ବିଜାପୁର ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୬ ହାର୍ଡକୋର ମାଓବାଦୀ; ୪ ଜଣ ଓଡ଼ିଶାରେ ଥିଲେ ସକ୍ରିୟ

ମାଲକାନଗିରି:  ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୋଲିସ ନିକଟରେ ୬ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ମାଓବାଦୀମାନଙ୍କ ଉପରେ ସର୍ବମୋଟ ୩୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ପୋଲିସର ସୂଚନା ଅନୁଯାୟୀ, ଆତ୍ମସମର୍ପଣ କରିଥିବା ଏହି ମାଓବାଦୀମାନେ ପିପୁଲ୍ସ ପାର୍ଟି କମିଟି ସଦସ୍ୟ (PPCM) ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ। ଏମାନଙ୍କ ମଧ୍ୟରୁ ୪ ଜଣ ପିପିସିଏମ୍ (PPCM) ସଦସ୍ୟ ହୋଇଥିବା ବେଳେ ଅନ୍ୟ ୨ ଜଣ ପାର୍ଟି ସଦସ୍ୟ ପାହ୍ୟାର କ୍ୟାଡର ଥିଲେ।

ଆତ୍ମସମର୍ପଣ କରିଥିବା ୬ ଜଣଙ୍କ ମଧ୍ୟରୁ ୪ ଜଣ ମାଓବାଦୀ ଓଡ଼ିଶାରେ ସକ୍ରିୟ ଥିବା ବେଳେ ଅନ୍ୟ ୨ ଜଣ ହାର୍ଡକୋର ମାଓବାଦୀ ପଶ୍ଚିମ ବସ୍ତର ଡିଭିଜନରେ ସକ୍ରିୟ ଥିଲେ। ପୋଲିସ ସେମାନଙ୍କୁ ରାଣୀ ସୋଢ଼ି ଓରଫ ସନ୍ଧ୍ୟା, ପାଣ୍ଡୋ ପୋଡିୟମ ଓରଫ ସସ୍ମିତା, ସୁକୁ କୁଡିୟମ ଓରଫ ସନ୍ତୋଷ, କୋସା ମାଡଭି ଓରଫ ସତୀଶ, ଦେବେ ମାଡକାମ ଓରଫ ଜାନୀ ଏବଂ ଲାଲୁ ତାତି ଭାବରେ ଚିହ୍ନଟ କରିଛି। ସେମାନେ ଦୀର୍ଘ ଦିନ ଧରି ଓଡ଼ିଶା-ଛତିଶଗଡ଼ ସୀମାରେ ସକ୍ରିୟ ରହିବା ସହ ଗତ କିଛି ବର୍ଷ ଧରି ଅନେକ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ।

ମିଳିଥିବା ସୂଚନା ମୁତାବକ, ୩୦ ବର୍ଷୀୟା ରାଣୀ ସୋଢ଼ି ଏବଂ ୨୮ ବର୍ଷୀୟା ପାଣ୍ଡୋ ପୋଡିୟମ ଓଡ଼ିଶାରେ କାର୍ଯ୍ୟରତ କମ୍ପାନୀ ନମ୍ବର ୮ ର କ୍ୟାଡର ଥିଲେ। ସେମାନଙ୍କ ମୁଣ୍ଡ ଉପରେ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା। ସେହିପରି ଓଡ଼ିଶାରେ ସକ୍ରିୟ ଥିବା ୨୭ ବର୍ଷୀୟ ସୁକୁ କୁଡିୟମଙ୍କ ଉପରେ ମଧ୍ୟ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ବୋଲି ପୋଲିସ କହିଛି।

ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତିରେ ଅନୁପ୍ରାଣିତ ହୋଇ ସେମାନେ ହିଂସାର ପଥ ଛାଡ଼ି ବିଜାପୁର ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ବିଜାପୁର ଏସପି ସୂଚନା ଦେଇଛନ୍ତି ଯେ, ଛତିଶଗଡ଼ ପୋଲିସର ଆତ୍ମସମର୍ପଣ ନୀତି ଅନୁଯାୟୀ ଏହି ମାଓବାଦୀମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ।

About The Author: Madhusudan Das