ଭୁବନେଶ୍ୱର: ଏଣିକି କଲେଜ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ହାଇସ୍ପିଡ୍ ୱାଇଫାଇ । କ୍ୟାବିନେଟ ବୈଠକରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ସୋମବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୦ଟି ବିଭାଗର ମୋଟ ୧୩ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ମାଗଣା ୱାଇ-ଫାଇ ସୁବିଧା ଯୋଗାଇବା ପାଇଁ ‘ଓଡ଼ିଶା ଶିକ୍ଷାନେଟ୍’ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ କରିଛି। ୨୦୨୬-୨୭ରୁ ୨୦୨୮-୨୯ ମଧ୍ୟରେ ତିନି ବର୍ଷ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଏଥିପାଇଁ ୩୯୩.୬୨ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୩୦ଟି ମହାବିଦ୍ୟାଳୟରେ ଏହାର ସଫଳ କାର୍ଯ୍ୟକାରିତା ପରେ ଏବେ ରାଜ୍ୟର ୬୦୧ଟି ସରକାରୀ ଓ ଅନୁଦାନପ୍ରାପ୍ତ କଲେଜକୁ ଏହି ସୁବିଧା ସମ୍ପ୍ରସାରଣ କରାଯିବ। ଏହାଦ୍ୱାରା କ୍ୟାମ୍ପସ୍ରେ ଛାତ୍ରଛାତ୍ରୀ ପ୍ରତିଦିନ ୧ ଜିବି ପର୍ଯ୍ୟନ୍ତ ମାଗଣା ଇଣ୍ଟରନେଟ୍ ଡାଟା ପାଇପାରିବେ।
ଏହାଦ୍ୱାରା ଛାତ୍ରଛାତ୍ରୀଙ୍କ ପାଠପଢ଼ା, ଗବେଷଣା ଓ ଦକ୍ଷତା ବିକାଶ ପାଇଁ ଖୋଲିବ ନୂଆ ସୁଯୋଗ। ଇ-ବୁକ୍, ଡିଜିଟାଲ୍ ଲାଇବ୍ରେରୀ, ଭର୍ଚୁଆଲ୍ କ୍ଲାସ୍ ରୁମ୍ ଓ ଅନ୍ୟାନ୍ୟ ଅନଲାଇନ୍ ପାଠ୍ୟକ୍ରମ ସହଜରେ ବ୍ୟବହାର କରିପାରିବେ ଛାତ୍ରଛାତ୍ରୀ । ଏପରିକି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଅନଲାଇନ୍ ଷ୍ଟଡି ମ୍ୟାଟେରିଆଲ୍ ଓ ଗବେଷଣା ସମ୍ପର୍କିତ ତଥ୍ୟ ମଧ୍ୟ ମିଳିପାରିବ ।