ଅଜଣା ଗାଡି ଦୁର୍ଘଟଣାରେ ମୃତକ ଓ ଆହତଙ୍କ ପାଇଁ ରହିଛି ‘ସୋଲାସିୟମ୍‌‌ ଫଣ୍ଡ୍‌’, ସଚେତନତା ନଥିବାରୁ ଆବେଦନ ନଗଣ୍ୟ

ଭୁବନେଶ୍ୱର: ପ୍ରତିବର୍ଷ ଅଜଣା ଗାଡ଼ି ଧକ୍କାରେ ଶହଶହ ଲୋକ ପ୍ରାଣ ହରାଉଛନ୍ତି। ତା’ଠାରୁ ଦୁଇଗୁଣା ଅଧିକ ଗୁରୁତର ଆହତ ହେଉଛନ୍ତି। ମୃତ ଓ ଆହତ ବ୍ୟକ୍ତିଙ୍କ ସହାୟତା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ସଚେତନତା ଅଭବାରୁ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ […]

ଭୁବନେଶ୍ୱର: ପ୍ରତିବର୍ଷ ଅଜଣା ଗାଡ଼ି ଧକ୍କାରେ ଶହଶହ ଲୋକ ପ୍ରାଣ ହରାଉଛନ୍ତି। ତା’ଠାରୁ ଦୁଇଗୁଣା ଅଧିକ ଗୁରୁତର ଆହତ ହେଉଛନ୍ତି। ମୃତ ଓ ଆହତ ବ୍ୟକ୍ତିଙ୍କ ସହାୟତା ଲାଗି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆର୍ଥିକ ସହାୟତା ଯୋଜନା ପ୍ରଣୟନ କରିଛନ୍ତି। କିନ୍ତୁ ସଚେତନତା ଅଭବାରୁ ହିତାଧିକାରୀ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାନୁଯାୟୀ, ଅଜଣା ଗାଡ଼ି ଧକ୍କା ଅବା ହିଟ୍‌‌ ଆଣ୍ଡ ରନ୍‌‌ ମାମଲାରେ ମୃତ ଓ ଆହତଙ୍କୁ କ୍ଷତିପୂରଣ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ୨୦୧୮ମସିହାରେ ପରିବହନ ବିଭାଗ ଅଧୀନରେ ସୋଲାସିୟମ୍‌‌ ଫଣ୍ଡ୍‌ ଗଠନ କରିଥିଲେ। ୨୦୨୨ରେ କେନ୍ଦ୍ର ସରକାର ଅନୁରୂପ ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ଅନୁସାରେ ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହେଲେ ୨ଲକ୍ଷ ଏବଂ ଗୁରୁତର ଆହତ ହେଲେ ୫୦ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି। ଅଧିକରୁ ଅଧିକ ହିତାଧିକାରୀ ଯେପରି ଏହି ଯୋଜନାରେ ସୁଫଳ ପାଇବେ, ସେଥିଲାଗି ସରକାର ନିୟମ କୋହଳ ମଧ୍ୟ କରିଛନ୍ତି। କ୍ଷତିପୂରଣ ପାଇବା ଲାଗି ପୂର୍ବରୁ ଆବେଦନ ସମୟ ସୀମା ୬ମାସ ଥିବା ବେଳେ ଏବେ ତାହା ୧ ବର୍ଷକୁ ବୃଦ୍ଧି କରାଯାଇଛି। ରାଶି ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଲାଗି ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ଏସବୁ ସତ୍ତ୍ବେ ମୃତାହତଙ୍କୁ କ୍ଷତିପୂରଣ ରାଶି ମିଳିପାରୁନାହିଁ। ଏଥିରେ ସବୁଠାରୁ ବଡ଼ ବାଧକ ସାଜିଛି ସଚେତନତାର ଅଭାବ। ଲୋକେ ଏ ସଂପର୍କରେ ଅବଗତ ନାହାନ୍ତି କିମ୍ବା ଦାୟିତ୍ୱରେ ଥିବା ସରକାରୀ ଅଧିକାରୀ ସେମାନଙ୍କୁ ଜଣାଇବା ଲାଗି ବ୍ୟବସ୍ଥା କରୁନଥିବା ଅଭିଯୋଗ ହେଉଛି।

ନିୟମ ଅନୁସାରେ ଦୁର୍ଘଟଣାସ୍ଥଳରେ ପହଞ୍ଚୁଥିବା ପୁଲିସ କିମ୍ବା ପରିବହନ ଅଧିକାରୀ ମୃତାହତଙ୍କ ସମ୍ପର୍କୀୟଙ୍କୁ ସୋଲାସିୟମ୍‌‌ ଫଣ୍ଡ ସମ୍ପର୍କରେ ସୂଚନା ଦେଉ ନାହାନ୍ତି। ସେହିପରି ଡାକ୍ତରଖାନାରେ ମଧ୍ୟ ମାଗଣା ଚିକିତ୍ସା କିମ୍ବା ସୋଲାସିୟମ୍‌‌ ଫଣ୍ଡ ସମ୍ପର୍କରେ ସୂଚନା ଫଳକ ଲଗାଯାଉନାହିଁ। ଫଳରେ ଲୋକଙ୍କ ମଙ୍ଗଳ ପାଇଁ ସରକାର ଆରମ୍ଭ କରିଥିବା ଏହି ଯୋଜନା ବିଫଳ ହେବାରେ ଲାଗିଛି। ପୂର୍ବରୁ ମଧ୍ୟ ପରିବହନ ବିଭାଗ ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ତାହା ଠିକ୍‌‌ ଭାବେ କାର୍ଯ୍ୟକାରୀ ହେଲା ନାହିଁ। ଫଳରେ ପୁନର୍ବାର ବିଭାଗ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଦାୟିତ୍ୱ ମନେ ପକାଇଦେଇଛି।

ରାଜ୍ୟରେ ପ୍ରତିବର୍ଷ ପ୍ରାୟ ୫୫୦୦ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ଏହାର ଦୁଇଗୁଣା ଆହତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଅଜଣା ଗାଡ଼ି ଧକ୍କାରେ ମୃତାହତଙ୍କ ସଂଖ୍ୟା କିଛି କମ୍‌ ନାହିଁ। ୨୦୧୯ରୁ ୨୦୨୧ ମଧ୍ୟରେ ଅଜଣା ଗାଡ଼ି ଧକ୍କାରେ ୩୧୩୬ଜଣ ପ୍ରାଣ ହରାଇଥିବା ବେଳେ ୪୦୫୬ଜଣ ଗୁରୁତର ଆହତ ହୋଇଥିଲେ। ସେଥିରୁ ମାତ୍ର ୫୮୦ଜଣ ମୃତକଙ୍କ ପରିବାର ଏବଂ ୮୯ଜଣ ଆହତଙ୍କ ପକ୍ଷରୁ କ୍ଷତିପୂରଣ ରାଶି ପାଇବା ଲାଗି ଆବେଦନ ଆସିଥିଲା। ୨୦୨୨ରେ ୩୦୭ଜଣ ମୃତକ ଏବଂ ୨୦୨୧ରେ ୧୬୧ଜଣ ମୃତଙ୍କ ଆତ୍ମୀୟସ୍ୱଜନ୍‌‌ କ୍ଷତିପୂରଣ ପାଇବା ଲାଗି ଆବେଦନ କରିଥିଲେ। ଅଧିକାଂଶ ଲୋକ ଓକିଲଙ୍କଠାରୁ ଏହି ଯୋଜନା ସମ୍ପର୍କରେ ଜାଣିବା ପରେ ଆବେଦନ କରିଥାନ୍ତି।

ଗତ ଜୁଲାଇରେ ପରିବହନ ବିଭାଗ ପକ୍ଷରୁ ଜାରୀ ମାର୍ଗଦର୍ଶିକାରେ କୁହାଯାଇଥିଲା ଯେ ଆବେଦନପତ୍ର ପାଇବାର ଏକ ମାସ ମଧ୍ୟରେ ଦାବି ସମାଧାନ ଅଧିକାରୀ ତଦନ୍ତ ଶେଷ କରି ରିପୋର୍ଟ ପ୍ରଦାନ କରିବା ଜରୁରୀ ହେବ। ଦାବି ତଦନ୍ତକାରୀ ଅଧିକାରୀଙ୍କଠାରୁ ରିପୋର୍ଟ ପାଇବା ପରେ ଜିଲ୍ଲାପାଳ ଯଥାସମ୍ଭବ ୧୫ ଦିନ ମଧ୍ୟରେ ଦାବିଦାରଙ୍କ ଦାବି ମଞ୍ଜୁର କରିବା ଜରୁରୀ। ଏ ସଂପର୍କରେ ଜିଲ୍ଲାପାଳ ପରିବହନ କମିଶନରଙ୍କୁ ସମେତ ସମ୍ପୃକ୍ତ ଆରଟିଓ, ଦାବିଦାର ତଥା ଦାବି ତଦନ୍ତକାରୀ ଅଧିକାରୀଙ୍କୁ ଏ ସମ୍ପର୍କରେ ମଧ୍ୟ ଅବଗତ କରିବେ।

ଜିଲ୍ଲାପାଳଙ୍କଠାରୁ ସବୁଜ ସଙ୍କେତ ପାଇବାର ୫ଦିନ ମଧ୍ୟରେ ପରିବହନ କମିଶନର ଆରଟିଜିଏସ୍‌‌ ବ୍ୟବସ୍ଥା ମାଧ୍ୟମରେ ଦାବିଦାରଙ୍କ ବ୍ୟାଙ୍କ ଆକାଉଣ୍ଟରେ କ୍ଷତିପୂରଣ ରାଶି ପୈଠ କରିବେ। ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ହୋଇଥିଲେ ଅଧିକାରୀ ନିଷ୍ପତ୍ତି ନେଇଥିବା ମୃତକଙ୍କ ନିକଟ ସମ୍ପର୍କୀୟ ଅବା ଆଇନଗତ ପ୍ରତିନିଧିଙ୍କୁ ପ୍ରଦାନ କରାଯିବ। ସେହିପରି ଗୁରୁତର ଆହତ କ୍ଷେତ୍ରରେ ଆହତଙ୍କୁ ହିଁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇପାରିବ। ଯଦି କ୍ଷତିପୂରଣ ରାଶି ପାଇବା ପରେ ଧକ୍କା ଦେଇଥିବା ଗାଡ଼ି ଚିହ୍ନଟ ହୁଏ, ତାହେଲେ ହିତାଧିକାରୀ ବୀମା କମ୍ପାନୀ ଅବା କ୍ଲେମ୍‌‌ ଟ୍ରିବୁନାଲରୁ ପାଇଥିବା କ୍ଷତିପୂରଣ ରାଶି ପରିବହନ କମିଶନରଙ୍କୁ ଫେରସ୍ତ ଦେବେ। ଅନ୍‌ଲାଇନ୍‌ରେ ଆବେଦନପତ୍ର ଦାଖଲ ପାଇଁ ସଫ୍ଟୱେୟାର୍‌ ପ୍ରସ୍ତୁତ କରିବା ଲାଗି ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

About The Author: The Sakala