ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବୁଧବାର ବିଳମ୍ବିତ ରାତି ସୁଦ୍ଧା ଏଠାରେ ଜଳସ୍ତର ସର୍ବୋଚ୍ଚ ସ୍ତର ୧୧.୪ ରୁ ୧୧.୬ ମିଟର ଛୁଇଁବାର ଆଶଙ୍କା ରହିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ଦିଲ୍ଲୀପ ରାଉତ ସୂଚନା ଦେଇଛନ୍ତି। ତେବେ ରାଜ୍ୟର ଅନ୍ୟ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଉଥିବାରୁ ଏବଂ ସ୍ଥିର ରହୁଥିବାରୁ ସାମଗ୍ରିକ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ସେ ସ୍ପଷ୍ଟ କରିଛନ୍ତି।
ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ବନ୍ୟାଜଳ ଛଡ଼ାଯିବା କାରଣରୁ ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଆଜି ରାତି ସୁଦ୍ଧା ଏହି ଜଳ ରାଜଘାଟରେ ପହଞ୍ଚିବାର ସମ୍ଭାବନା ରହିଛି। ରାଜଘାଟଠାରେ ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ବର୍ତ୍ତମାନ ଏହାର ଜଳସ୍ତର ୧୦.୮୩ ମିଟରରେ ପ୍ରବାହିତ ହେଉଛି ଏବଂ କ୍ରମାଗତ ଭାବେ ବଢ଼ୁଛି। ଆଜି ରାତି ସୁଦ୍ଧା ଏହା ୧୧.୪ ରୁ ୧୧.୬ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ବିଭାଗୀୟ ଅଧିକାରୀ ଆକଳନ କରିଛନ୍ତି।
ବୁଧବାର ଭୋର ୨ଟାରୁ ସକାଳ ୭ଟା ମଧ୍ୟରେ ଗାଲୁଡିହ ବ୍ୟାରେଜରୁ ପ୍ରାୟ ୬,୬୦୦ କ୍ୟୁସେକ ଜଳ ଛଡ଼ାଯାଇଥିଲା, ଯାହାକି ପରେ ୫,୫୩୮ କ୍ୟୁସେକକୁ ହ୍ରାସ ପାଇଥିଲା। ଏହି ସର୍ବୋଚ୍ଚ ଜଳପ୍ରବାହ ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ରହିବ ଏବଂ ଗୁରୁବାର ସକାଳ ଆଡ଼କୁ ଜଳସ୍ତର କମିବା ଆରମ୍ଭ କରିବ ବୋଲି ଶ୍ରୀ ରାଉତ ପ୍ରକାଶ କରିଛନ୍ତି।
ରାଜ୍ୟରେ ଲଘୁଚାପର ପ୍ରଭାବ କମିଛି ଏବଂ କେବଳ ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ଦୁଇ ଦିନ ପାଇଁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନାହିଁ। ଅନ୍ୟପକ୍ଷରେ, ରାଜ୍ୟର ଅଧିକାଂଶ ନଦୀଗୁଡ଼ିକର ଜଳସ୍ତର କ୍ରମଶଃ ହ୍ରାସ ପାଉଛି ଅଥବା ସ୍ଥିର ରହିଛି।
ଜଳକା ନଦୀର ଜଳସ୍ତର ୬.୫ ମିଟର ବିପଦ ସଙ୍କେତ ଥିବା ବେଳେ ବର୍ତ୍ତମାନ ଏହା ୬.୫୬ ମିଟରରେ ରହି ଧୀରେ ଧୀରେ କମୁଛି। ବ୍ରାହ୍ମଣୀ ନଦୀର ଜେନାପୁରଠାରେ ଜଳସ୍ତର ୨୧.୬୬ ମିଟର ରହିଛି, ଯାହାକି ବିପଦ ସଙ୍କେତ ୨୩ ମିଟର ଠାରୁ ଯଥେଷ୍ଟ ତଳେ ରହିଛି। ଏହା ରେଙ୍ଗାଲି ଡ୍ୟାମ୍ ଦ୍ୱାରା ନିୟନ୍ତ୍ରିତ ହେଉଥିବାରୁ କୌଣସି ବନ୍ୟା ଆଶଙ୍କା ନାହିଁ।
ସେହିପରି ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ମଙ୍ଗଳବାର ତୁଳନାରେ ହ୍ରାସ ପାଇ ବର୍ତ୍ତମାନ ୧୮.୫୭ ମିଟରରେ ପ୍ରବାହିତ ହେଉଛି। ଭଦ୍ରକଠାରେ ସାଳନ୍ଦୀ ନଦୀର ଜଳସ୍ତର ଗତ ଦୁଇ ଦିନ ହେବ ସ୍ଥିର ରହିଛି ଏବଂ ବିପଦ ସଙ୍କେତ ୧୭ ଫୁଟ ତୁଳନାରେ ବର୍ତ୍ତମାନ ୧୬.୪ ଫୁଟରେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ହ୍ରାସ ପାଉଥିବା ଦେଖିବାକୁ ମିଳିଛି, ଯାହାକି ବିପଦ ସଙ୍କେତ ୧୮.୧୩ ମିଟର ତୁଳନାରେ ଏବେ ୧୭.୧୨ ମିଟରରେ ରହିଛି। ସମଗ୍ର ରାଜ୍ୟରେ ବନ୍ୟା ସ୍ଥିତି ନିୟନ୍ତ୍ରଣରେ ଥିବା ବିଭାଗ ପକ୍ଷରୁ ଆଶ୍ୱାସନା ଦିଆଯାଇଛି।