ଦଳୀୟ ନେତା ଓ କର୍ମୀଙ୍କୁ ନବୀନଙ୍କ ସ୍ପଷ୍ଟ ବାର୍ତ୍ତା: ଲୋକଙ୍କ ସ୍ୱାର୍ଥ ବିରୋଧରେ କାମ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବିଜେଡିରେ ଶୃଙ୍ଖଳା, ଅନୁଶାସନ ଓ ଦଳୀୟ ଆନୁଗତ୍ୟ ସର୍ବପ୍ରଥମ। ଏହାକୁ ଆୟୁଧ କରି ବିଜେଡି କ୍ରମାଗତ ୨୪ ବର୍ଷ ଓଡ଼ିଶାବାସୀଙ୍କ ସେବା କରିଛି। ଦେଶର ଅନ୍ୟତମ ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବରେ ଉଦାହରଣ ସୃଷ୍ଟି କରିଛି। ଯେତେ କ୍ଷମତାଶାଳୀ ହେଲେ ବି ବିଶୃଙ୍ଖଳ ଷଡ଼ଯନ୍ତ୍ରକାରୀ ଓ ଜନବିରୋଧୀ ନେତାଙ୍କ ସହ ବିଜେଡି କେବେ ସାଲିସ କରିନାହିଁ, ଭବିଷ୍ୟତରେ ବି ସାଲିସର ସମ୍ଭାବନା ନାହିଁ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କର ସେହି ନୀତି ଓ ଆଭିମୁଖ୍ୟରେ ଅଟଳ ରହିଛନ୍ତି। ଯେତେ ପ୍ରଭାବଶାଳୀ ହେଲେ ବି ଦଳୀୟ ଶୃଙ୍ଖଳା ଭଙ୍ଗକାରୀ ଓ ଲୋକଙ୍କ ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ନେତା ଓ କର୍ମୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାର ବିଜେଡି ନେତା ଓ କର୍ମୀମାନେ ନବୀନ ନିବାସରେ ଆଜି ତାଙ୍କୁ ଭେଟିବା ଅବସରରେ ପୁଣିଥରେ ଏହାକୁ ସ୍ପଷ୍ଟ ଭାଷାରେ ଦୋହରାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦୁର୍ନୀତିଲିପ୍ତ, ବିଶ୍ୱାସଘାତକଙ୍କର ସ୍ଥାନ ବିଜେଡିରେ ନାହିଁ ବୋଲି ନବୀନ ସଫାସଫା ଶୁଣାଇ ଦେଇଛନ୍ତି। 

ବୁଧବାର ସନ୍ଧ୍ୟାରେ ପାଟକୁରାର ଦଳୀୟ କର୍ମୀଙ୍କୁ ନବୀନ କହିଛନ୍ତି ଯେ ବିଜେଡି ସବୁବେଳେ ଲୋକଙ୍କ ସେବାରେ ବିଶ୍ୱାସ କରେ। ଲୋକଙ୍କ ସ୍ୱାର୍ଥ ବିରୋଧରେ  ତଥା ଦଳ ବିରୋଧରେ କାମ କରୁଥିବା ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେବି ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବ। ଏହି ଅବସରରେ କାହାରି ନାମ ଉଲ୍ଲେଖ କରି ନ ଥିଲେ ହେଁ ସେ ପାଟକୁରା ବିଧାୟକଙ୍କ ନିଲମ୍ବନ ସମ୍ପର୍କରେ ଦଳୀୟ କର୍ମୀଙ୍କୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ପାଟକୁରାରେ ଜନସାଧାରଣଙ୍କ କାର୍ଯ୍ୟ କରିବା ପାଇଁ ବିଶ୍ୱାସ କରି ମୁଁ ଜଣକୁ ସୁଯୋଗ ଦେଇଥିଲି; କିନ୍ତୁ ତାଙ୍କ ପାଇଁ ପାଟକୁରାବାସୀ ହଇରାଣ ହରକତ ହେଉଛନ୍ତି ବୋଲି ଜାଣିବାକୁ ପାଇଲି। ଦଳରେ କର୍ମୀମାନଙ୍କୁ ହଇରାଣ କରିବା ଲୋକଙ୍କର ସ୍ଥାନ ନାହିଁ ବୋଲି ନବୀନ ସ୍ପଷ୍ଟ ଭାଷାରେ କହିଛନ୍ତି। ଶାସନରେ ଥାଆନ୍ତୁ ବା ନ ଥାଆନ୍ତୁ, ଦଳର କର୍ମୀ ଓ ନେତାଙ୍କ ପ୍ରତି ନବୀନଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ହୋଇ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି। ବିଶ୍ୱାସଘାତକତାକୁ ନବୀନ ପ୍ରଚଣ୍ଡ ଘୃଣା କରନ୍ତି । ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ସହ କୌଣସି ମୂଲ୍ୟରେ ସାଲିସ କରିନାହାନ୍ତି। ଯେଉଁଥିପାଇଁ ଶାସନ କ୍ଷମତାରେ ନ ଥିଲେ ମଧ୍ୟ ଦଳର ୨ ବିଧାୟକଙ୍କୁ ନିଲମ୍ବନ କରିବାର ସାହସ ଦେଖାଇପାରିଛନ୍ତି ନବୀନ। ରାଜନୀତିରେ ଏପରି ଉଦାହରଣ କ୍ୱଚିତ୍‌ ଦେଖିବାକୁ ମିଳେ। ତେଣୁ ଯେଉଁ ନେତାମାନେ ଦଳରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଏଥିରୁ ଶିକ୍ଷାଲାଭ କରିବା ଉଚିତ୍‌ ବୋଲି ରାଜନୈତିକ ମହଲରେ ମତପ୍ରକାଶ ପାଇଛି। 

ଶାସନ କ୍ଷମତାରେ ନ ଥିବା କୌଣସି ଦଳର ମୁଖ୍ୟ ବିନା କାରଣରେ ଦଳୀୟ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦଳର କ୍ଷତି କରିବାକୁ ଚାହିଁବେ ନାହିଁ। ତେଣୁ ନବୀନ ନିଶ୍ଚିତ ଭାବରେ କିଛି ପ୍ରମାଣ ପାଇଥିବେ, ଯେଉଁଥିପାଇଁ ଏତେବଡ଼ ପଦକ୍ଷେପ ସେ ଗ୍ରହଣ କରିଛନ୍ତି।  ନବୀନ ଆଦୌ ନିରର୍ଥକ କଥା କହନ୍ତି ନାହିଁ ଓ  ନିରବ ରହିବାକୁ ପସନ୍ଦ କରନ୍ତି। ମାତ୍ର ଏହି ନିରବତାର ଅର୍ଥକୁ ଦୁର୍ବଳତା ଭାବୁଥିବା ନେତାମାନେ ଭୁଲ କରୁଛନ୍ତି। ସେ ଦଳର ନେତାଙ୍କ କାର୍ଯ୍ୟକଳାପକୁ ନିରବରେ ଅନୁଧ୍ୟାନ କରି ପଦକ୍ଷେପ ଗ୍ରହଣ କରିଥାଆନ୍ତି। ଦଳର ଦୁଇ ବିଧାୟକଙ୍କ ବିରୋଧରେ ତାଙ୍କର କଠୋର ପଦକ୍ଷେପ ଏହାର ସଦ୍ୟତମ ପ୍ରମାଣ। ରାଜ୍ୟବାସୀଙ୍କ ଆଶୀର୍ବାଦରେ ତଥା କୋଟିକୋଟି ରାଜ୍ୟବାସୀଙ୍କ ଅକୁଣ୍ଠ ସମର୍ଥନ  ବିଜେଡିକୁ  ଜାତୀୟ ରାଜନୀତିରେ ଏପରି ଇର୍ଷଣୀୟ ସଫଳତା ଦେଇଛି। ରାଜ୍ୟବାସୀଙ୍କ ଭଲ ପାଇବା ଓ ସ୍ନେହ ହେଉଛି ନବୀନଙ୍କ ବଳ । ତେଣୁ ରାଜ୍ୟର ପ୍ରତ୍ୟେକ ଲୋକଙ୍କୁ ସେ ନିଜର ପରିବାର ମନେକରନ୍ତି ଏବଂ ସେମାନଙ୍କ କ୍ଷତି ସାଧନ କରୁଥିବା ଲୋକଙ୍କୁ କେବେ କ୍ଷମା କରନ୍ତି ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

About The Author: Madhusudan Das