ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ, ସନ୍ଧ୍ୟା ୬ଟାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ଜନ୍ମବେଦୀରେ ମହାପ୍ରଭୁଙ୍କ ଶେଷ ଆଡ଼ପ ଦର୍ଶନ । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ବାହୁଡ଼ା ଯାତ୍ରା ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୬ଟା ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରର ସିଂହଦ୍ୱାର ଦେଇ ସାଧାରଣ ପ୍ରବେଶ ବନ୍ଦ ରହିବ। ଏ ନେଇ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବାହୁଡ଼ା ଯାତ୍ରା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରର ଶୋଧ ନୀତି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରୀତିନୀତି ସମ୍ପନ୍ନ କରାଯିବ। ଏହି ସମୟ ମଧ୍ୟରେ ମନ୍ଦିର ପରିସରରେ ପ୍ରମୁଖ ତଥା ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି, ତେଣୁ ସାଧାରଣ ଦର୍ଶନ ଉପରେ କଟକଣା ଲଗାଯାଇଛି।

ମହାପ୍ରଭୁଙ୍କ ନୀତିକାନ୍ତି ଗୁଡ଼ିକ ଯେପରି ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ, ସେଥିପାଇଁ ମନ୍ଦିର ପ୍ରଶାସନକୁ ସହଯୋଗ କରିବାକୁ ଶ୍ରଦ୍ଧାଳୁମାନଙ୍କୁ ଅନୁରୋଧ କରାଯାଇଛି। ପ୍ରସ୍ତୁତି ସମୟରେ ଉତ୍ତମ ସମନ୍ୱୟ ଏବଂ ସହଯୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସେବାୟତମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ପୁରୀ ଆସୁଥିବା ଭକ୍ତମାନଙ୍କୁ ଏହି ସମୟସୂଚୀକୁ ଧ୍ୟାନରେ ରଖି ନିଜର ଦର୍ଶନ ଯୋଜନା କରିବାକୁ ପରାମର୍ଶ ଦିଆଯାଇଛି। 

ଦର୍ଶନ ବନ୍ଦ ହେଲେ ମଧ୍ୟ କେବଳ ଆନନ୍ଦବଜାରକୁ ଯିବାଆସିବା କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର ଖୋଲା ରହିବ ଏବଂ ଆଡ଼ପ ଅବଢ଼ା ରାତି ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ହେବ । ଭକ୍ତମାନେ ନାକଚଣା ଦ୍ବାର ଦେଇ ଆନନ୍ଦବଜାରରୁ ଆଡ଼ପ ଅବଢ଼ା ଆଣିପାରିବେ । 

About The Author: Madhusudan Das