇ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଦିନ ଧାର୍ଯ୍ୟ କରିଛନ୍ତି। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ଆଇନଜୀବୀ ସଂଗ୍ରାମ ପଟ୍ଟନାୟକ ।

ଭାରତର ପ୍ରଧାନ ବିଚାରପତିଙ୍କ (CJI) ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି। ରାଜ୍ୟ ସରକାର କେନ୍ଦ୍ର ଲୋକସେବା ଆୟୋଗ (UPSC) କୁ ବିଚାର ପାଇଁ ପଠାଇଥିବା ଭାରତୀୟ ପୋଲିସ ସେବା (IPS) ଅଧିକାରୀଙ୍କ ତାଲିକାକୁ ନେଇ ଏଥିରେ ପ୍ରଶ୍ନ ଉଠିଛି। ଏହି ଜନସ୍ୱାର୍ଥ ମାମଲା (PIL) ରେ ଅଭିଯୋଗ କରାଯାଇଛି ଯେ ରାଜ୍ୟ ସରକାର ପୋଲିସ ସଂସ୍କାର ସମ୍ପର୍କିତ ପ୍ରକାଶ ସିଂହ ଗାଇଡଲାଇନକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିନାହାଁନ୍ତି। 

ପୂର୍ବତନ ଡିଜିପି ୱାଇ.ବି. ଖୁରାନିଆଙ୍କ ଅବସର ପରେ ରାଜ୍ୟରେ ସ୍ଥାୟୀ ପୋଲିସ ମହାନିର୍ଦ୍ଦେଶକ ପଦବୀ ଖାଲି ପଡ଼ିଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ତୁଲାଉଛନ୍ତି। ତେବେ ନୂତନ ଡିଜିପି ନିଯୁକ୍ତି ପ୍ରକ୍ରିୟାରେ ରାଜ୍ୟ ସରକାର ନିୟମାବଳୀର ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ସମସ୍ତ ପକ୍ଷଙ୍କ ଶୁଣାଣି ପରେ ସର୍ବୋଚ୍ଚ ନ୍ୟାୟାଳୟ ସେପ୍ଟେମ୍ବର ୧୬କୁ ପରବର୍ତ୍ତୀ ତାରିଖ ଭାବେ ଧାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ, ରାଜ୍ୟ ସରକାର ନିଜର ପ୍ରକ୍ରିୟାକୁ ଠିକ୍ ଦର୍ଶାଇ ଏହାର ପକ୍ଷ ରଖିଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ନିଷ୍ପତ୍ତି ପରେ ହିଁ ଓଡ଼ିଶାରେ ନୂତନ ଡିଜିପି ନିଯୁକ୍ତି ପାଇଁ ବାଟ ଫିଟିବ। 

About The Author: Madhusudan Das