କେନ୍ଦୁଝର : କେନ୍ଦୁଝର ଠାରେ ଏକାଦଶୀ ରବିବାରଦିନ କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୂ ଶ୍ରୀ ଶ୍ରୀ ବଳଦେବଜୀଉ,ଶ୍ରୀ ଜଗନ୍ନାଥ ଏବଂ ମାତା ସୁଭଦ୍ରାଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ହଜାର ହଜାର ଭକ୍ତ ରଥାରୁଢ ଶ୍ରୀଜୀଉମାନଙ୍କର ପବିତ୍ର ସୁନାବେଶ ଦର୍ଶନ କରିବାର ଦୂର୍ଲ୍ଲଭ ସୁଯୋଗ ପାଇଥିବାବେଳେ ବଭକ୍ତ ବିଭୋର୍ ହୋଇଥିଲେ। ଏହି ସୁନାବେଶକୁ ସୁଶୃଙ୍ଖଳିତ ଭାବରେ ସମାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ ଏବଂ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ମଧ୍ୟାହ୍ନରୁ ଟ୍ରାଫିକ ବନ୍ଦୋବସ୍ତ କରାଯାଇ ଅପରାହ୍ନ ୩ଟାରେ ସୁନାବେଶ ଆରମ୍ଭ ହୋଇ ଭକ୍ତକୁଂ ଦର୍ଶନ ସୁଯୋଗ ପ୍ରଦାନ କରାଯାଇଥିଲା। ରଥ ଉପରକୁ କୌଣସି ଭକ୍ତ ଯିବାର ବ୍ୟବସ୍ଥା ନଥିବାବେଳେ ରଥ ଚାରିପଟେ କର୍ଡନ କରାଯାଇ ଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା। ବଡପଣ୍ଡା ,ରାଜପୁରୋହିତ ଏବଂ ବ୍ରହ୍ମା ଏବଂ ବରିଷ୍ଠ ପୂଜକମାନେ ଶ୍ରୀଜୀଉମାନଙ୍କର ସୁନାବେଶ କରାଇଥିଲେ। ରାଜାରାଜୁଡା ସମୟରୁ କେନ୍ଦୁଝରରର ଆରାଧ୍ୟ ଶ୍ରୀ ଜୀଉ ମାନକଂର ସୁନା ବେଶ ହେଉଥିଲା। ପରେ ପୁଣି କୌଣସି କାରଣରୁ ସୁନାବେଶ ବନ୍ଦ ରହିଥିଲା। ବନ୍ଦ ହେବାର ଦୀର୍ଘ ବର୍ଷ ପରେ ୨୦୦୮ ମସିହାଠାରୁ ଏହି ସୁନାବେଶ ପୁନାରମ୍ଭ ହୋଇଥିବାବେଳେ ବଡ ଏକାଦଶୀ ଦିନ ରଥାରୁଢ ତିନି ଠାକୁରଙ୍କ ସୁନାବେଶ ଅନୁଷ୍ଠିତ ହୋଇଥାଏ। କେନ୍ଦୁଝରର ରାଜନବର୍ଗଙ୍କ ପୃଷ୍ଠପୋଷକତାରେ ସୁନାବେଶ ଅନୁଷ୍ଠିତ ହେଉଥିଲା। ୧୯୬୧ ମସିହାରେ ଏହାକୁ ବନ୍ଦ କରାଯାଇଥିବା କୁହାଯାଏ।
୨୦୦୮ ମସିହାରୁ ପୁଣିଥରେ ସୁନାବେଶ ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ କେନ୍ଦୁଝର ଶାଖାର ଲକରରୁ ଶ୍ରୀ ଜୀଉ ମାନକଂର ସୁନା ଅଳକାଂର ବାହାର କରାଯାଇଥିଲା। ଠାକୁରଙ୍କର ୬୩ ପ୍ରକାରର ସୁନା ଅଳକାଂର ଏବଂ ମୂଲ୍ୟବାନ ପଥର ରହିଛି। ସେଥିମଧ୍ୟରୁ ୧୫ ପ୍ରକାରର ଅଳଙ୍କାରରେ ପ୍ରଭୂଙ୍କୁ ଆଭୂଷିତ କରାଯାଇଛି। ଚଳିତ ବର୍ଷ ୧୬କେଜି ୭୫୦ ଗ୍ରାମ ସୁନା ଏବଂ ୩୦ କେଜି ରୁପା ଅଳକାଂର ରେ ଠାକୁ ଆଭୁଷିତ ହୋଇଛନ୍ତି। ବିଶେଷ କରି ଶ୍ରୀ ବଳଭଦ୍ରଙ୍କର ୧୪ଟି ପଥର ଥାଇ ସୁନା ମୁକୁଟ,ଶ୍ରୀ ଜଗନ୍ନାଥଙ୍କର ୧୨ଟି ପଥର ଥାଇ ସୁନା ମୁକୁଟ,ଦେବୀ ସୁଭଦ୍ରାଙ୍କର ୧୨ଟି ପଥର ଥାଇ ସୁନା ମୁକୁଟ,ପାଞ୍ଚଗୋଟି କିଆପଥର ଥାଇ ସୁନା କିରିଟି,ସୁନାର ମରିଚ ହାର,ସାତଗୋଟି ସୁନାର କିରିଟ ଓ ୫ଗୋଟି ସୁନାର କିରିଟ,୧୬ଟି ଝରା ସହିତ ଜଗନ୍ନାଥ ଓ ବଳଭଦ୍ରଙ୍କ ସୁନାପେଟି,୧୭ଟି ଝରା ସହିତ ସୁଭଦ୍ରାଙ୍କର ସୁନାପେଟି,ଦୁଇଯୋଡା ସୁନା କୁଣ୍ଡଳ,୫୬ଟି ମୋହର ଓ ୬୦ଟି କଣ୍ଠି ଥାଇ ଗିରିଗୋଲର ହାର,୫୧ଟି ରୁଦ୍ରାକ୍ଷ ଥାଇ ସୁନା ରୁଦ୍ରାକ୍ଷ ମାଳ,୫ଗୋଟି କିଆପତ୍ର,ଏକଯୋଡା କୁଣ୍ଡଳ,ଗୋଟିଏ ରୂପା ମୁକୁଟ,ଚାରିଗୋଟି ରୂପା ହାତ,ଚାରିଗୋଟି ରୂପା ଗୋଡ ଓ ଚାରିଗୋଟି ରୂପା ପୟର ଆଦି ଅଳଙ୍କାର ପ୍ରଭୂମାନଙ୍କୁ ବେଶ ସମୟରେ ସଜ୍ଜିତ କରାଯାଉଛି।
କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକ୍ରେ,ଏସ୍ପି ମିତ୍ରଭାନୁ ମହାପାତ୍ର,ଅତିରିକ୍ତ ଏସ୍ପି ସୁରେଶ ପାତ୍ର ଏବଂ ବିରଂଚି ନାରାୟଣ ଦେହୁରୀ,ଏସ୍ଡିପିଓ ପ୍ରକାଶ ଟପୋ,କେନ୍ଦୁଝର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ରାମଚନ୍ଦ୍ର କିସ୍କୁ,ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପ ନିର୍ଦ୍ଦେଶକ ସଞିବ କୁମାର ବାରିକ,ଟାଉନ ଥାନା ଅଧିକାରୀ ପ୍ରମୋଦିନୀ ସାହୁଙ୍କ ଉପସ୍ଥିତରେ ସୁନାବେଶ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଥିଲା। ବଡଦାଣ୍ଡରେ ଥିବା ଶ୍ରୀ ଶ୍ରୀ ଗୋପାଳଜୀଉ ମଠ ଆନୁକୂଲ୍ୟରେ ରଥାରୁଢ ଶ୍ରୀଜୀଉମାନଙ୍କୁ ରସଗୋଲା ଭୋଗ ରୀତିନୀତି ଅନୁଯାୟୀ ଲାଗି ହୋଇଥିଲା। ଭକ୍ତମାନଙ୍କର ସୁଶୃଙ୍ଖଳିତ ଦର୍ଶନକୁ ଆଖି ଆଗରେ ରଖି ରଥକୁ ଦର୍ଶକମାନଙ୍କୁ ଯିବାକୁ ବାରଣ କରାଯିବା ସହ ଚାରିପଟେ ବାରିକେଡିଂ ଓ ବ୍ୟାପକ ଫୋର୍ସ ମୃତୟନ କରାଯାଇ ଉଜ୍ଜଳ ଆଲୋକ ବ୍ୟବସ୍ଥା କରାଯାଇଥିଲା। ସୁନାବେଶ ଅବସରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବାବେଳେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହିତ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀ ଜୀଉଙ୍କର ୩୪କିଲୋ ୨୬୫ ଗ୍ରାମ ସୁନା ଗଚ୍ଛିତ ରହିଛି। କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ପରେ ଶ୍ରୀ ଜୀଉ ମାନକଂର ପବିତ୍ର ସୁନାନାବେଷ ହେଉଥିବାରୁ ରଥାରୁଢ ମହାପ୍ରଭୁକୁଂ ସୁନାବେଶରେ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଉଜ୍ୱଳ ଆଲୋକରେ ଶ୍ରୀଜୀଉଙ୍କର ସୁନାବେଶ ଭକ୍ତକୁଂ ବିମୋହିତ କରିଥିଲା।