ଆଦିବାସୀ ଭାଇଭଉଣୀଙ୍କୁ ଉଡ଼ିବାର ସୁଯୋଗ ଦେଇଥିଲା ବିଜେଡି: ସୁଜାତା

ଆଦିବାସୀ କଲ୍ୟାଣ କ୍ଷେତ୍ରରେ ଦେଶରେ ମଡେଲ ପାଲଟିଥିଲା ବିଜେଡି ସରକାର

ଭୁବନେଶ୍ୱର: ଆମ ଆଦିବାସୀ ଭାଇ ଓ ଭଉଣୀମାନଙ୍କ ପାଇଁ ବିଜେଡି ସରକାର ସେମାନଙ୍କ ଆଧାର, ଐତିହ୍ୟ ଓ ପରମ୍ପରାକୁ ମଜବୁତ କରିଥିଲା। ଏଥିସହିତ ସେମାନଙ୍କୁ ଡେଣା ମେଲି ଉଡ଼ିବାର ସୁଯୋଗ ମଧ୍ୟ ଦେଇଥିଲା। ଯାହାଫଳରେ ସେମାନେ ବିଶ୍ୱରେ ନିଜକୁ ପ୍ରମାଣିତ କରିପାରିବେ ଏବଂ ନିଜର ସ୍ୱରକୁ ବିଶ୍ୱସ୍ତରରେ ପହଞ୍ଚାଇପାରିବେ ବୋଲି କହିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ। 

ଶଙ୍ଖ ଭବନରେ ବିଶ୍ୱ ଆଦିବାସୀ ଦିବସ ପାଳନ ଅବସରରେ ଗଣମାଧ୍ୟମ ପ୍ରଶ୍ନରେ ସୁଜାତା କହିଛନ୍ତି ଯେ  ଆମେ ଆଦିବାସୀ ସମାଜର ସଂସ୍କୃତି, ପରମ୍ପରା, ପାରମ୍ପରିକ ଜ୍ଞାନ, ଲୋକଗୀତ, ଇତିହାସ, ଆମ ଆଦିବାସୀ ସମୁଦାୟର ବୀରତ୍ୱ ଏବଂ ସେମାନଙ୍କର ଗୌରବମୟ ଇତିହାସ ଓ ସଂସ୍କୃତି ବିଷୟରେ ଆଲୋଚନା କରିଛୁ। ଆଦିବାସୀ ସମ୍ପ୍ରଦାୟର ଅଧିକାର ଓ ସଶକ୍ତିକରଣ ବିଷୟରେ ମଧ୍ୟ ଆଲୋଚନା କରିଛୁ। ବିଜୁ ଜନତା ଦଳ ସବୁବେଳେ ସେବାଭିତ୍ତିକ ରାଜନୀତି ଏବଂ ସଶକ୍ତିକରଣ ଭିତ୍ତିକ ଶାସନରେ ବିଶ୍ୱାସ କରେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ୨୪ ବର୍ଷର ଶାସନ କାଳରେ ବିଜେଡି ସରକାର ଆଦିବାସୀ ଭାଇ ଭଉଣୀଙ୍କ ପାଇଁ ଅନେକ ଏଭଳି ପଦକ୍ଷେପ ନେଇଥିଲା, ଯାହା ସମଗ୍ର ଦେଶ ପାଇଁ ଏକ ମଡେଲ୍‌ ହୋଇଛି ଏବଂ ପରବର୍ତ୍ତୀ ସମୟରେ ଅନେକ ରାଜ୍ୟ ମଧ୍ୟ ଏହାକୁ ଅନୁସରଣ କରିଛନ୍ତି। 

ଆଦିବାସୀ ଇତିହାସ ଓ ସଂସ୍କୃତିର ସଂରକ୍ଷଣ ଏବଂ ପ୍ରୋତ୍ସାହନ ସହ ସମୋନଙ୍କର ନୃତ୍ୟ ଓ କଳାର ପ୍ରଚାର ପ୍ରସାର ପାଇଁ ପାଇଁ ୨୩ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିବା ଏକ  ଅନନ୍ୟ ପଦକ୍ଷେପ ଥିଲା। ମିଶନ ଶକ୍ତି ଦ୍ୱାରା ଜନଜାତି ଭଉଣୀମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିଥିଲା। ଆଦିବାସୀ ଭାଇଭଉଣୀମାନଙ୍କ ପୂଜାସ୍ଥଳୀର ସଂରକ୍ଷଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ରୋଜଗାର ପାଇଁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଥିଲା। ସେହିପରି ୧୬୯ ଜନଜାତି ବର୍ଗକୁ ଏସ୍‌ଟି ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ତକ୍ରାଳୀନ ବିଜେଡି ସରକାର ଦାବି ରଖିଥିଲେ ବୋଲି ସୁଜାତା କହିଛନ୍ତି। ସେହିପରି ଜେନ ଜି ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଜେନ୍‌ ଜି ହେଉଛନ୍ତି ଆମ ଦେଶ ଓ ଆମ ରାଜ୍ୟର ଭବିଷ୍ୟତ। ଆମେ ସେମାନଙ୍କ ପାଇଁ ବହୁତ ଗର୍ବିତ। ସେମାନେ ହିଁ ଆମ ଦେଶ ଓ ରାଜ୍ୟକୁ ଆଗକୁ ନେଇ ଯିବେ। ବିଜୁ ଜନତା ଦଳ ଜେନ୍‌ ଜିଙ୍କ ପଛରେ ଦୃଢ଼ ଭାବରେ ଠିଆ ହୋଇଛି  ବୋଲି ସେ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତି।

About The Author: Madhusudan Das