ଅଲିଭ୍‍ରିଡଲେଙ୍କ ପାଇଁ ନିରାପଦ ନୁହେଁ ନିଷିଦ୍ଧାଞ୍ଚଳ; ମିଳନ ବେଳେ ଟ୍ରଲର ଓ ଜାଲ ମାଡ଼ରେ ଯାଉଛି ଜୀବନ

ଭୁବନେଶ୍ୱର: ଅଲିଭ୍‍ ରିଡଲେଙ୍କ ପାଇଁ ଦିନେ ସ୍ୱର୍ଗ ପାଲଟିଥିବା ଓଡ଼ିଶାର ଉପକୂଳ ଆଉ ନିରାପଦ ହୋଇନାହିଁ। ଅଣ୍ଡାଦାନ ସମୟ ଆସିଲେ ଶହଶହ ବିରଳ ଜୀବଙ୍କ ଜୀବନ ଯାଉଛି। ନିଷିଦ୍ଧାଞ୍ଚଳରେ ଓଡ଼ିଶା ଏବଂ ଆନ୍ଧ୍ରର ମାଛଧରା ଟ୍ରଲର ମାଡ଼ରେ ରକ୍ତାକ୍ତ ହୋଇ ବେଳାଭୂମିକୁ ପଳାଇ ଆସୁଥିବାର ଦେଖିବାକୁ ମିଳୁଛି। ଏବେ ମିଳନର ସମୟ ହୋଇଥିବା ବେଳେ ଅଲିଭରିଡଲେଙ୍କ ମୃତ୍ୟୁ ଆଗକୁ ଅଣ୍ଡାଦାନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବାର ଆଶଙ୍କା ରହିଛି। ଓଡ଼ିଶାର ଦୁର୍ବଳ ମେରାଇନ୍‍ ଫିସିଂ ରେଗୁଲେସନ ଆକ୍ଟ (ଓମ୍ଫ୍ରା) […]

ଭୁବନେଶ୍ୱର: ଅଲିଭ୍‍ ରିଡଲେଙ୍କ ପାଇଁ ଦିନେ ସ୍ୱର୍ଗ ପାଲଟିଥିବା ଓଡ଼ିଶାର ଉପକୂଳ ଆଉ ନିରାପଦ ହୋଇନାହିଁ। ଅଣ୍ଡାଦାନ ସମୟ ଆସିଲେ ଶହଶହ ବିରଳ ଜୀବଙ୍କ ଜୀବନ ଯାଉଛି। ନିଷିଦ୍ଧାଞ୍ଚଳରେ ଓଡ଼ିଶା ଏବଂ ଆନ୍ଧ୍ରର ମାଛଧରା ଟ୍ରଲର ମାଡ଼ରେ ରକ୍ତାକ୍ତ ହୋଇ ବେଳାଭୂମିକୁ ପଳାଇ ଆସୁଥିବାର ଦେଖିବାକୁ ମିଳୁଛି। ଏବେ ମିଳନର ସମୟ ହୋଇଥିବା ବେଳେ ଅଲିଭରିଡଲେଙ୍କ ମୃତ୍ୟୁ ଆଗକୁ ଅଣ୍ଡାଦାନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିବାର ଆଶଙ୍କା ରହିଛି। ଓଡ଼ିଶାର ଦୁର୍ବଳ ମେରାଇନ୍‍ ଫିସିଂ ରେଗୁଲେସନ ଆକ୍ଟ (ଓମ୍ଫ୍ରା) ପାଇଁ ନିଷିଦ୍ଧାଞ୍ଚଳରେ ମାଛ ଧରିବାକୁ ଯାଉଥିବା ଟ୍ରଲର ଧରା ପଡ଼ିଲେ ମଧ୍ୟ ସହଜରେ ଖସିଯାଉଛନ୍ତି।

ରାଜ୍ୟର ଏକ ପ୍ରମୁଖ ଗଣଅଣ୍ଡାଦାନସ୍ଥଳୀ ଦେବୀ ମୁହାଣର ନିଷିଦ୍ଧାଞ୍ଚଳରୁ ୭ ଟି ଟ୍ରଲର ଜବତ କରାଯାଇଛି। ବନ ବିଭାଗ ପାଟ୍ରୋଲିଂ ସମୟରେ ନିଷିଦ୍ଧାଞ୍ଚଳରୁ ଏହି ଟ୍ରଲରଗୁଡ଼ିକୁ ଜବତ କରିଛି। ସମାନ ଭାବେ ଋଷିକୂଲ୍ୟାରେ ଗୋଟିଏ ଟ୍ରଲର ଜବତ ହୋଇଥିବା ଜଣାପଡ଼ିଛି। ମାତ୍ର ଓମ୍ଫ୍ରା ଆକ୍ଟରେ ଥିବା ଗଳାବାଟ ଦେଇ ମତ୍ସ୍ୟ ବିଭାଗ ଏଗୁଡ଼ିକୁ ଛାଡ଼ି ଦେଇଥିବା ଅଭିଯୋଗ ହେଉଛି। ନିୟମ ଅନୁଯାୟୀ ନଭେମ୍ବର ମାସରୁ ମେ’ ମାସ ପର୍ଯ୍ୟନ୍ତ ରାଜ୍ୟର ୩ଟି ଗଣ ଅଣ୍ଡାଦାନସ୍ଥଳୀ ଋଷିକୁଲ୍ୟା ମୁହାଣ, ଦେବୀ ମୁହାଣ ଓ ଗହୀରମଥାରେ ସମୁଦ୍ର କୂଳରୁ ୨୦ କିମି ପର୍ଯ୍ୟନ୍ତ ମାଛ ଧରାରେ ରୋକ ଲାଗିବା ସହିତ ଟ୍ରଲର ଚାଳନା ସମ୍ପୂର୍ଣ୍ଣ ବାରଣ ରହିଛି। ଏହି ସମୟରେ ଯଦି କୌଣସି ମତ୍ସ୍ୟଜୀବୀ ନିୟମ ଉଲ୍ଲଙ୍ଘନ କରନ୍ତି ସେମାନଙ୍କ ଟ୍ରଲରକୁ ବନ ବିଭାଗ ଜବତ କରୁଛି। ଯଦି ଜବତ ବେଳେ ଟ୍ରଲର କିମ୍ବା ସେମାନଙ୍କ ଜାଲରେ ଅଲିଭ୍‍ରିଡଲେ କଇଁଛ ଥାଏ ତେବେ ସେମାନଙ୍କୁ ବନ ବିଭାଗ ଗିରଫ କରିବା ସହିତ ଟ୍ରଲର ଲାଇସେନ୍ସ ରଦ୍ଦ କରିବାର ବ୍ୟବସ୍ଥା ରହିଛି। କିନ୍ତୁ ଟ୍ରଲର କିମ୍ବା ଜାଲରେ କଇଁଛ ନ ଥିଲେ ସେମାନଙ୍କୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରିବାର ନିୟମ ରହିଛି। ଓମ୍ଫ୍ରା ଆକ୍ଟ ଅନୁଯାୟୀ ମତ୍ସ୍ୟ ବିଭାଗର ଅଧିକାରୀମାନେ ଟ୍ରଲରରେ ଥିବା ମାଛର ପରିମାଣ ଅନୁଯାୟୀ ସେମାନଙ୍କୁ ଆର୍ଥିକ ଜରିମାନା କରି ଛାଡ଼ି ଦେଉଛି। ଯାହାକୁ ପରିବେଶବିତମାନେ ବିରୋଧ କରିବା ସହିତ ଓମ୍ଫ୍ରା ଆକ୍ଟର ସଂଶୋଧନ ପାଇଁ ଦାବି କରିଛନ୍ତି।

ଦେବୀ ମୁହାଣରେ ଅଲିଭରିଡଲେ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ତଥା ୟୁଏନର ଯୁବ ଅଧିବକ୍ତା ସୌମ୍ୟରଞ୍ଜନ ବିଶ୍ୱାଳ କହିଛନ୍ତି ଯେ ଦୁର୍ବଳ ଓମ୍ଫ୍ରା ଆକ୍ଟର ସଂଶୋଧନ କରି ଏହାକୁ ସଶକ୍ତ କରିବାର ଆବଶ୍ୟକତା ରହିଛି। ଏହାସହିତ ବର୍ତ୍ତମାନ ସୁପ୍ରିମକୋର୍ଟଙ୍କ ନିୟମ ମଧ୍ୟ ଉଲ୍ଲଙ୍ଘନ କରାଯାଉଛି। ମତ୍ସ୍ୟଜୀବୀମାନେ ଟିଇଟି ଜାଲ ବ୍ୟବହାର କରିବାର ନିୟମ ରହିଛି। ଏହି ଜାଲ ବ୍ୟବହାର ହେଲେ କଇଁଛମାନେ ଜାଲରେ ପଡ଼ିଲେ ମଧ୍ୟ ଜାଲରୁ ବାହାରିଯିବାର ବ୍ୟବସ୍ଥା ରହିଛି। ମାତ୍ର ମତ୍ସ୍ୟଜୀବୀମାନେ ଏହି ନିୟମ ପାଳନ ନ ଥିବା ବେଳେ ମତ୍ସ୍ୟ ବିଭାଗ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦେଉନାହିଁ। ତେଣୁ ଏହି ସବୁ ନିୟମକୁ ଗୁରୁତ୍ୱ ଦେଇ ଆଇନ୍‍ କଡ଼ା ହେଲେ ହିଁ ଅଲିଭ୍‍ରିଡଲେଙ୍କ ସୁରକ୍ଷା କରାଯାଇ ପାରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି।

ପୁରୀ ଡିଏଫ୍‍ଓ ପି ରାମାଶ୍ୱାମୀ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ନିୟମ ଉଲ୍ଲଙ୍ଘନ କରିଥିବା ୭ ଟି ଟ୍ରଲରକୁ ବନ ବିଭାଗ ଟିମ୍‍ ଜବତ କରିଛି। ଏହି ଟ୍ରଲରଗୁଡ଼ିକୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରି ଦିଆଯାଇଛି। ତେବେ ମତ୍ସ୍ୟ ବିଭାଗ ଏଗୁଡ଼ିକୁ ଛାଡ଼ି ଦେଇଥିବା ପ୍ରସଙ୍ଗରେ ସେ ନିୟମ ଅନୁଯାୟୀ ବିଭାଗ କାର୍ଯ୍ୟ କରୁଥିବା ନେଇ କହିଛନ୍ତି। ଗହିରିମଥା ଗଣ ଅଣ୍ଡାଦାନସ୍ଥଳୀରେ ଅଭୟାରଣ୍ୟ ଆଇନ ଲାଗୁ କରାଯାଉଥିବାରୁ ଏଠାରେ ନିୟମ କଡ଼ାକଡ଼ି ପାଳନ ହେଉଥିବା ଜଣାପଡ଼ିଛି। ସ୍ଥାନୀୟ ରେଞ୍ଜ ଅଫିସର ମାନସ କୁମାର ଦାସଙ୍କ ସୂଚନା ଅନୁଯାୟୀ ଗହିରିମଥାର ନିଷିଦ୍ଧାଞ୍ଚଳରୁ ୧୩ ଟ୍ରଲର ଜବତ ହୋଇଥିବା ବେଳେ ୧୧୧ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

ସୂଚନା ଥାଉ କି, ଅଲିଭ୍‍ରିଡଲେଙ୍କୁ ପ୍ରଜନନ ପକ୍ରିୟା ପାଇଁ ୪୫-୬୦ ଦିନ ଲାଗିଥାଏ। ପାଣିରେ ଭାସମାନ ଅବସ୍ଥାରେ ହିଁ ସେମାନେ ଏହି ପ୍ରକ୍ରିୟା ପାର୍‍ କରିଥାନ୍ତି।

About The Author: The Sakala